ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ପାଳିର ବିଶେଷଜ୍ଞ ସାମି: ୫ ୱିକେଟ୍‌ ନେବାରେ ପଞ୍ଚମ ଭାରତୀୟ

ବିଶାଖାପାଟଣା : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏବେ ଦ୍ବିତୀୟ ପାଳିର ବିଶେଷଜ୍ଞ ପାଲଟି ଯାଇଛନ୍ତି। ଏଠାରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ପାଳିର ୫ ୱିକେଟ୍‌ ଅକ୍ତିଆର କରି ଭାରତକୁ ବିଜୟ ଭେଟି ଦେବା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସେ ଟେ‌ଷ୍ଟରେ ମୋଟ ୫ ଥର ୫ ୱିକେଟ୍‌ ସଫଳତା ହାସଲ କରିଥିଲା ବେଳେ ସେଥିରୁ ୨୦୧୮ ପରଠୁ ୩ ଥର ଦ୍ବିତୀୟ ପାଳିରେ ଏଭଳି ସଫଳତା ଲାଭ କରିଛନ୍ତି। ଯାହାକି କୌଣସି ବି ବୋଲରଙ୍କ ତୁଳନାରେ ସର୍ବାଧିକ ଥର। ସେ ନିଜର ୧୫ ଦ୍ବିତୀୟ ପାଳିରୁ ମୋଟ ୪୦ ୱିକେଟ୍‌ ଦଖଲ କରିଛନ୍ତି। ତୁଳନାତ୍ମକ ଭାବେ ସାମି ୧୬ ପ୍ରଥମ ପାଳିରୁ ୨୩ ୱିକେଟ୍‌ ଅକ୍ତିଆର କରିଛନ୍ତି।

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ଚତୁର୍ଥ ପାଳିରେ ସାମିଙ୍କ ୫ ୱିକେଟ୍‌ ଦଖଲ ୧୯୯୬ ମସିହା ପରେ ଭାରତୀୟ ଦ୍ରୁତ ବୋଲର ଭାବେ ଘରୋଇ ମାଟିରେ ପ୍ରଥମ ଏବଂ ମୋଟ ଉପରେ ପଞ୍ଚମ ହୋଇଛି। ଶେଷ ଥର ପାଇଁ ଭାରତୀୟ ଦ୍ରୁତ ବୋଲର ଭାବେ ଜଭାଗଲ ଶ୍ରୀନାଥ ୧୯୯୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅହମ୍ମଦାବାଦ ଟେଷ୍ଟ୍‌ରେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଏବେ ୨୩ ବର୍ଷ ପରେ ସାମି ଏଭଳି ସଫଳତା ପାଇଛନ୍ତି। ସାମି ଓ ଶ୍ରୀନାଥଙ୍କ ପୂର୍ବରୁ କୌଣସି ଘରୋଇ ଟେଷ୍ଟ୍‌ର ଚତୁର୍ଥ ପାଳିରେ ୫ ୱିକେଟ୍‌ ସଫଳତା ହାତେଇବା ତାଲିକାରେ କର୍ଷଣ ଘାବରି, କପିଳ ଦେବ ଓ ମଦନ ଲାଲ ରହିଛନ୍ତି।

ସମ୍ବନ୍ଧିତ ଖବର