ଅଖତରଙ୍କୁ ରିଜ୍‌ଭିଙ୍କ ମାନହାନି ନୋଟିସ୍‌ ଓ ନିସର୍ତ୍ତ କ୍ଷମା ମାଗିବାକୁ ଦାବି

କରାଚି : ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଆଇନ୍‌ ପରାମର୍ଶଦାତା ତଫାଜୁଲ ରିଜ୍‌ଭିଙ୍କ ମାନହାନି ନୋଟିସ୍‌କୁ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଆଇନ୍‌ଗତ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି। ଏହି ନୋଟିସ୍‌ରେ କୌଣସି ଦମ୍‌ ନଥିଲା ବେଳେ ଅନେକ ଭୂଲ୍‌ ଧାରଣାକୁ ନେଇ ନୋଟିସ୍‌ କରାଯାଇଥିବା ସୋଏବ କହିଛନ୍ତି। ଏଥିସହିତ ସର୍ବସାଧାରଣରେ ପରିହାସ କରିବା ଓ ମାନହାନି ହୋଇଥିବାରୁ ସୋଏବ୍‌ କ୍ଷମା ମାଗନ୍ତୁ ବୋଲି ରିଜ୍‌ଭି ଦାବି କରିଛନ୍ତି। ତେବେ ସୋଏବ ଏହାଉପରେ ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଯେ ସେ ଯାହାବି ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ତାହା ପାକିସ୍ତାନ କ୍ରିକେଟର ହିତ ଦୃଷ୍ଟିରୁ ଥିଲା। ରିଜ୍‌ଭିଙ୍କ ବିଷୟରେ ଯାହା କହିଛନ୍ତି ତାହା କେବଳ ଉଭୟଙ୍କ ମଧ୍ୟରେ ହୋଇଥିବା ବ୍ୟକ୍ତିଗତ ଆଲୋଚନା ଉପରେ ପର୍ଯ୍ୟବେଶିତ। ବୋର୍ଡରେ ଥିବା ଅଭାବକୁ ଜନସ୍ବାର୍ଥ ଉଦ୍ଦେଶ୍ୟରେ ଦର୍ଶାଇବା ଓ ଏଥିରେ ଉନ୍ନତି ଆଣିବାର ଆଶାକୁ ନେଇ ପିସିବି ଓ ରିଜ୍‌ଭିଙ୍କ ଉପରେ ଦେଇଥିବା ମନ୍ତବ୍ୟ ହେଉଛି ତାଙ୍କର ମତାମତର ଅଭିବ୍ୟକ୍ତି ବୋଲି ସୋଏବ୍‌ ଟ୍ବିଟରରେ ଜଣାଇଛନ୍ତି।

ସୋଏବ ତାଙ୍କ ୟୁଟ୍ୟୁବ ଚ୍ୟାନେଲ୍‌ରେ ଟେଷ୍ଟ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ତିନିବର୍ଷିଆ ବାସନ୍ଦ ଘଟଣା ଉପରେ ରିଜ୍‌ଭିଙ୍କୁ ନିଷ୍କ୍ରିୟ ବୋଲି ବିବେଚିତ କରିଥିବାରୁ ତାଙ୍କୁ ମାନହାନି ନୋଟିସ୍‌ ହୋଇଥିଲା। ନୋଟିସ୍‌ରେ ରିଜ୍‌ଭି ନିସର୍ତ୍ତ କ୍ଷମା ସହ ୧ କୋଟି ଟଙ୍କା କୌଣସି ଏକ ସ˚ସ୍ଥାକୁ ଦାନ କରିବାକୁ ଦାବି କରାଯାଇଥିଲା। ଅନ୍ୟପକ୍ଷରେ ସୋଏବଙ୍କ ଭିଡିଓକୁ ପିସିବି ଭର୍ତ୍ସନା କରିବା ସହ ଏହି ନୋଟିସ୍‌କୁ ରିଜ୍‌ଭି ତାଙ୍କ ବ୍ୟକ୍ତିଗତ ସ୍ତରରେ କରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତ କିଛି ଦିନ ଧରି ସୋଏବ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ଘେରରେ ରହିଆସୁଛନ୍ତି। ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରି କରୋନା ମହାମାରୀ ବିରୋଧ ଲଢେଇ ପାଇଁ ପାଣ୍ଠି ସ˚ଗ୍ରହ କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ କି ଅନେକ ଅବସରପ୍ରାପ୍ତ ଭାରତୀୟ କ୍ରିକେଟର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର