ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ତାମିଲନାଡୁ

କଟକ: ଗୁରୁବାରଠୁ ରଣଜୀ ଟ୍ରଫିର ପଞ୍ଚମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବ। ହେଲେ ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ଓ ତାମିଲନାଡ଼ୁ ପରସ୍ପରକୁ ଭେଟିବେ। ଏହା ଉଭୟ ଓଡ଼ିଶା ଓ ତାମିଲନାଡୁର ଚତୁର୍ଥ ମ୍ୟାଚ୍‌ ହେବ। ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ଥିବା ତାମିଲନାଡ଼ୁ ଏହି ମ୍ୟାଚ୍‌ ଜିତି ନକ୍‌ଆଉଟ ପର୍ଯ୍ୟାୟ ଯିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ମାତ୍ର ୨ ପଏଣ୍ଟରେ ଥିବା ଓଡ଼ିଶାକୁ ଗ୍ରୁପ୍‌ରେ ରହିବାକୁ ହେଲେ ଏହି ମ୍ୟାଚ୍‌ରୁ ଅଧିକ ପଏଣ୍ଟ ସଂଗ୍ରହ କରିବାକୁ ପଡ଼ିବ। ଏଥିପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନର ସୂଚନା ମିଳିଛି। ଆଲୋକ ସାହୁ ଓ ରାଜେଶ ଧୂପର ତାମିଲନାଡୁ ବିପକ୍ଷ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ। ହେଲେ ବୁଧବାର ଓଡ଼ିଶା ଶିବିରକୁ ଆଉ ଏକ ବଡ଼ ଖବର ଚିନ୍ତାରେ ପକାଇଛି। ଭାରତୀୟ ଟେଷ୍ଟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମୂରଲୀ ବିଜୟ ଏହି ମ୍ୟାଚ୍‌ ଖେଳିବା ପାଇଁ କଟକରେ ପହଞ୍ଚିଛନ୍ତି। ଗୁରୁବାର ମ୍ୟାଚ୍‌ରେ ତାମିଲନାଡ଼ୁ ପାଳି ଆରମ୍ଭ ଦାୟିତ୍ୱ ବିଜୟଙ୍କ ଉପରେ ରହିବ। ଏନେଇ ଦଳ ପକ୍ଷରୁ ମଧ୍ୟ ସୂଚନା ଦିଆସରିଛି।
ମୂରଲୀ ବିଜୟ ମାତ୍ର ଦୁଇଟି ରଣଜୀ ମ୍ୟାଚ୍‌ ଖେଳିସାରିଛନ୍ତି। ସେ ମୋଟ ୭୦ ରନ୍‌ କରିଥିଲା ବେଳେ ତାଙ୍କର ସର୍ବାଧିକ ରନ୍‌ ହେଉଛି ୫୫ (ବନାମ ଆନ୍ଧ୍ରପ୍ରଦେଶ)। ମୁମ୍ବାଇ ବିପକ୍ଷରେ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ବିଜୟ। ଯଦିଓ ବିଜୟଙ୍କ ପ୍ରଦର୍ଶନ ଚିନ୍ତାଜନକ ନୁହେଁ, ତଥାପି ଭାରତୀୟ ଦଳର ସଦ୍ୟ ଖେଳାଳିଙ୍କୁ ହାଲ୍‌କା ଭାବେ ଗଣନା କରିବା ମଧ୍ୟ ବୋକାମି ହେବ। ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରିବାକୁ ହେବ। ପୂର୍ବ ମ୍ୟାଚ୍‌ ଭିଡିଓ ଦେଖିବା ପରେ ଓଡ଼ିଶା ଖେଳାଳିମାନେ ନିଜର ତ୍ରୁଟି ସୁଧାରିବାକୁ ଅଧିକ ପରିଶ୍ରମ କରିଛନ୍ତି। ତେଣୁ ପ୍ରାଥମିକ ପରିବର୍ତ୍ତନ ଭାବେ ଦଳର ପ୍ରାରମ୍ଭିକ ଯୋଡ଼ିକୁ ବଦଳାଇବା ଉଚିତ୍‌ ବୋଲି ମତପ୍ରକାଶ ପାଉଛି। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ଦଳରେ ଏଥର ପ୍ରାରମ୍ଭିକ ଯୋଡ଼ିକୁ ନେଇ କୌଣସି ପରୀକ୍ଷା କରାଯିବ ନାହିଁ। କେବଳ ସୌରଭ ରାଓ୍ଵତଙ୍କ ସ୍ଥାନରେ ରାଜେଶ ଧୂପର ଓ ଦୀପକ ବେହେରାଙ୍କ ସ୍ଥାନରେ ଆଲୋକ ସାହୁଙ୍କୁ ଦଳରେ ନିଆଯିବ ବୋଲି ଜଣାପଡ଼ିଛି।
ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଅବିନାଶ ସାହା, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର, ରଂଜିତ ସିଂହ, ଧୀରାଜ ସିଂହ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଦୀପକ ବେହେରା।

ତାମିଲନାଡ଼ୁ ଦଳ: ଅଭିନବ ମୁକୁନ୍ଦ (ଅଧିନାୟକ), ବାବା ଇନ୍ଦ୍ରଜିତ, ମୂରଲୀ ବିଜୟ, ଏମ୍‌.କୌଶିକ ଗାନ୍ଧୀ, ବାବା ଅପରିଜିତ, ବିଜୟ ଶଙ୍କର, ଏନ୍‌.ଜଗଦୀଶାନ, ଓ୍ଵାସିଙ୍ଗଟନ୍‌ ସୁନ୍ଦର, ଆର୍‌. ସାଇକିଶୋର, ରାହିଲ ସାହା, କେ. ବିଘ୍ନେଶ, ୟୋ ମହେଶ, ଏଲ୍‌. ବିଘ୍ନେଶ, ଆର୍‌.ରୋହିତ, ଗଙ୍ଗା ଶ୍ରୀଧର ରାଜୁ, ମାଲୋଲାନ୍‌ ରଙ୍ଗରାଜନ, ଭି.ଲକ୍ଷ୍ମଣ।

ଓଡ଼ିଶାକୁ ଅଧିକ ପଏଣ୍ଟ ନେବାରୁ ରୋକିବୁ: ଅଭିନବ ମୁକୁନ୍ଦ

ମୁମ୍ବାଇ ସହିତ ଖେଳିଥିବା ଧାରା ଓଡ଼ିଶା ଜାରି ରଖିବାକୁ ଚାହିଁବ। ପୂର୍ବ ମ୍ୟାଚ୍‌ରୁ ଖେଳାଳିମାନେ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ତେଣୁ ଓଡ଼ିଶାକୁ ନିଜ ମାଟିରେ ଅଧିକ ପଏଣ୍ଟ ନଦେବାକୁ ଆମେ ପୂର୍ଣ୍ଣ ମାତ୍ରାରେ ଚେଷ୍ଟା କରିବୁ ବୋଲି ତାମିଲନାଡ଼ୁ ଅଧିନାୟକ ଅଭିନବ ମୁକୁନ୍ଦ କହିଛନ୍ତି। ଅଶ୍ୱିନ, କାର୍ତ୍ତିକ ଦଳରେ ନଥିଲେ ବି କିଛି ଚିନ୍ତା ନାହିଁ। କାରଣ ଅଶ୍ୱିନ ଦୀର୍ଘ ଦିନ ଧରି ଦଳରେ ଖେଳୁନଥିଲେ। କାର୍ତ୍ତିକ ମଧ୍ୟ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଛନ୍ତି। ତେଣୁ ଏହି ଦୁଇଜଣ ଜାତୀୟ ଦଳକୁ ଚାଲିଯାଇଥିବାରୁ ତାଙ୍କ ସ୍ଥାନ ପୂରଣ କରାଯାଇଛି। ମୂରଲୀ ବିଜୟ ଦଳରେ ଯୋଗଦେବାକୁ ଯାଉଛନ୍ତି। ତେଣୁ ନିଜ ସାମର୍ଥ୍ୟ ଅନୁଯାୟୀ ମ୍ୟାଚ୍‌ ଖେଳିବୁ। ଗତ ଋତୁରେ ଆମେ ଏଠାରେ ଦିନିକିଆ ମ୍ୟାଚ୍‌ ଖେଳିଛୁ। ଏଠାକାର ପିଚ୍‌ ଓ ପଡ଼ିଆକୁ ସମସ୍ତେ ଭଲଭାବେ ଜାଣିଛନ୍ତି। ଏବେ ପାଗ ମଧ୍ୟ ଭଲ ରହିଛି। ତେଣୁ ଏକ ଭଲ ସଂଘର୍ଷ ଦେଖିବାକୁ ମିଳିବ ବୋଲି ମୁକୁନ୍ଦ କହିଛନ୍ତି।

ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ: ଶିବସୁନ୍ଦର

ଚଳିତ ଋତୁରେ ଓଡ଼ିଶା ଅଧିକ ଅଭ୍ୟାସ ମ୍ୟାଚ୍‌ ଖେଳିନାହିଁ। ମାତ୍ର କିଛି ଦିନର ଅଭ୍ୟାସ ଶିବିର ସହାୟତାରେ ଆମେ ରଣଜୀ ଖେଳୁଛୁ। ତେଣୁ ଗତ ତିନି ମ୍ୟାଚ୍‌ରେ ଆମ ଖେଳାଳିମାନେ ଯେପରି ଭାବେ ସଂଘର୍ଷ କରିଆସୁଛନ୍ତି ସେଥିରେ ମୁଁ ସନ୍ତୁଷ୍ଟ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଶିବସୁନ୍ଦର ଦାସ କହିଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ଖେଳାଳିମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସୁଛି। ତେବେ ସ୍ଥିର ପ୍ରଦର୍ଶନ ଦେବା ଆବଶ୍ୟକ ରହିଛି। ପ୍ରାରମ୍ଭିକ ଯୋଡ଼ି ଅଧିକ ରନ୍‌ କରିପାରିଲେ ବଡ଼ ସ୍କୋର କରିହେବ। ହେଲେ ସେଥିରେ ସେମାନେ ବିଫଳ ହେଉଥିବାରୁ ତାଙ୍କୁ ଅଧିକ ଉତ୍ସାହିତ କରାଯାଉଛି। ତାମିଲନାଡ଼ୁ ବିପକ୍ଷରେ ମଧ୍ୟ ସମସ୍ତେ ଭଲ ଖେଳିବେ ବୋଲି ଶିବସୁନ୍ଦର କହିଛନ୍ତି।

 

ସମ୍ବନ୍ଧିତ ଖବର