ନିଶାଶକ୍ତ ଭାବେ ଗାଡ଼ିଚାଳନା ପାଇଁ ବିଶ୍ୱ ବିଜେତା ଲୋରିସ୍‌ ଦଣ୍ଡିତ

ଲଣ୍ଡନ: ବିଶ୍ୱ ବିଜେତା ଫ୍ରାନ୍‌ସ ଫୁଟ୍‌ବଲ୍‌ ଦଳର ଅଧିନାୟକ ତଥା ଗୋଲ୍‌ରକ୍ଷକ ହୁଗୋ ଲୋରିସ୍‌ ମାତାଲ ଅବସ୍ଥାରେ ଗାଡ଼ିଚାଳନା କରିବା ଅବରାଧରେ ଦଣ୍ଡିତ ହୋଇଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ ୨୦ ମାସ ପାଇଁ ଗାଡ଼ି ଚଳାଇବାରୁ ବାସନ୍ଦ କରାଯାଇଥିଲା ବେଳେ ୫୦,୦୦୦ (୬୫,୦୦୦ ଡଲାର) ପାଉଣ୍ଡ୍‌ ଅର୍ଥ ଦଣ୍ଡ ମିଳିଛି। ଗତମାସରେ ସେଣ୍ଟ୍ରାଲ ଲଣ୍ଡନର ଏକ ଜନଗହଳି ଟ୍ରାଫିକ୍‌ରେ ଛିଡ଼ା ହୋଇଥିବା ଯାନଗୁଡ଼ିକ ଉପରକୁ ଲୋରିସ୍‌ ତାଙ୍କ କାର୍‌କୁ ମଡ଼ାଇ ନେଇଥିଲେ। ନାଲି ଆଲୁଅର ଟ୍ରାଫିକ୍‌ ସଂକେତକୁ ବେଖାତିର କରିବା ସାଙ୍‌ଗକୁ ଅତ୍ୟଧିକ ମଦ୍ୟପାନ କରି ସେ ଗାଡ଼ି ଚଳାଇଥିବାରୁ ପୁଲିସ୍‌ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଏପରିକି ଲୋରିସ୍‌ଙ୍କୁ ଗାଡ଼ି ଭିତରେ ବାନ୍ତି କରିଥିବାର ମଧ୍ୟ ପୁଲିସ୍‌ ଦେଖିଥିଲା। ଏହାପରେ ପୁଲିସ୍‌ ଲୋରିସ୍‌ଙ୍କୁ ଗାଡ଼ିରୁ ଟାଣି ବାହାର କରିଥିଲା। ପୁଲିସ୍‌ ତାଙ୍କ ବିରୋଧରେ ନିଶାଶକ୍ତ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ଏବଂ ଘଟଣାର ୪୦ ଦିନ ପରେ ବୁଧବାର ଲୋରିସ୍‌ଙ୍କୁ ଗିରଫ କରି ଲଣ୍ଡନର ଏକ କୋର୍ଟରେ ହାଜର କରିଥିଲା। ଲୋରିସ୍‌ଙ୍କ ପକ୍ଷରୁ ଓକିଲ ଡେଭିଡ୍‌ ସୋନ୍‌ ମକଦ୍ଦମା ପରିଚାଳନା କରିଥିଲା ବେଳେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୫୦,୦୦୦ ପାଉଣ୍ଡ୍‌ ଜରିମାନ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଲୋରିସ୍‌ ବିଶ୍ୱକପ୍‌ ଫାଇନାଲ୍‌ରେ ଫ୍ରାନ୍‌ସ ପକ୍ଷରୁ ଗୋଲ୍‌ରକ୍ଷଣ କରିଥିଲା ବେଳେ ତାଙ୍କ ଦଳ କ୍ରୋଏସିଆକୁ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର