ପିସିବି କେନ୍ଦ୍ରୀୟ ଚୁକ୍ତିରେ ନସିମ୍‌ ସାମିଲ

ହାସନ୍‌ ଅଲ୍ଲୀ, ୱାହବ୍‌ ରିଆଜ୍‌, ମହମ୍ମଦ ଆମିର ବାଦ୍‌

ଲାହୋର : ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ବୁଧବାର ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ୪ଟି ବର୍ଗରେ ପ୍ରସ୍ତୁତ କରିଥିବା ଏହି ତାଲିକାରେ ନସିମ୍‌ ଶାହା ପ୍ରଥମ ଥର ପାଇଁ ସାମିଲ ହୋଇଥିଲା ବେଳେ ତିନି ଦ୍ରୁତ ବୋଲର ହାସନ୍‌ ଅଲ୍ଲୀ, ୱାହବ୍‌ ରିଆଜ୍‌ ଓ ମହମ୍ମଦ ଆମିର ବାଦ୍‌ ପଡ଼ିଛନ୍ତି। ଅନ୍ୟପକ୍ଷରେ ଅଧିନାୟକ ପଦ ହରାଇଥିବା ସର୍ଫରାଜ ଅହମ୍ମଦଙ୍କର ଅବନତି ଘଟିଛି। ତାଙ୍କୁ କ୍ୟାଟେଗୋରି ‘ଏ’ରୁ ‘ବି’କୁ ଖସାଇ ଦିଆଯାଇଛି। ଅନ୍ୟପକ୍ଷରେ ସାହିଦ ଶାହା ଆଫ୍ରିଦି ଓ ଆଝାର ଅଲ୍ଲୀ ‘ବି’ରୁ ‘ଏ’ କ୍ୟାଟେଗୋରିକୁ ପଦୋନ୍ନତି ପାଇଛନ୍ତି। ନୂଆ ଦିନିକିଆ ଅଧିନାୟକ ବାବର ଆଜମ୍‌ ‘ଏ’ରେ ରହିଛନ୍ତି। ହାଇଦର ଅଲ୍ଲୀ, ମହମ୍ମଦ ହାସ୍‌ନେନ୍‌ ଓ ହାରିସ୍‌ ରଫ୍‌ଙ୍କ ଭଳି ତିନି ନବାଗତଙ୍କ ପାଇଁ ପିସିବି ନୂଆକରି ‘ଏମର୍ଜିଙ୍ଗ୍‌’ କ୍ୟାଟେଗୋରି ପ୍ରଚଳନ କରିଛି। ନୂଆ କରି ଚୁକ୍ତି ତାଲିକାରେ ସାମିଲ ହୋଇଥିବା ନସିମ୍‌ ‘ସି’ କ୍ୟାଟେଗୋରିରେ ରହିଛନ୍ତି। ସର୍ଫରାଜଙ୍କ ଭଳି ୟାସିର୍‌ ଶାହା ପଦାନତ (‘ଏ’ରୁ ‘ବି’କୁ) ହୋଇଥିଲା ବେଳେ ଇମାମ୍‌ ଉଲ୍‌ ହକ୍‌ ମଧ୍ୟ ପଦାନତ (‘ବି’ରୁ ‘ସି’କୁ) ହୋଇଛନ୍ତି। ସର୍ଫରାଜ ଓ ୟ‌ାସିର୍‌ଙ୍କ ସହିତ ଆସାଦ୍‌ ସଫିକ୍, ହାରିସ୍‌ ସୋହେଲ, ମହମ୍ମଦ ଆବାସ ଓ ସଦାବ ଖାନ୍‌ କ୍ୟାଟେଗୋରି ‘ବି’ରେ ସ୍ଥାନ ପାଇଛନ୍ତି। ଆବିଦ୍‌ ଅଲ୍ଲୀ, ମହମ୍ମଦ ରିଜ୍‌ୱାନ୍‌ ଓ ସନ୍‌ ମାସୁଦ୍‌ ‘ସି’ରୁ ପଦୋନ୍ନତି ପାଇ ‘ବି’ କ୍ୟାଟେଗୋରିରେଅକ୍ତିଆର କରିଛନ୍ତି। କ୍ୟାଟେଗୋରି ‘ସି’ରେ ନସିମ୍‌ଙ୍କ ସହ ଇଫ୍‌ତିକାର ଅହମ୍ମଦ, ଫକର ଜମନ୍‌, ଇମାଦ୍‌ ୱାସିମ୍‌ ଓ ଉସ୍‌ମାନ ସିନ୍‌ୱାରୀ ଚୁକ୍ତିବଦ୍ଧ ହୋଇଛନ୍ତି। କ୍ୟାଟେଗୋରି ‘ଏ’ ଖେଳାଳିଙ୍କୁ ୧.୧ ମିଲିୟନ୍‌ ପାକିସ୍ତାନ ଟଙ୍କା ମିଳିବାକୁ ଥିଲା ବେଳେ ‘ବି’ ଖେଳାଳିଙ୍କୁ ସ‌ାଢ଼େ ୭ ଲକ୍ଷ ଏବଂ ‘ସି’ ଖେଳାଳିଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା ମିଳିବ।

ସମ୍ବନ୍ଧିତ ଖବର