ମସ୍କୋ: ପେରୁ ବିପକ୍ଷ ମ୍ୟାଚ୍ ସହିତ ଫ୍ରାନ୍ସ ଖେଳାଳି ହୁଗୋ ଲୋରିସ୍ ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥି ସହ ଫ୍ରାନ୍ସ ପ୍ରି-କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଥିବାରୁ ଲୋରିସ୍ ମଧ୍ୟ ନିଜ ଖୁସିକୁ ଦ୍ୱିଗୁଣିତ କରିଛନ୍ତି। କେବଳ ସେତିକି ନୁହେଁ ଏହି ଅଭିଜ୍ଞ ଗୋଲରକ୍ଷକ ମଧ୍ୟ ଦଳକୁ ଏକାଧିକ ଗୋଲରୁ ବଞ୍ଚାଇବାର ଅବଦାନ ରଖିଥିଲେ ଏହି ମ୍ୟାଚ୍ରେ। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦଳକୁ ସମାନ ପରିସ୍ଥିତି ଭଳି ବଞ୍ଚାଇଥିଲେ। କିନ୍ତୁ ଏକ ପେନାଲ୍ଟି ବରଣ କରିଥିଲେ। ନିଜର ୧୦୦ ମ୍ୟାଚ୍ ମଧ୍ୟରୁ ଲୋରିସ୍ ୭୬ଟିରେ ଅଧିନାୟକତ୍ୱ କରିଛନ୍ତି। ଦଳ ଏବେ ବିଶ୍ୱକପ୍ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବାରୁ ଲୋରିସ୍ ଆନନ୍ଦିତ। କଠିନ ପରିଶ୍ରମ ଏବଂ ନିଜକୁ ଚାଲେଞ୍ଜ୍ କରିବାର ପ୍ରବୃତ୍ତି ହିଁ ତାଙ୍କ ଏତେ ଲମ୍ବା ସମୟ ଖେଳ ଜୀବନ ରଖିବାରେ ସହାୟକ ହୋଇଛି ବୋଲି ୩୧ ବର୍ଷୀୟ ଲୋରିସ୍ କହିଛନ୍ତି। ଶତକୀୟ ମ୍ୟାଚ୍ରେ ଗୋଲ୍ ବରଣ ନ କରିବାଠାରୁ ଆଉ କିଛି ବଡ଼ ଉତ୍ସବ ନଥିବ ବୋଲି କହିଥିଲେ ସାଥୀ ଖେଳାଳି ଓଲିଭର୍ ଗିରୋଡ। ୨୦୦୮ ମସିହାରୁ ଫ୍ରାନ୍ସର ୧ ନମ୍ବର ଜର୍ସି ପରିଧାନ କରି ଆସୁଥିବା ଲୋରିସ୍ ମଧ୍ୟ ବିଶ୍ୱକପ୍ରେ ନିଜ ଖେଳ ଜୀବନର ଗୋଟିଏ ଦଶନ୍ଧି ଅତିକ୍ରମ କରିଛନ୍ତି। କ୍ଲବ୍ ଫୁଟ୍ବଲ୍ରେ ସେ ୨୦୦୬ ସମିହାରୁ ଟଟେନ୍ହାମ୍ ହଟସ୍ପର ପାଇଁ ୨୦୬ ମ୍ୟାଚ୍ରେ ପ୍ରତିନିଧିତ୍ୱ କରି ସାରିଛନ୍ତି।