ମିନର୍ଭା ମାଲିକ ବର୍ଷେ ବାସନ୍ଦ

କୋଲକାତା: ଆଇ ଲିଗ୍‌ ଫୁଟବଲ୍‌ ପ୍ରତିଯୋଗିତାର ବିଜେତା ମିନର୍ଭା ଦଳର ମାଲିକ ରଞ୍ଜୀତ ବଜାଜଙ୍କୁ ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ବର୍ଷକ ପାଇଁ ବାସନ୍ଦ କରିବା ସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛି। ଜଣେ ରେଫରିଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିବାରୁ ଏଆଇଏଫଏଫ୍‌ ବଜାଜଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ହେଲେ ବଜାଜ ଏଭଳି ଆଚରଣ ପ୍ରଦର୍ଶନ କରିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ତିନିଥର ଭିନ୍ନ ଭିନ୍ନ ରେଫରିଙ୍କୁ ଏହିଭଳି ଆଶାଳୀନ ବ୍ୟବହାର କରିଥିଲେ। ସେଥିପାଇଁ ଏଆଇଏଫ୍‌ଏଫ୍‌ ଶୃଙ୍ଖଳା ସମିତି ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସୁପାରିସ କରିଥିଲା। ବଜାଜ ଚଳିତମାସ ୧୨ ତାରିଖରେ ସ୍ଥାନୀୟ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଖେଳା ଯାଇଥିବା ୧୮ ବର୍ଷରୁ କମ୍‌ ଯୁବଲିଗ୍‌ ମ୍ୟାଚ୍‌ ବେଳେ ରେଫରି ନେସେମାକେ ମାଉଥୋଙ୍କୁ ଅପମାନ ଦେଇଥିଲେ। ଉତ୍ତରପୂର୍ବ ରାଜ୍ୟର ହୋଇଥିବାରୁ ତାଙ୍କ ଜାତି ଏବଂ ବର୍ଣ୍ଣ ନେଇ କଟୁକ୍ତି ପ୍ରକାଶ କରିଥିଲେ। ବାସନ୍ଦାଦେଶ ସମୟରେ ସେ କୌଣସି ଫୁଟବଲ୍‌ ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ ବୋଲି ଏଆଇଏଫ୍‌ଏଫ୍‌ ସ୍ପଷ୍ଟ କରି ଦେଇଛି।

ସମ୍ବନ୍ଧିତ ଖବର