ସ୍ବପ୍ନକୁ ବାସ୍ତବ ରୂପ ଦେଇଥିଲେ ମାହି, କୋହଲିଙ୍କୁ ନେତୃତ୍ବ ଦେବାର ସାହସ ଧୋନି ଦେଖାଇଥିଲେ

ଧୋନିଙ୍କ ୩ ଆଇସିସି ଟ୍ରଫି କୀର୍ତ୍ତିମାନ କେହି ଭାଙ୍ଗି ପାରି‌େବନି: ଗମ୍ଭୀର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିବାର ୪୮ ଘଣ୍ଟା ପରେ ବି ମହେନ୍ଦ୍ର ସିଂହ ଧୋନିଙ୍କ ଚର୍ଚା କମିବାର ନାହିଁ। ମାହି ଏଭଳି ଜଣେ ଖେଳାଳି, ନେତା, ବ୍ୟକ୍ତିତ୍ବ ଥିଲେ ଯାହାଙ୍କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ସ୍ବପ୍ନକୁ କିଭଳି ସାକାର କରିବାକୁ ହୁଏ ଏହାର ଜଣେ ନିଖୁଣ କାରିଗର ଥିଲେ। ପାରମ୍ପରିକ ବିଶ୍ବାସଠାରୁ ଅଲଗା ଥିଲେ କିନ୍ତୁ ଦୃଢ଼ ଆତ୍ମବିଶ୍ବାସୀ ମଧ୍ୟ ଥିଲେ। ଚିରାଚରିତ ଭାବେ ତାଲିମ ଶିବିରକୁ ବିଳମ୍ବରେ ଆସୁଥିଲେ, ପ୍ରଥମେ ସ୍ପିନରଙ୍କୁ ଭେଟୁଥିଲେ କ୍ରମେ ବଡ଼ ସଟ୍‌ ଖେଳିବାରେ ଲାଗୁଥିଲେ ଏବଂ ପେସ୍‌ ବୋଲରଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଥିଲେ। ଆବଶ୍ୟକ ପଡିଲେ କିଛି ବଲ୍‌ ଫିଙ୍ଗୁଥିଲେ। ୨୦୦୪ ଡିସେମ୍ବର ୨୩ ତାରିଖରେ ଚିଟ୍ଟାଗଙ୍ଗରେ ଦିନିକିଆ ପଦାର୍ପଣ କରିବାଠାରୁ ଆରମ୍ଭ ହୋଇଥିବା ମାହିଙ୍କ ମହାନ ଅଭିଯାନ ୨୦୧୯ ଓଲ୍ଡ ଟ୍ରାଫୋର୍ଡରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବକପ୍‌ ସେମିଫାଇନାଲରେ ଶେଷ ହୋଇଥିଲା। ୧୬ ବ‌ର୍ଷର କ୍ରିକେଟ୍ ଯାତ୍ରା ମଧ୍ୟରେ ଧୋନି ସାଥୀ ଖେଳାଳି, ବରିଷ୍ଠ ଓ କନିଷ୍ଠ ଖେଳାଳିଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଥିଲେ। ସଚିନ ତେନ୍ଦୁଲକରଙ୍କ ପରେ ଧୋନି ଦେଶର ପରବର୍ତୀ କିଂବଦନ୍ତି କ୍ରିକେଟର୍‌ ହେବାର ଗୌରବ ଆଣିଥିଲେ। ଗୋଟିଏ ପାଳିରେ ଏକାଧିକ ଛକା ମାରିବା ଏବଂ ଛକା ଉପରେ ଭରସା କରି ମ୍ୟାଚ୍‌କୁ ଶେଷ ଓଭର ଶେଷ ବଲ୍ ପର୍ଯ୍ୟନ୍ତ ନେବାର ଆତ୍ମବିଶ୍ବାସ କେବଳ ଧୋନି ହିଁ ଦେଇଥିଲେ ଭାରତୀୟ କ୍ରିକେଟ୍‌କୁ।

‘ତୁମେ ସବୁବେଳେ ମୋ ଅଧିନାୟକ’
ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଏକ ହୃଦୟସ୍ପର୍ଶୀ ଭିଡିଓ ଜରିଆରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଧୋନିଙ୍କ ସହ କ୍ରିକେଟ୍ ପଡିଆରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସାମିଲ ହୋଇଥିବା ଖେଳାଳିମାନେ ସେମାନଙ୍କ ସ୍ମୁତିକୁ ସାଇତି ରଖିବାକୁ ପସନ୍ଦ କରିଛନ୍ତି। ସମଗ୍ର କ୍ରିକେଟ୍‌ ଦୁନିଆ ବି ଧୋନିଙ୍କ ଅବସର ଖବରରେ ନିରାଶ ‌ହୋଇଛି। ପ୍ରଶଂସକମାନେ ତାଙ୍କ ସୁପରଫାଷ୍ଟ ଷ୍ଟମ୍ପିଂ, ବଡ଼ ବଡ଼ ଛକା, ହେଲିକପ୍ଟର ସଟ୍‌, ଅଧିନାୟକଙ୍କ ଚତୁର ଗୋଟିଚାଳନା ଆଦିକୁ କେବେ ବି ଭୁଲିପାରିବେ ନାହିଁ। ନୁୱାନ କୁଲସେକରାଙ୍କୁ ଛକା ମାରି ଭାରତକୁ ଦୀର୍ଘ ୨୮ ବର୍ଷ ପରେ ବିଶ୍ବକପ୍‌ (୨୦୧୧) ବିଜୟ ଦେବାର ଅଭୁଲା ମୁହୂର୍ତ ଅନେକ ଦିନ ଧରି ଭରତୀୟ କ୍ରିକେଟ୍‌କୁ ଗୌରବାନ୍ବିତ କରି ରଖିବ। ଅବସର ଘୋଷଣା କରିବା ପରେ ଭାରତୀୟ ଦଳର ଖେଳାଳିମାନେ ଏକ ଭିଡିଓ ଜରିଆରେ ଏହି ମହାନ ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ଅଧିନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ‘ଜୀବନରେ ବେଳେବେଳେ ଶବ୍ଦର ଅଭାବ ପଡିଥାଏ, ମୁଁ ଭାବୁଛି ଏବେ ସେଭଳି ଏକ ସମୟ। ମୁଁ କିନ୍ତୁ ଗୋଟିଏ କଥା କହିବି ଏହି ବ୍ୟକ୍ତି ଜଣଙ୍କ ନିଶ୍ଚିତ ସବୁବେଳେ ବସ୍‌ର ଶେଷ ସିଟ୍‌ରେ ବସିଥିବେ।’ ବୋଲି ବିରାଟ କୋହଲି ପ୍ରକାଶ କରିଛନ୍ତି। ଆମେ ଭିତରେ ସମ୍ମାନବୋଧ, ବଂଧୁତା, ବୁଝାମଣା ଥିଲା, ସମାନ ଭୂମିକା ଓ ସମାନ ଲକ୍ଷ୍ୟ ରଖି ଖେଳୁଥିଲୁ, ଏଇଥି ପାଇଁ ଦଳ ବିଜୟୀ ହେଉଥିଲା। ଏହା ବଡ଼ ଖୁସିର କଥା ମୁଁ ତୁମ ସହିତ ଖେଳିଛି। ତୁମେ ହିଁ ମୋତେ ବିଶ୍ବାସ ଦେଇଛ, ଏଥି ପାଇଁ ମୁଁ ଚିରକୃତଜ୍ଞ। ଆଗରୁ ବି କହିଛି ପୁଣି ଥରେ ବି କହିବି ‘ତୁମେ ସବୁବେଳେ ମୋ ଅଧିନାୟକ’ ବୋଲି କୋହଲି ଭାବବିହ୍ବଳ ଟ୍ବିଟ୍‌ରେ ପ୍ରକାଶ କରିଥିଲେ। ଭାରତ ପାଇଁ ଧୋନି ମୋଟ ୫୩୮ ମ୍ୟାଚ୍‌ ଖେଳି, ୧୭,୨୬୬ ରନ୍‌ ସଂଗ୍ରହ କରିଥିଲେ। ୧୬ ଶତକ, ୧୦୮ ଅର୍ଧଶତକ, ୩୫୯ ଛକା ଓ ୮୨୯ ଡିସମିସାଲ୍‌ ଆଦି ଗୋଟିଏ ଗୋଟିଏ ମାଇଲଖୁଣ୍ଟ୍ ‌ହୋଇରହିଛି।

କୋହଲିଙ୍କୁ ନେତୃତ୍ବ ଦେବାର ସାହସ ଧୋନି ଦେଖାଇଥିଲେ
ମ‌ହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ଅନ୍ତରଙ୍ଗ, ପରସ୍ପରପ୍ରତି ସମ୍ମାନବୋଧ ଓ ଚମତ୍କାର ଆଖ୍ୟା ଦେଇଛନ୍ତି ଭାରତୀୟ ମହିଳା ଦଳର ପୂବର୍ତନ ଅଧିନାୟକ ଅଞ୍ଜୁମ ଚୋପ୍ରା। ଧୋନିଙ୍କ ଅବସର ନିଷ୍ପତ୍ତିରେ ଅଞ୍ଜୁମ ଆଶ୍ଚର୍ଯ୍ୟ ‌ହୋଇନାହାନ୍ତି, କିନ୍ତୁ ଯେଉଁଭଳି ଢ଼ଙ୍ଗରେ ସେ ଅବସର ନେଲେ ଏହା ତାଙ୍କ ସରଳତାକୁ ଦେଖାଇଛି ବୋଲି ଦୀର୍ଘ ୧୭ ବ‌ର୍ଷ ଧରି ଭାରତୀୟ ଦଳରୁ ଖେଳିଥିବା ଅଞ୍ଜୁମ ପ୍ରକାଶ କରିଛନ୍ତି। ବିରାଟ କୋହଲିଙ୍କୁ ଅଧିନାୟକତ୍ବ ସମର୍ପଣ କରିବା ଲାଗି ଧୋନି ହିଁ ଉଚ୍ଚମ ଚରିତ୍ର ଓ ସାହସ ଦେଖାଇଥିଲେ। ୨୦୧୪ରେ ଟେଷ୍ଟ୍ ଅଧିନାୟକ ଏବଂ ୨୦୧୯ ବିଶ୍ବକପ୍‌ର ୨ ବ‌ର୍ଷ ପୂର୍ବରୁ ଦିନିକିଆ ଦଳର ଅଧିନାୟକତ୍ବ ଅର୍ପଣ କରିଥିଲେ। ବରିଷ୍ଠ ଖେଳାଳିମାନେ ଥିବେ ଏବଂ କନିଷ୍ଠ ଖେଳାଳିମାନେ ଆସୁଥିବେ ଏହି ସମୟରେ କୋହଲିଙ୍କୁ ଧୋନିଙ୍କ ଅଧିନାୟକତ୍ବ ସମର୍ପଣ ପରବର୍ତୀ ପିଢ଼ି ପାଇଁ ଅନେକ କିଛି ଶିକ୍ଷା ଦେଇଥିଲା ବୋଲି ଅଞ୍ଜୁମ ପ୍ରକାଶ କରିଥିଲେ।

ଆର୍ମିରେ କାଟିବେ ଅଧିକ ସମୟ
ମ‌ହେନ୍ଦ୍ର ସିଂହ ଧୋନି ମଧ୍ୟ ଭାରତୀୟ ସେନାବାହିନୀ ଟେରିଟୋରିଆଲ୍ ଆର୍ମିରେ ଜଣେ ଲ୍ୟୁଟେନାଣ୍ଟ୍ କର୍ନେଲ ମାନ୍ୟତାପ୍ରାପ୍ତ। ଗତବର୍ଷ ବିଶ୍ବକପ୍‌ ପରେ କ୍ରିକେଟ୍‌ଠାରୁ ଦୂରେଇ ରହିଥିବାବେଳେ ସେ କଶ୍ମୀରରେ ମଧ୍ୟ ନିଜ ୟୁନିଟରେ କିଛି ଦିନ ବିତାଇଥିଲେ। ଏବେ ସେ ଆର୍ମିରେ ଅଧିକ ଦିନ ବିତାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ତାଙ୍କ ବଂଧୁ ତଥା ବ୍ୟବସାୟିକ ସାଥୀ ଅରୁଣ ପାଣ୍ଡେ। ଆଇପିଏଲ୍‌ ପରେ ଧୋନି ମୁକ୍ତ ହୋଇଯାଉଥିବାରୁ ଅଧିକ ସମୟ ଆର୍ମିରେ ବିତାଇବେ ବୋଲି କହିଛନ୍ତି ଅରୁଣ। ଅଗଷ୍ଟ ୧୫ ତାରିଖ ଆର୍ମି ପାଇଁ ଏକ ସ୍ବତନ୍ତ୍ର ଦିବସ ହୋଇଥିବାରୁ ଧୋନି ଏହି ଦିନ ଅବସର ଘୋଷଣା କରିଥିବା କଥାକୁ ଅରୁଣ ପ୍ରକାଶ କରିଥିଲେ। ଧୋନିଙ୍କ ବ୍ରାଣ୍ଡ୍ ମୂଲ୍ୟ ହ୍ରାସ ପାଇବା ଆଶଙ୍କାକୁ କିନ୍ତୁ ସେ ଖଣ୍ଡନ କରିଥିଲେ। ଗତବର୍ଷର ବିଶ୍ବକପ୍‌ ପରେ ଧୋନି ୧୦ଟି ନୂଆ ବ୍ରାଣ୍ଡ୍ ସହ ଚୁକ୍ତିବଦ୍ଧ ହୋଇଛନ୍ତି ବୋଲି ପାଣ୍ଡେ ପ୍ରକାଶ କରିଥିଲେ। ଧୋନି ନିଶ୍ଚିତ ଆଉ ୨/୩ ଋତୁ ଆଇପିଏଲ୍‌ ଖେଳିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ରାହୁଲ, ପନ୍ତ୍‌ଙ୍କୁ ଭଲ ନିଦ!
ମାହିଙ୍କ ଅବସର କାହା ପାଇଁ କେମିତି ଆସିବ ଭିନ୍ନ କଥା, କିନ୍ତୁ ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିବା ଦୌଡ଼ରେ ଥିବା କେଏଲ୍ ରାହୁଲ ଓ ଋଷବ ପନ୍ତଙ୍କ ପାଇଁ ଏହା ନିଶ୍ଚିତ ସୁଯୋଗ ଆଣି ଦେଇଛି। ଗତବର୍ଷ ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟରେ ଧୋନି ଭାରତର ପ୍ରଥମ ପସନ୍ଦର ୱିକେଟରକ୍ଷକ ଥିଲେ। ଏବେ ଟିମ୍ ଇଣ୍ଡିଆ ତାଙ୍କ ସ୍ଥାୟୀ ବିକଳ୍ପ ଖୋଜିବ। ଋଷବ ପନ୍ତଙ୍କୁ ସ‌ୁଯୋଗ ମିଳିଥିଲେ ମଧ୍ୟ ଅସ୍ଥିର ପ୍ରଦର୍ଶନ କାରଣରୁ ବାଦ୍ ପଡିଥିଲେ। ଏହି ପ୍ରସଙ୍ଗ ଉପରେ ମତ ରଖି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍‌ ଡିନ୍ ଜୋନ୍ସ କହିଛନ୍ତି ‘ମୁଁ ବାଜି ଲଗାଇ କହୁଛି, କେଏଲ୍ ରାହୁଲ ଓ ଋଷବ ପନ୍ତଙ୍କୁ ଗତ ରାତିରେ ନିଶ୍ଚିତ ଭଲ ନିଦ ହୋଇଥିବ’। ଧୋନିଙ୍କ ସ୍ଥାନ ୨୨ ବର୍ଷୀୟ ପନ୍ତ୍‌ ନେବାକୁ ଦୃଢ଼ ଦାବିଦାର ଥିଲେ ମଧ୍ୟ ଚଳିତ ବ‌ର୍ଷ ପ୍ରାରମ୍ଭରୁ ରାହୁଲଙ୍କୁ ଦାୟିତ୍ବ ମିଳିବା ପରଠାରୁ ତାଙ୍କ ବ୍ୟାଟିଂ ହାରାହାରି ‌ଉଲ୍ଲେଖନୀୟ ରହିଛି। ୨୦୧୯ ପର୍ଯ୍ୟନ୍ତ ସେ ଦିନିକିଆରେ ୪୭.୬୬ରେ ଥିଲେ ମଧ୍ୟ ଚଳିତ ବ‌ର୍ଷ ଏ‌ହାକୁ ୭୦କୁ ବଢ଼ାଇ ନେଇଛନ୍ତି। ୫ଟି ଟି-୨୦ରେ ସେ ମଧ୍ୟ ସମାନ ସମୟରେ ୪୪.୫୦ ହାରକୁ ୫୩.୮୩ରେ ପହଞ୍ଚାଇଛନ୍ତି।

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ୍‌ ଜୀବନଙ୍କୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ସାସଂଦ ଗୌତମ ଗମ୍ଭୀର ଢେର ପ୍ରଶଂସା କରିଛନ୍ତି। ଧୋନିଙ୍କ ତିନିଟି ଆଇସିସି ଟ୍ରଫି ଜିତିବାର କୀର୍ତ୍ତିମାନ ଭାଙ୍ଗିବ ନାହିଁ ବୋଲି ସେ ଆଶା ପ୍ରକ‌ାଶ କରିଛନ୍ତି। ମୁଁ କହିବି ଧୋନିଙ୍କ ଗୋଟିଏ କୀର୍ତ୍ତିମାନ ସବୁଦିନ ପାଇଁ ଅତୁଟ ରହିବାକୁ ଯାଉଛି। ତାହା ହେଉଛି ଧୋନିଙ୍କ ତିନିଟି ଆଇସିସି ଟ୍ରଫି। ଅନ୍ୟ କୌଣସି ଅଧିନାୟକ ଏହି ସଫଳତା ହାସଲ କରିବାକୁ ସକ୍ଷମ ହେବେ ବୋଲି ମୁଁ କାହିଁ ଭାବିପାରୁନି। ଟି-୨୦ ବିଶ୍ୱକପ୍‌ କି ଆଇସିସି ଚାମ୍ପିଅନ୍ସ ଟ୍ରଫି ହେଉ କିମ୍ବା ୨୦୧୧ ବିଶ୍ୱକପ୍‌ ତାଙ୍କର ସର୍ବୋତ୍ତମ ସଫଳତା ବୋଲି ଗମ୍ଭୀର ଷ୍ଟାର୍‌ ସ୍ପୋର୍ଟସ ସୋ ‘କ୍ରିକେଟ୍ କନେକ୍ଟେଡ୍‌’ରେ କହିଛନ୍ତି।

ମୁଁ ଭାବୁଛି ଏହି କୀର୍ତ୍ତିମାନ ସବୁଦିନ ରହିବ। ଏଥିପାଇଁ ଏହା ଉପରେ ମୁଁ ବାଜି ଲଗାଇ ପାରିବି। ମୁଁ ଭାବୁଛି ୧୦୦ ଶତକ ଏବଂ ରୋହିତ ଶର୍ମାଙ୍କ ଦ୍ବିଶତକ କୀର୍ତ୍ତିମାନ ଭାଙ୍ଗିପାରିବ। କିନ୍ତୁ ଭବିଷ୍ୟତରେ କୌଣସି ଭାରତୀୟ ଅଧିନାୟକ ତିନିଟି ଆଇସିସି ଟ୍ରଫି ହାସଲ କରିବାକୁ ସକ୍ଷମ ହେବେ ତାହା ମୋ ମନରେ ଆସୁନି। ତେଣୁ ଧୋନି ସବୁଦିନ ପାଇଁ ଏହି କୀର୍ତ୍ତିମାନ ସହ ରହିବାକୁ ଯାଉଛନ୍ତି ବୋଲି ଗମ୍ଭୀର କହିଛନ୍ତି।

ସମ୍ବନ୍ଧିତ ଖବର