ମେରି ମିରାକଲ୍

ମହିଳା କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ଆଧିପତ୍ୟ. ପୁଣି ଚେନ୍ନାଇ ଚମକ

ତିନିଟି ସନ୍ତାନର ମା’ ହେବା ପରେ ମଧ୍ୟ ମଣିପୁରର ମହାନ ତାରକା ଏମସି ମେରିକମ୍ ମହିଳା ମୁଷ୍ଟିଯୁଦ୍ଧରେ ପୁଣି ଥରେ ନିଜ ଯାଦୁ ଦେଖାଇଥିଲେ। ୨୦୧୮ରେ ମେରି ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ସହ ଲାଇଟ୍‌ ଫ୍ଲଏୱେଟରେ ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ବ ବିଜୟିନୀ ହେବାର ଗୌରବ ମଣ୍ଡନ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ମେରି ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା ତାଙ୍କର ପରବର୍ତୀ ଲକ୍ଷ୍ୟ ବୋଲି ଏହି ଅବସରରେ ଘୋଷଣା କରିଥିଲେ। ପାରିବାରିକ ଜଞ୍ଜାଳ ସତ୍ତ୍ବେ ଏକାଗ୍ରତା ଏବଂ ଇଚ୍ଛାଶକ୍ତି ଥିଲେ ମହିଳାମାନେ କିଛି ବି କରି ପାରିବେ ବୋଲି ସେ ନିଜ ବିଶ୍ବ ଟ୍ରଫିରୁ ପ୍ରମାଣ କରି ଦେଇଥିଲେ। ମେରିଙ୍କ ମିରାକଲ୍ କୋଟି କୋଟି ଭାରତୀୟ ମହିଳାଙ୍କ ପାଇଁ ପ୍ରେରଣାର ବଳିଷ୍ଠ ଉଦାହରଣ ପାଲଟିଥିଲା।

ମହିଳା କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ଆଧିପତ୍ୟ

ଇଂଲଣ୍ଡରେ ୧୦ ଦଳକୁ ନେଇ ଆୟୋଜିତ ହୋଇଥିଲା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଷଷ୍ଠ ସଂସ୍କରଣ। ୨୩ ମ୍ୟାଚ୍ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ଚତୁର୍ଥ ଥର ପାଇଁ ବିଶ୍ବକପ୍ ଜିତିଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳିଥିବା ଭାରତ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲ ଯାଇଥିଲା। ହେଲେ ସେମିଫାଇନାଲରେ ଇଂଲଣ୍ଡଠାରୁ ୮ ୱିକେଟ୍‌ରେ ହାରି ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ଅଭିଜ୍ଞ ତାରକା ମିତାଲି ରାଜଙ୍କୁ ଏହି ମ୍ୟାଚ୍‌ରେ ନଖେଳାଇବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏଥିନେଇ ଏକ ବଡ଼ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା।

ପୁଣି ଚେନ୍ନାଇ ଚମକ

ଦୁଇ ବର୍ଷର ବନବାସ ପରେ ଆଇପିଏଲ୍‌କୁ ପୁଣି ଥରେ ଫେରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଏଥର ବି କମାଲ କରିଥିଲା ସୁପରକିଙ୍ଗ୍ସ। ୧୬ ମ୍ୟାଚ୍ ଖେଳି ୧୧ ବିଜୟ ଏବଂ ୫ ପରାଜୟ ପାଇଥିଲା ଚେନ୍ନାଇ। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଆୟୋଜିତ ଫାଇନାଲରେ ଗତବର୍ଷର ବିଜେତା ସନରାଇଜର୍ସ ହାଇଦ୍ରାବାଦକୁ ରୋମାଞ୍ଚକର ଭାବେ ୩ ରନ୍‌ରେ ହରାଇ ତୃତୀୟ ଥର ପାଇଁ ଆଇପିଏଲ୍ ବିଜେତା‌ ହେବାର ଗୌରବ ଅର୍ଜନ କରିଥିଲା। ତା’ ସହ ଆଇପିଏଲ ଇତିହାସର ସଫଳତମ ଦଳର ମୁକୁଟ ମଧ୍ୟ ଚେନ୍ନାଇ ପିନ୍ଧିଥିଲା। ଆଇପିଏଲ୍-୧୮ରେ କେକେଆରର ସୁନୀଲ ନରିନ (୩୫୭ ରନ୍, ୧୭ ୱିକେଟ୍) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସନରାଇଜର୍ସର କେନ୍ ୱିଲିୟମସନ୍ (୭୩୫) ସର୍ବାଧିକ ରନ୍ କରିଥିଲେ। କିଙ୍ଗ୍ସ ଏକାଦଶ ପଞ୍ଜାବର ଆଣ୍ଡ୍ର୍ୟୁ ଟାଏ (୨୪) ସର୍ବାଧିକ ୱିକେଟ୍ ଅମଳ କରିଥିଲେ। ଏବର୍ଷର ଆଇପିଏଲ୍ ନିଲାମରେ ଅପରିଚିତ ତାମିଲନାଡୁ ଖେଳାଳି ବରୁଣ ଚକ୍ରବର୍ତୀ ୮.୪ କୋଟି ଟଙ୍କାରେ ବିକ୍ରି ହେବା ଭାରତୀୟ କ୍ରୀଡ଼ା ଦୁନିଆରେ ଧମାକା ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର