ଧୋନିଙ୍କୁ ଝୁରୁଛନ୍ତି ଭାରତୀୟ ଖେଳାଳି: ସାମି

ନୂଆଦିଲ୍ଲୀ : ଦ୍ରୁତ ବୋଲର ମହମ୍ମଦ ସାମି ସମସ୍ତ ଫର୍ମାଟ୍‌ରେ ଭାରତୀୟ ଦ୍ରୁତ ବୋଲିଂ ବାହୀନିର ଜଣେ ନିୟମିତ ସଦସ୍ୟ। ବିରାଟ କୋହଲିଙ୍କ ନେତୃତ୍ବରେ ଖେଳୁଥିଲା ବେଳେ ଗତ ଦୁଇ ବର୍ଷ ଧରି ସେ ପୂରା ଫିଟ୍‌ନେସ୍‌ ବଜାୟ ରଖିଛନ୍ତି। ଏପରିକି ତାଙ୍କୁ ଏବେ ‘ଦ୍ବିତୀୟ ପାଳି ସାମି’ ବୋଲି ଆଖ୍ୟା ଦିଆଯାଉଛି। ଏହାର କାରଣ ହେଲା ସେ କୌଣସି ଟେଷ୍ଟ୍‌ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ହିଁ ପ୍ରତିପକ୍ଷ ପାଇଁ ଘାତକ ସାବ୍ୟସ୍ତ ହେଉଛନ୍ତି ଏବଂ ୱିକେଟ୍‌ ଦଖଲର ସାମର୍ଥ୍ୟ ରଖୁଛନ୍ତି। କିନ୍ତୁ ଏହି ଦ୍ରୁତ ବୋଲର ଭାରତୀୟ ଦଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ହିଁ ଆନ୍ତର୍ଜାତିକ ଖେଳ ଜୀବନ ଆରମ୍ଭ କରିଥିଲେ। ଧୋନିଙ୍କୁ ସେ ଖୁବ୍‌ ଭଲପାଆନ୍ତି। ହେଲେ ଧୋନି ଏବେ ଗତ ବିଶ୍ବକପ୍‌ ସେମିଫାଇନାଲ୍‌ ପରାଜୟଠାରୁ ଦଳରେ ନାହାନ୍ତି। ମାତ୍ର ଡ୍ରେସିଂରୁମ୍‌ରେ ଧୋନିଙ୍କ ଅନୁପସ୍ଥିତିକୁ ଭାରତୀୟ ଦଳର ଖେଳାଳିମାନେ ଝୁରୁଛନ୍ତି ବୋଲି ନିକଟରେ ରୋହିତ ଜୁଗ୍‌ଲାନ୍‌ଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ବାର୍ତାଳାପ ବେଳେ କହିଛନ୍ତି ସାମି।

ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)କୁ ଛାଡ଼ି କ୍ରିକେଟ୍‌ର ଅନ୍ୟ ସବୁ ଫର୍ମାଟ୍‌ରେ ମୁଁ ଧୋନିଙ୍କ ନେତୃତ୍ବରେ ଖେଳିଥିଲି। ତାଙ୍କ ମାର୍ଗଦର୍ଶନକୁ ମୁଁ ସମ୍ମାନ ଦେଉଥିଲି। ସେ ମଧ୍ୟ ସବୁବେଳେ ଦଳୀୟ ସାଥୀମାନଙ୍କୁ ଉତ୍ତମ ବ୍ୟବହାର ଦେଖାଉଥିଲେ। ତେଣୁ ତୁମେ ସେ ଯେ ଏମ୍‌ଏସ୍‌ ଧୋନି ବୋଲି ଅନୁଭବ କରିପାରୁନଥିବା କହିଛନ୍ତି ସାମି। ସେ ଏଭଳି ଜଣେ ବଡ଼ ଖେଳାଳି ଯାହାଙ୍କ ସଂପର୍କରେ ମୋର ଅନେକ ସ୍ମୃତି ରହିଛି। ଏବେ ମଧ୍ୟ ଆମେ ଭାବୁଛୁ ମାହି ଭାଇ ନିଶ୍ଚୟ ଆସିବେ ଏବଂ ଆମେ ତାଙ୍କ ସହ ‌ଖେଳିବୁ ବୋଲି ସାମି ଆଶା ବ୍ୟକ୍ତ କରିଛନ୍ତି। ସେ ଆମ ସମସ୍ତଙ୍କ ସହ ଡ୍ରେସିଂ ରୁମ୍‌ରେ ବସିବେ ଏବଂ ରାତ୍ରି ଭୋଜନ କରିବେ ବୋଲି ମଧ୍ୟ ମୁଁ ଭାବୁଛି। ତାଙ୍କ ସହ ସବୁବେଳେ ଦୁଇରୁ ଚାରି ଜଣ ଲୋକ ଥାଆନ୍ତି। ଗତରାତି ପର୍ଯ୍ୟନ୍ତ ଆମେ କଥାବାର୍ତା କରୁଥିଲୁ, ହେଲେ ଧୋନିଙ୍କ ଉପସ୍ଥିତି ଅନୁଭବ କଲୁ ବୋଲି ସାମି ମନେ ପକାଇଥିଲେ।

‘ବିନା ଲାଳରେ ବି ରିଭର୍ସ ସୁଇଂ ପାଇପାରିବୁ’
ନୂଆଦିଲ୍ଲୀ : ଆନ୍ତର୍ଜାତିକ କ୍ରିକେଟ୍‌ ପୁନଃଆରମ୍ଭ ନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇପାରୁନି। ହେଲେ ଫେରନ୍ତା ବେଳେ ବଲ୍‌ରେ ଲାଳ ଓ ଝାଳ ପ୍ରୟୋଗ ନକରିବାର ନିୟମକୁ ନେଇ ବୋଲରମାନେ ଚିନ୍ତିତ। ବଲ୍‌କୁ ଚିକ୍କଣ କରିବା ପାଇଁ ଏହାର ବ୍ୟବହାର ହୋଇଥାଏ। ଯାହାକି ବୋଲରଙ୍କୁ ବଲ୍‌ ସୁଇଂ କରିବାରେ ସହାୟକ ହୋଇଥାଏ। ହେଲେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ସାଂପ୍ରତିକ କୋଭିଡ୍‌-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ଏହି ଦୁଇଟି ପଦାର୍ଥକୁ ବ୍ୟବହାର ନକରିବା ପାଇଁ ଯୋଜନା କରୁଛି। ଏହାକୁ ନେଇ ଚିନ୍ତା ଉଦ୍ରେକ ହୋଇଥିଲା ବେଳେ ଭାରତୀୟ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସାମି କିନ୍ତୁ ଏଥିରେ ପ୍ରଭାବିତ ହେବେନି ବୋଲି କହିଛନ୍ତି। ଲାଳ ବ୍ୟବହାର ବିନା ବଲ୍‌କୁ ରିଭର୍ସ ସୁଇଂ କରିହେବ ବୋଲି ସେ କହିଛନ୍ତି। ହେଲେ ଯେକୌଣସି ଉପାୟରେ ବଲ୍‌ ଚିକ୍କଣ ରହିବା ଦରକାର। ତେଣୁ ଠିକ୍‌ଭାବେ ବଲ୍‌ର ଚିକ୍କଣ ବଜାୟ ରହିଲେ ବିନା ଲାଳରେ ବି ରିଭର୍ସ ସୁଇଂ ମିଳିପାରିବ ବୋଲି ସାମି ଦୃଢ଼ତାର ସହ କହିଛନ୍ତି। ଲାଲ ଓ ଝାଳ ବିନା ବଲ୍‌କୁ ନିୟଂତ୍ରଣରେ ରଖିବା କଷ୍ଟକର ବ୍ୟାପାର। ଆମେ ପିଲାଦିନରୁ ହିଁ ବଲ୍‌ରେ ଲାଳ ଲଗାଇବା‌ରେ ଅଭ୍ୟସ୍ତ। ଆଉ ତୁମେ ଯଦି ଜଣେ ଦ୍ରୁତ ବୋଲର ତାହାଲେ ଏହା ଜରୁରି ହୋଇପଡ଼େ। କିନ୍ତୁ ହଁ, ଯଦି ତୁମେ ଶୁଷ୍କ ବଲ୍‌କୁ ଚିକ୍କଣ କରିବା କୌଣସି ଉପାୟରେ ବଜାୟ ରଖିପାରିବ ତାହାଲେ ସୁନିଶ୍ଚିତ ଯେ ବଲ୍‌ରୁ ରିଭର୍ସ ସୁଇଂ ମିଳିପାରିବ ବୋଲି ‌ରୋହିତ ଜୁଗ୍‌ଲାନ୍‌ଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ ବାର୍ତାଳାପରେ କହିଛନ୍ତି ସାମି।

ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ୍‌ କମିଟି ବୋଲରଙ୍କୁ ବଲ୍‌ରେ ଝାଳ ଲଗାଇବାର ଅନୁମତି ଦିଆଯିବ ବୋଲି କହିଥିଲା ବେଳେ ସାମି କିନ୍ତୁ ଏହା ଦ୍ରୁତ ବୋଲରଙ୍କୁ ସହାୟକ ହେବନାହିଁ ବୋଲି କହିଛନ୍ତି। ଝାଳ ଓ ଲାଳ ଭିନ୍ନ ଭିନ୍ନ କାର୍ଯ୍ୟ କରିଥାଏ। ମୁଁ ଭାବୁନି ଯେ ଝାଳ ହିଁ ବଲ୍‌କୁ ଚିକ୍କଣ କରିବାରେ ସହାୟକ ହେବ। ମୁଁ କେବେ ବି ଲାଳ ବିନା ବୋଲିଂ କରିବାକୁ ଚେଷ୍ଟା କରିନଥାଏ। ତଥାପି ବର୍ତମାନ କୋଭିଡ୍‌-୧୯ ମହାମାରୀ କାରଣରୁ ଏହାକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର