ନାଟକରେ ଦଶାବତାର

ଭୁବନେଶ୍ବର: ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ ପକ୍ଷରୁ ନାଟ୍ୟଚକ୍ରରେ ନାଟକ ‘ଦଶାବତାର’ ମଂଚସ୍ଥ ହୋଇଛି। ବିଜୁ ନାଟ୍ୟ‌ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ନାଟକରେ ନାରାୟଣଙ୍କ ବିଭିନ୍ନ ଅବତାରର ଅବତାରଣା କରାଯାଇଥିଲା। ଯେତେବେଳେ ସାରା ବିଶ୍ବରେ ଅରାଜକତା ଦେଖାଦେଇଥିଲା, ସେତେବେଳେ ଭଗବାନ ବୁଦ୍ଧ ଅବତାରରେ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ। ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହୋଇଥିଲା। ଦଶମ ଅବତାର ଆସିବାକୁ ବାକି ରହିଛି। ଅନ୍ୟାୟ, ଅତ୍ୟାଚାର, ଚୋରି, ଦୁଷ୍କର୍ମ ଚରମ ସୀମାରେ ପହଞ୍ଚିଲେ, ବିଶ୍ୱନିୟନ୍ତା ‘କଳ୍‌କୀ’ ଅବତାରରେ ଆବିର୍ଭାବ ହେବେ। ମ୍ଳେଚ୍ଛ ସଂହାର କରିବେ। ଏଭଳି ଏକ କାହାଣୀକୁ ନେଇ ପ୍ରଦର୍ଶିତ ନାଟକ ଦର୍ଶକଙ୍କ ମନୋରଂଜନ କରିଥିଲା। ନାଟକର ବିଭିନ୍ନ ଭୂମିକାରେ ଆଲୋକ, ଶୁଭାଶିଷ, ବିଧାଂଶୁ, ରୋସନ୍‌, ପ୍ରକାଶ, ଅରମାନ୍‌, ଅଶୋକ, ସମୀର, ସତ୍ୟ, ସୌମ୍ୟ, ବିଶ୍ବଜିତ୍‌, ମାନସ, ଦୀପକ, ଅନିଲ ପ୍ରମୁଖ ଅଭିନୟ କରିଥିଲେ। ନାଟ୍ୟ ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଧୀର ମଲ୍ଲିକ। ପ୍ରଫେସର୍‌ ରଜତ କର, ଇଂ ଚନ୍ଦ୍ରଶେଖର ନନ୍ଦ, ନାଟ୍ୟକାର ବିଷ୍ଣୁ ରାଉତରାୟ ଏବଂ ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍‌ ସାହୁ ପ୍ରମୁଖ ସଂଧ୍ୟାରେ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର