ମେରି କମ୍‌ଙ୍କୁ ପଞ୍ଚମ ଏସୀୟ ସ୍ୱର୍ଣ୍ଣ

ହୋ ଚି ମିନ୍‌ ସିଟି (ଭିଏତ୍‌ନାମ): ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍‌ସି ମେରିକମ୍‌ ବୁଧବାର ନିଜର ପଞ୍ଚମ ଏସୀୟ ସ୍ୱର୍ଣ୍ଣ ପଦକ ହାସଲ କରିନେଇଛନ୍ତି। ପୂର୍ବରୁ ୫ ବର୍ଷ ଧରି ମେରି କମ୍‌ ୫୧ କେଜି ବର୍ଗରେ ଲଢ଼ି ୪ ଥର ସ୍ୱର୍ଣ୍ଣ ଜିତିଥିଲା ବେଳେ ପ୍ରଥମ ଥର ଲାଗି ୪୮ କେଜି ବର୍ଗରେ ଲଢ଼ି ପ୍ରଥମ ଏସୀୟ ସ୍ୱର୍ଣ୍ଣ କରାୟତ କରିଛନ୍ତି। ବୁଧବାର ଏଠାରେ ଚାଲିଥିବା ଏସୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତୀୟ ଯୋଦ୍ଧା ମେରି କମ୍‌ ୫-୦ରେ କୋରିଆ ପ୍ରତିଦ୍ୱନ୍ଦ୍ୱୀ କିମ୍‌ ହ୍ୟାଙ୍ଗ୍‌ ମି’ଙ୍କୁ ପରାସ୍ତ କରିଦେଇଛନ୍ତି। ଏହା ମଧ୍ୟ ୨୦୧୪ ଏସୀୟ କ୍ରୀଡ଼ା ପରେ ମେରି କମ୍‌ଙ୍କ ପାଇଁ ଏହା ପ୍ରଥମ ଆନ୍ତର୍ଜାତିକ ସ୍ୱର୍ଣ୍ଣ ପଦକ ହୋଇଥିଲା ବେଳେ ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ପଦକ। ଏଥିପାଇଁ ଅବଶ୍ୟ ମେରି କମ୍‌ ତାଙ୍କୁ ପ୍ରଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି। ଗତ କିଛି ମାସ ଧରି ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ହିଁ ତାଙ୍କୁ ସ୍ୱର୍ଣ୍ଣ ପଦକ ଜିତିବାରେ ସହାୟକ ହେଲା ବୋଲି ମେରି କମ୍‌ କହିଛନ୍ତି।

ଚଳିତ ଏସୀୟ ମୁଷ୍ଟିଯୁଦ୍ଧରେ ମେରି କମ୍‌ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ବିଶ୍ୱ ପ୍ରତିଯୋଗିତାର ରୌପ୍ୟ ବିଜୟିନୀ ସୋନିଆ ଲାଥେର୍‌ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଛନ୍ତି। ୫୭ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୋନିଆ ବୁଧବାର ଫାଇନାଲ୍‌ରେ ଚୀନ୍‌ର ୟିନ୍‌ ଜୁନ୍‌ହୁଆଙ୍କ ନିକଟରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। କ୍ୱାର୍ଟର ଫାଇନାଲ୍‌ରେ ମୋଟ ୭ ଭାରତୀୟ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ସେମିଫାଇନାଲ୍‌ରେ ହାରି କାଂସ୍ୟରେ ଅଭିଯାନ ଶେଷ କରିଥିଲେ। ୨ ଜଣ (ମେରି କମ୍‌ ଓ ସୋନିଆ) କେବଳ ସେମିଫାଇନାଲ୍‌ ଜିତି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ସେଥିରୁ ମେରି କମ୍‌ ସ୍ୱର୍ଣ୍ଣ ଓ ସୋନିଆ ରୌପ୍ୟ ଜିତିଥିଲେ। ଫଳରେ ଏସୀୟ ମୁଷ୍ଟିଯୁଦ୍ଧରେ ଭାରତ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୭ ପଦକ ହାସଲ କଲା।

ସମ୍ବନ୍ଧିତ ଖବର