ଲଭ୍‌ଲିନାଙ୍କ ଅଲିମ୍ପିକ୍ସ ଯାତ୍ରାର ରୋଚକ କାହାଣୀ

ଲଭ୍‌ଲିନାଙ୍କ ପଦକରେ ଆର୍ମି ବାଳକଙ୍କ ସହଭାଗିତା

ନୂଆଦିଲ୍ଲୀ: ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହେଁ ବୁଧବାର କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଭାରତ ପାଇଁ ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏହା ତୃତୀୟ ପଦକ ଥିଲା। କ୍ବାର୍ଟର ଫାଇନାଲ ବିଜୟ ସହ ପଦକ ପକ୍କର କରିବା ପରେ ଦେଶ ଖୁସିରେ ଝୁମି ଉଠିଥିଲା। ଏସବୁ ଭିତରେ ମଣିପୁରର ଜଣେ ବାଳକ ମଧ୍ୟ ଖୁସିରେ ଆତ୍ମହରା ହୋଇପଡ଼ିଥିଲା। କାରଣ ଅଲିମ୍ପିକ ପଦକରେ ଏହି ବାଳକର ବି ହାତ ରହିଛି। ଏହି ବାଳକ ଜଣକ ହେଉଛି ଆର୍ମି କ୍ରୀଡ଼ା ପ୍ରତିଷ୍ଠାନର ବିକି ଚାନ୍ଦ (୨୩)। ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ବିକି ଓ ଲଭ୍‌ଲିନା ଏକାସାଙ୍ଗରେ ଅଭ୍ୟାସ କରୁଥିଲେ।

କୋଭିଡ୍‌-୧୯ ମାମଲା ବୃଦ୍ଧି ହେଉଥିବାରୁ ମହିଳା ବକ୍ସରଙ୍କ ‌ଶିବିରକୁ ପୁନେର ଆର୍ମି କ୍ରୀଡ଼ା ପ୍ରତିଷ୍ଠାନକୁ ସ୍ଥାନାନ୍ତର କରାଯାଇଥିଲା। ଯାହାକି ଟୋକିଓ ଅଲିମ୍ପିକ୍ସ ପାଇଁ ଲଭ୍‌ଲିନାଙ୍କ ପ୍ରସ୍ତୁତିରେ ଅଧିକ ଫଳପ୍ରଦ ହୋଇଥିଲା। ବିକିଙ୍କ କହିବା ଅନୁଯାୟୀ, ଯେତେବେଳେ ଦଳ ପୁନେ ଛାଡ଼ିଥିଲା, ସେ ଛୁଟିରେ ଘରକୁ ଚାଲିଯାଇଥିଲେ। ଅଲିମ୍ପିକ୍ସର ତିନିଦିନ ପୂର୍ବରୁ ସେ ଆର୍ମି କ୍ରୀଡ଼ା ପ୍ରତିଷ୍ଠାନକୁ ଫେରିଥିଲା ବେଳେ ଏକୁଟିଆ ହଷ୍ଟେଲ ରୁମ୍‌ରେ ରହି ଲଭ୍‌ଲିନାଙ୍କ ଲଢ଼େଇକୁ ଉପଭୋଗ କରିଥିଲେ। ବକ୍ସିଂ ପ୍ରଶିକ୍ଷକ ଛୋଟେଲାଲ ଯାଦବ ଲଭ୍‌ଲିନାଙ୍କ ପ୍ରଶିକ୍ଷଣକୁ ନୀରିକ୍ଷଣ କରୁଥିଲେ। ଲଭ୍‌ଲିନାଙ୍କ ଛୋଟ ଛୋଟ ତ୍ରୁଟିକୁ ସୁଧାରିବାରେ ବିକି ଓ ଅନ୍ୟତମ ଏଏସ୍‌ଆଇ ବକ୍ସର କରଣ ଅନେକ ସହାୟତା କରିଥିବା ଯାଦବ କହିଛନ୍ତି। ଯେଉଁଥିପାଇଁ ପୂର୍ବତନ ବିଶ୍ବ ‌ବିଜେତା ଚାଇନିଜ୍‌ ତାଇପେର ଛେନ ନିଏନ ଚିନ୍‌ଙ୍କ ବିପକ୍ଷ ସଫଳତାର ଶ୍ରେୟ ତାଙ୍କର ସାଥୀ ଖେଳାଳିମାନଙ୍କୁ ଯାଉଥିବା ଯାଦବ କହିଛନ୍ତି।

କଠିନ ପରିଶ୍ରମ ଓ ତ୍ୟାଗର ସୁଫଳ

ତାଲାବନ୍ଦ ସମୟରେ ନିଜକୁ ଶାରୀରିକ ଭାବେ ଦକ୍ଷ ରଖିବା ପାଇଁ ଏଲ୍‌ପିଜି ସିଲିଣ୍ଡର ଉଠାଇବା ହେଉ କିମ୍ବା କ୍ଷେତରେ କାମ କରିବା ହେଉ, କୌଣସି ପ୍ରକାରର କସରତକୁ ଛାଡ଼ିନଥିଲେ ଲଭ୍‌ଲିନା। ବାସ୍ତବରେ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଲଭ୍‌ଲିନା ଜଣେ ଯୋଦ୍ଧା ଭାବେ ନିଜକୁ ପ୍ରସ୍ତୁତ କରିଥିଲେ। ତାଙ୍କର ଅବିସ୍ମରଣୀୟ ମନୋବଳ ଶେଷରେ କାମ ଦେଲା ଏବଂ ତୃତୀୟ ବକ୍ସର ଭାବେ ଅଲିମ୍ପିକ୍ସରେ ପଦକ ଜିତିଲେ। ଆସାମର ଗୋଲାହାଟ ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଗ୍ରାମ ବଡ଼ମୁଖିଆରୁ ଆସିଥିବା ଲଭ୍‌ଲିନା ଅନେକ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ତାଙ୍କଠୁ ଅଧିକ ବୟସର ପ୍ରତିପକ୍ଷଙ୍କୁ ମଧ୍ୟ ଧୂଳି ଚଟାଇବାରେ ପାରଙ୍ଗମ ହୋଇପାରିଛନ୍ତି। କାରଣ ଯଦି ପଦକ ଜିତିବାକୁ ଚାହଁ ତାହେଲେ ଡରକୁ ଅତିକ୍ରମ କରିବାକୁ ହେବ ବୋଲି ସେ ସବୁବେଳେ ନିଜ ଭିତରେ ଗୁଣୁଗୁଣୁ ହୋଇଥା’ନ୍ତି। ତାଙ୍କର ଏଭଳି ନିଷ୍ଠାର ପରିଣାମ ଅଲିମ୍ପିକ୍ସ ପ୍ରଦର୍ଶନ ରୂପରେ ଦର୍ଶାଉଛି।

କ୍ବାର୍ଟର ଫାଇନାଲ ଜିତିବା ପରେ ଲଭ୍‌ଲିନା କହିଥିଲେ ଯେ ସେ ମ୍ୟାଚ୍‌ବେଳେ ଚାପରେ ନଥିଲେ। କାରଣ ତାଙ୍କ ପାଇଁ କୋଟି କୋଟି ଭାରତୀୟ ପ୍ରାର୍ଥନା କରୁଥିଲେ। ସେ ଭାରତକୁ ଆଉ ଏକ ପଦକ ଦେଇପାରି ଥିବାରୁ ନିଜ ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରିଥିଲେ। ଭାରତୀୟ ମହିଳା ବକ୍ସିଂ ପ୍ରଶିକ୍ଷକ ଅଲି କ୍ବାମାର ମଧ୍ୟ ଏହି ବିଜୟରେ ଉତ୍‌ଫୁଲ୍ଲିତ ହୋଇଥିଲେ। ପୂର୍ବଦିନ ଏମ୍‌ସି ମେରିକମ୍‌ଙ୍କ ପରାଜୟ ପରେ ଦଳର ମନୋବଳ ସାମାନ୍ୟ ହ୍ରାସ ପାଇଥିଲା। କିନ୍ତୁ ଲଭ୍‌ଲିନାଙ୍କ ବିଜୟ ପରେ ସମସ୍ତଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଥିଲା। ସେ ତାଙ୍କ ଉଚ୍ଚତାକୁ ସଠିକ୍‌ ଭାବେ ଉପଯୋଗ କରିପାରିଛନ୍ତି। ତାଙ୍କ ଉଚ୍ଚତା ହିଁ ସବୁଠୁ ବଡ଼ ଶକ୍ତି ଥିଲା। କାରଣ ତାଙ୍କ ଓଜନ ବର୍ଗରେ କେହି ତାଙ୍କ ଭଳି ଡେଙ୍ଗା ନଥିଲେ। ଗତ ବର୍ଷେ ଧରି ସେ ଯେଉଁ ପରିସ୍ଥିତି ଦେଇ ଗତି କରିଥିଲେ, ‌ତାହାକୁ ‌ଦେଖିଲେ ଏହି ମ୍ୟାଚ୍‌ ତାଙ୍କ ପାଇଁ ଏକ ମାନସିକ ଯୁଦ୍ଧ ଥିଲା। ତେଣୁ ‌େସ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତନ୍ତୁ ବୋଲି କ୍ବାମାର ଆଶା ରଖିଥିଲେ।

ବିହୁର ବାଳିଦାନ
ବିଶ୍ବର ଯେକୌଣସି କୋଣରେ ଜଣେ ଆସାମୀ ଲୋକ ରହିଥିଲେ ତାଙ୍କ ପାଇଁ ବୋହାଗ ବିହୁ କେବଳ ଏକ ପର୍ବ ନୁହେଁ, ବରଂ ଏହାସହିତ ଅନେକ ଭାବନା ଯୋଡ଼ି ହୋଇରହିଛି। ନୂତନ ପୋଷାକଠାରୁ ଆରମ୍ଭ କରି ତିନି ଦିନର ଉତ୍ସବରେ ପରିବେଷିତ ସୁସ୍ୱାଦୁ ଖାଦ୍ୟ ପର୍ଯ୍ୟନ୍ତ, ସବୁପ୍ରକାରର ଆମୋଦ ପ୍ରମୋଦ ଭରି ରହିଥାଏ। ତେଣୁ ଏହାକୁ ଏଡ଼ାଇଦେବା କଷ୍ଟକର ହୋଇଥାଏ। ଲଭ୍‌ଲିନା ମଧ୍ୟ ଏଥିରୁ ବାଦ୍‌ ପଡ଼ିବେ କିପରି? କିନ୍ତୁ ଗତ କିଛିବର୍ଷ ଧରି ତାଙ୍କର ପରମ୍ପରାକୁ ସେ ତ୍ୟାଗ କରି ଖୁସି ଥିଲେ। ସେ ତାଙ୍କ ଓଜନକୁ ଜଗିବା ପାଇଁ ପିଠା ପଣାଠୁ ନିଜକୁ ଦୂରେଇ ରଖୁଥିଲେ। ଏସବୁଠୁ ଦୂରେଇ ରହିବା କଷ୍ଟକର। କିନ୍ତୁ ଜଣେ କ୍ରୀଡ଼ାବିତ୍‌ ଭାବେ ନିଜ ସ୍ବାଦକୁ ନିୟନ୍ତ୍ରଣ କରିବାକୁ ହେବ। ଡାଏଟ୍ ସହିତ ଏକ ସମସ୍ୟା ଅଛି। ଆପଣ ଘରେ ଉପଯୁକ୍ତ ଖାଦ୍ୟ ପାଇପାରିବେ ନାହିଁ। ତଥାପି ଆପଣ ନିଜ ଓଜନ ଓ ଖାଦ୍ୟକୁ ନେଇ ଅଭିଯୋଗ କରିବାର କୌଣସି ଉପାୟ ନଥାଏ ବୋଲି ଲଭଲିନା କହିଛନ୍ତି। ତାଲାବନ୍ଦ ସମୟରେ ପ୍ରତ୍ୟେକ ଦିନ ସେ କୌଣସି ଏକ ମ୍ୟାଚର ଭିଡିଓ ଦେଖିଥାନ୍ତି। ଯାହାକି ତାଙ୍କୁ ତାଙ୍କ ସ୍ବପ୍ନ ଦିଗରେ ବଢିବା ପାଇଁ ଉତ୍ସାହ ବଢାଇଥାଏ। ବକ୍ସିଂ ଛଡ଼ା ତାଙ୍କୁ ଆଉ କିଛି ଦେଖିବାକୁ ଭଲ ଲାଗେନାହିଁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର