ରକ୍ତ ବଦଳାଇ ନିଲମ୍ବିତ ହେଲେ ମାରାଥନ୍‌ ଧାବକ ଆବାସି

ଟୋକିଓ: ନିଜ ରକ୍ତକୁ ଲୁକ୍କାୟିତ ଭାବେ ବଦଳାଇବା ବାହାରିନ୍‌ ମାରାଥନ୍‌ ଧାବକ ଏଲ୍‌ ଆବାସିଙ୍କ ପାଇଁ ଅଡୁଆ ହୋଇଛି। ଚଳିତ ମାସରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସ ବେଳେ ତାଙ୍କଠୁ ସଂଗୃହୀତ ରକ୍ତ ନମୁନା ପରୀକ୍ଷା ପରେ ଏହା ଧରାପଡ଼ିବାରୁ ଆବାସିଙ୍କୁ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ଅସ୍ଥାୟୀ ଭା‌ବେ ନିଲମ୍ବିତ କରିଛି। ୩୭ ବର୍ଷ ବୟସ୍କ ଆବାସିଙ୍କ ନମୁନା ଅଗଷ୍ଟ ୮ ତାରିଖ ଦିନ ସାପୋରୋରେ ଅଲିମ୍ପିକ୍‌ ମାରାଥନ୍‌ ଶେଷ ହେବା ପରେ ହିଁ ସଂଗୃହୀତ ହୋଇଥିଲା। ଆବାସି ଅଲିମ୍ପିକ୍‌ ରେସ୍‌କୁ ୨:୧୫:୫୬ ସେକେଣ୍ଡ୍‌ ସମୟରେ ଶେଷ କରି ୨୫ତମ ସ୍ଥାନ ପାଇଥିଲେ। ସେ ଶକ୍ତି ବଢ଼ାଇବା ଉଦ୍ଦେଶ୍ୟରେ ନିଜ ରକ୍ତ ବର୍ଗର ଅନ୍ୟ ଜଣଙ୍କଠାରୁ ଗୋପନରେ ରକ୍ତ ବଦଳ କରିଥିଲେ। ଏହି ସଂଗୃହୀତ ନମୁନାର ପରୀକ୍ଷା ରିପୋର୍ଟ ଅଗଷ୍ଟ ୧୫ ତାରିଖରେ ଆସିଥିଲା। ସେଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନିଲମ୍ବିତ କରାଯାଇଛି। ତଥାପି ‘ବି’ ନମୁନା ପରୀକ୍ଷଣ ପାଇଁ ତାଙ୍କୁ ସୁଯୋଗ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସ ବେଳେ ସମାନ ଅପରାଧ ପାଇଁ ବାହାରିନ୍‌ର ୧୫୦୦ ମିଟର ଧାବକ ଅଲ୍‌ସାଦିକ୍‌ ମିଖୋଉ ମଧ୍ୟ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଥିଲେ।

ଏଠାରେ ସୂଚନାଯୋଗ୍ୟ, ଏବେ ନିଲମ୍ବିତ ହୋଇଥିବା ଆବାସି ୨୦୧୪ ଇଞ୍ଚିଅନ୍‌ (ଦକ୍ଷିଣ କୋରିଆ) ଏସୀୟ କ୍ରୀଡ଼ାରେ ୧୦,୦୦୦ ମିଟର ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୨୦୧୮ ଜାକର୍ତା (ଇଣ୍ଡୋନେସିଆ) କ୍ରୀଡ଼ାରେ ମାରାଥନ୍‌ ରୌପ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର