କରୋନା ମୁକାବିଲାରେ ଗୁରୁପ୍ରସାଦଙ୍କ କର୍ତ୍ତବ୍ୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କ କୋଭିଡ୍ ମୁକାବିଲାରେ ତାଙ୍କର କାମ ପ୍ରତି ଥିବା ନିଷ୍ଠା, କର୍ତବ୍ୟ ଓ ପ୍ରତିବଦ୍ଧତାର ସ୍ମୃତିଚାରଣ କରି ତାଙ୍କୁ ଠିକ୍ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ନିଜ ସହଯୋଗୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ପରେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ସୁପୁତ୍ର ଓ ଭାରତ ସରକାରରେ ସଚିବ ରହିଥିବା ସ୍ୱର୍ଗତ ମହାପାତ୍ରଙ୍କ ଭଳି କର୍ମଯୋଗୀଙ୍କ କଥା ଉଲ୍ଲେଖ କରିବା ସମସ୍ତଙ୍କୁ ଗୌରବାନ୍ୱିତ କରିଛି । ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ମଧ୍ୟ ନିଷ୍ଠାର ସହ ଦେଶବାସୀଙ୍କୁ ଅକ୍ସିଜେନ୍ ପହଞ୍ଚାଇବାରେ ତାଙ୍କର କାର୍ଯ୍ୟ ଅତୁଳନୀୟ। କରୋନା ବିରୋଧୀ ଲଢ଼େଇରେ ଶାସନ, ପ୍ରଶାସନ, ଡାକ୍ତର ଏବଂ ଅନ୍ୟ ସମସ୍ତ ଲୋକ ନିଜ ନିଜ ସ୍ତରରେ ଉଚିତ ଭୂମିକା ନିର୍ବାହ କରିଛନ୍ତି । ଗୁରୁ ପ୍ରସାଦ ମହାପାତ୍ରଙ୍କ ଭଳି ଅନେକ କରୋନା ଯୋଦ୍ଧା ଆମ ମଧ୍ୟରେ ନାହାନ୍ତି ସତ, କିନ୍ତୁ ତାଙ୍କର କର୍ତବ୍ୟନିଷ୍ଠା ଏବଂ ସମାଜ ପ୍ରତି ସମର୍ପଣ ଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ। ଆମେ ସମସ୍ତେ କୋଭିଡ୍ ନିୟମ ମାନିବା ସହ ଟିକା ନେବା ହିଁ ସ୍ୱର୍ଗତ ମହାପାତ୍ରଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ।

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶରେ କାର୍ଯ୍ୟକାରୀ ହେଉଥିବା ମାଗଣା ଟିକାକରଣ ଅଭିଯାନ, କରୋନା ଲଢ଼େଇରେ ହାସଲ କରାଯାଇଥିବା ଉପଲବ୍ଧି ଏବଂ ଟିକାକୁ ନେଇ ହେଉଥିବା ଅପପ୍ରଚାର ଉପରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି। ଏହା ଟିକା ଦ୍ୱନ୍ଦ୍ବ, ଭ୍ରମ ତଥା ଅପପ୍ରଚାରକୁ ବନ୍ଦ କରିବା ସହ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର