ନ୍ୟୁଜିଲାଣ୍ଡ୍‌କୁ ହାଲ୍‌କା ଭାବେ ନ ନେବାକୁ ମଦନ ଲାଲ୍‌ଙ୍କ ପରାମର୍ଶ

ନାପିଏର: ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଏବଂ ପରେ ପ୍ରଥମ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ବିଜୟ। ଏହି ଦୁଇ ଯୁଗଳ ଐତିହାସିକ ସଫଳତା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁଜିଲାଣ୍ଡ୍‌ ଅଭିଯାନରେ ବାହାରିଛି। ଅଷ୍ଟ୍ରେଲିଆ ଭଳି ନ୍ୟୁଜିଲାଣ୍ଡରେ ମଧ୍ୟ ଭାରତର ଅତୀତ ପ୍ରଦର୍ଶନ ସେତେଟା ଭଲ ନାହିଁ। ସେଥିପାଇଁ ଏହି ଦଳକୁ ହାଲ୍‌କା ଭାବେ ନନେବାକୁ କୋହଲି ବାହିନୀକୁ ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ନ୍ୟୁଜିଲାଣ୍ଡ ଏକ ଭଲ ଦଳ। ସେମାନେ ଭାରତକୁ କଡ଼ା ଟକ୍କର ଦେବେ ବୋଲି ମୋର ବିଶ୍ବାସ। ସେମାନଙ୍କ ପାଖରେ ଏକ ସନ୍ତୁଳିତ ଦଳ ରହିଛି। ସେହିଭଳି ଅଭିଜ୍ଞ ଖେଳାଳିଙ୍କର ମଧ୍ୟ ଅଭାବ ନାହିଁ। ତା’ ଛଡ଼ା ନ୍ୟୁଜିଲାଣ୍ଡର ପାଗ ଏବଂ ପରିବେଶ ପୂରା ଭିନ୍ନ। ଏଣୁ ଭାରତ କିୱି ଦଳକୁ ହାଲକା ଭାବେ ନେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବିଶ୍ବକପ୍ ଲାଗି ପ୍ରସ୍ତୁତି କରିବା ଲାଗି ଶ୍ରେଷ୍ଠ ମଞ୍ଚ ହେବ ବୋଲି ମଦନ ମତ ପ୍ରକାଶ କରିଥିଲେ। ସେହିଭଳି ବିଶ୍ବକପ୍ ପୂର୍ବରୁ ଏକ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ଭେଟିବା, ଭାରତ ପାଇଁ ଭଲ ବୋଲି କହିଥିଲେ। ମୁଁ ଭାବୁଛି ଭାରତ ପଲ୍ଲା ଆଂଶିକ ଭାରି ରହିବ। ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇବା ପରେ କୋହଲିଙ୍କ ଦଳର ମନୋବଳ ମଧ୍ୟ ଢେର ଉଚ୍ଚରେ ଥିବ। ଗତ କିଛି ଶୃଙ୍ଖଳାରେ ବି ନ୍ୟୁଜିଲାଣ୍ଡ୍‌କୁ ଭାରତ ଟାଣୁଆ ଟକ୍କର ଦେଇଥିଲା। ଆମେ କିନ୍ତୁ ସେମାନଙ୍କୁ ହାଲକା ଭାବେ ନେଇ ପାରିବା ନାହିଁ। ସୂଚନାଯୋଗ୍ୟ ଯେ ଭାରତ-ନ୍ୟୁଜିଲାଣ୍ଡ ଶୃଙ୍ଖଳା ବୁଧବାରଠାରୁ ଆରମ୍ଭ ହେବ। ଏଥରର ଗସ୍ତରେ ଭାରତ ସେଠାରେ ପାଞ୍ଚଟି ଦିନିକିଆ ଏବଂ ତିନିଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ।

ସମ୍ବନ୍ଧିତ ଖବର