ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାବିତ୍‌ଙ୍କୁ ମୋଦୀଙ୍କ ପ୍ରଶଂସା, ସମର୍ଥନ ଦେବାକୁ ଦେଶବାସୀଙ୍କୁ ଆହ୍ବାନ

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଖେଳାଳି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉଚ୍ଚ ପ୍ରଶଂସା କରିବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସେମାନଙ୍କ ବର୍ଷ ବର୍ଷର ସଂଘର୍ଷମୟ ଯାତ୍ରାକୁ ସମ୍ମାନ ଜଣାଇ ଦେଶବାସୀମାନେ ଖେଳାଳିଙ୍କୁ ବିପୁଳ ସମର୍ଥନ ଦେବାକୁ ମଧ୍ୟ ମୋଦୀ ଆହ୍ବାନ ଦେଇଛନ୍ତି। ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଅବସରରେ ମୋଦୀ ଏକଥା କହିଛନ୍ତି। ଜାପାନୀ ସହର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଆ‌ୟୋଜିତ ହେବାକୁ ଯାଉଛି। ବିଶ୍ବର ଏହି ବୃହତ୍‌ କ୍ରୀଡ଼ା ମହୋତ୍ସବ ଲାଗି ଭାରତରୁ ୧୦୦ରୁ ଊର୍ଧ୍ବ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି।

‘ଟୋକିଓ ଯାଉଥିବା ପ୍ରତି ଖେଳାଳି ନିଜ ନିଜ ଉତ୍‌ଥାନ ଓ ପତନ ଭିତରେ ସଂଘର୍ଷ କରିଛନ୍ତି। ସେମାନେ କେବଳ ନିଜ ପାଇଁ ଯାଉନାହାନ୍ତି, ଦେଶ ପାଇଁ ଯାଉଛନ୍ତି’ ବୋଲି ମୋଦୀ ଭାବବିହ୍ବଳ ସ୍ବରରେ କହିଥିଲେ। ଏହି ଖେଳାଳିମାନେ ଭାରତର ଗୌରବକୁ ବଢ଼ାଇଛନ୍ତି, ଲୋକଙ୍କ ହୃଦୟ ଜିତିଛନ୍ତି। ସେଥିପାଇଁ ଦେଶବାସୀଙ୍କୁ ମୁଁ ଅନୁରୋଧ କରିବି ଜାଣତରେ ହେଉ କି ଅଜ୍ଞାତରେ କେହି ସେମାନଙ୍କୁ ଚାପଗ୍ରସ୍ତ କରନ୍ତୁ ନାହିଁ। ଖୋଲା ମନରେ ସେମାନଙ୍କୁ ସମର୍ଥନ କରନ୍ତୁ ଏବଂ ପ୍ରତି ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଭାରତର ଶ୍ରେଷ୍ଠ ଅଲିମ୍ପିକ୍ସ ପ୍ରଦର୍ଶନ ୨୦୧୨ ଲଣ୍ଡନ୍ ସଂସ୍କରଣରୁ ମିଳିଥିଲା। ଦେଶକୁ ୨ ରୌପ୍ୟ ସହ ଗୋଟିଏ ସଂସ୍କରଣରୁ ସର୍ବାଧିକ ୬ ପଦକ ମିଳିଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତ ମାତ୍ର ୨ଟି କାଂସ୍ୟ ଜିତିପାରିଥିଲା।

ରବିବାରର ଉଦ୍‌ବୋଧନ ବେଳେ ମୋଦୀ ମଧ୍ୟ ସଦ୍ୟ ପରଲୋକ ଗମନ କରିଥିବା କିଂବଦନ୍ତି ଧାବକ ମିଲଖା ସିଂହଙ୍କ ସହ ଶେଷ ଆଲୋଚନାକୁ ମନେ ପକାଇଥିଲେ। ‘କିଛି ଦିନ ତଳେ କରୋନା ଆମ ନିକଟରୁ କିଂବଦନ୍ତି ଧାବକ ମିଲଖା ସିଂହଙ୍କୁ ଛଡ଼ାଇ ନେଲା। ହସ୍‌ପିଟାଲରେ ଥିବାବେଳେ ମୁଁ ତାଙ୍କ ସହ କଥା ହେବାର ସୌଭାଗ୍ୟ ପାଇଥିଲି। ୧୯୬୪ ଟୋକିଓ ଅଲିମ୍ପିକ୍ସ ଅଭିଜ୍ଞତାରୁ ଏଥର ଟୋକିଓ ଅଭିମୁଖେ ଯାଉଥିବା ଖେଳାଳିଙ୍କୁ ନିଜ ବାର୍ତ୍ତା ଜରିଆରେ ପ୍ରେରିତ କରିବେ ବୋଲି ଅନୁରୋଧ ବି କରିଥିଲି। ସେ କ୍ରୀଡ଼ା ପ୍ରତି ଏତେ ସଙ୍କଳ୍ପବଦ୍ଧ ଥିଲେ ଯେ ଅସୁସ୍ଥତା ‌ସତ୍ତ୍ବେ ତୁରନ୍ତ କଥା ଦେଇଥିଲେ।

ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ହକି ଖେଳାଳି ନେହା ଗୋଏଲ, ମୁଷ୍ଟିଯୋଦ୍ଧା ମନୀଷ କୌଶିକ, ରେସ୍ ୱାକର୍‌ ପ୍ରିୟଙ୍କା ଗୋସ୍ବାମୀ, ଜାଭଲିନ୍‌ ଥ୍ରୋୟର ଶିବପାଲ୍‌ ସିଂହ, ବ୍ୟାଡମିଣ୍ଟନ୍‌ ଖେଳାଳି ଚିରାଗ ସେଟ୍ଟୀ, ସାତ୍ତ୍ବିକରାଜ ରାଙ୍କିରେଡ୍ଡୀ ଏବଂ ଅସିଚାଳକ ସିଏ ଭବାନୀ ଦେବୀ ପ୍ରମୁଖଙ୍କ ସଂଘର୍ଷମୟ ଯାତ୍ରାର ଉଦାହରଣ ବି ଦେଇଥିଲେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ‌କ୍ରୀଡ଼ାବିତ୍‌ମାନେ ସାଧାରଣତଃ ଛୋଟ ସହର ଓ ଗାଁରୁ ଆସିଥା’ନ୍ତି। ଏଥର ମଧ୍ୟ ଟୋକିଓ ଯାଉଥିବା ଏଭଳି ବହୁ ଖେଳାଳିଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଖେଳାଳି

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହଭରା ବାର୍ତ୍ତା ତଥା ପ୍ରେରଣା ଯୋଗାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଖେଳାଳିମାନେ। ଭାରତର ୧୦୦ରୁ ଉର୍ଧ୍ବ କ୍ରୀଡ଼ାବିତ୍‌ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଏହି ସଂଖ୍ୟା ୧୨୦ରୁ ୧୩୦ ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି। ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତ୍ତାରେ ନିର୍ଦ୍ଧିଷ୍ଟ ଭାବେ କେତେକ ଖେଳାଳିଙ୍କ ନାମ ମଧ୍ୟ ନେଇଥିଲେ। ପ୍ରଥମ ଭାରତୀୟ ଅସିଚାଳିକା ଭାବେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଭବାନୀ ଦେବୀ ଏବଂ ପାରିବାରିକ ପରମ୍ପରାକୁ ଆଗକୁ ନେଇଥିବା ଜାଭଲିନ୍‌ ଫିଙ୍ଗାଳି ଶିବପାଲ୍ ସିଂହଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଶିବପାଲ୍‌ ସିଂହ, ଚିରାଗ ସେଟ୍ଟୀ, ସାତ୍ତ୍ବିକ ସାଇରାଜ, ଭବାନୀ ଦେବୀଙ୍କ ସହ ବହୁ ଖେଳାଳି ରବିବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜ ଟ୍ବିଟର୍ ହ୍ୟାଣ୍ଡଲ୍ ଜରିଆରେ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର