ସର୍ବଭାରତୀୟ ଡାକ ଭାରୋତ୍ତୋଳନ: ପ୍ରଥମ ଦିନ ଓଡ଼ିଶାକୁ ୩ ପଦକ

ବ୍ରହ୍ମପୁର: ଭାରତୀୟ ଡାକ ବିଭାଗ ପକ୍ଷରୁ ବ୍ରହ୍ମପୁର ହିଲପାଟଣା ସ୍ଥିତ ସଂସ୍କୃତି ଭବନରେ ଗୁରୁବାରଠାରୁ ୩୫ତମ ସର୍ବଭାରତୀୟ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ସମେତ ୧୮ ରାଜ୍ୟର ମୋଟ ୧୩୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ଭାରେତ୍ତୋଳନ ପ୍ରତିଯୋଗିତା ହୋଇଥିଲା। ଏଥିରେ ଓଡ଼ିଶାକୁ ୩ ପଦକ ମିଳିଛି। ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିବା କାମଶ୍ବେର ନାୟକ ୮୧ କେଜି ବର୍ଗରେ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ। ସେ ମୋଟ ୨୩୭ କେଜି (୧୦୪+୧୩୩) ଭାରେ‌ାତ୍ତୋଳନ କରି ଦ୍ବିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ଜିତିଥିଲା ବେଳେ ତେଲେଙ୍ଗାନାର ଆର୍‌ ଶିବକେଶବ ଯାଦବ ୨୩୮ କେଜି (୧୦୧+୧୩୭) ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। କର୍ଣାଟକର ଭାରତ କେଏସ୍‌ ୨୨୮କେଜି (୧୦୩+୧୨୫) ସହ ତୃତୀୟରେ ରହିଥିଲେ। ସେହିପରି ୫୫ କେଜି ବର୍ଗରେ ଓଡ଼ିଶାର ପ୍ରଦୀପ କୁମାର ସାହୁ ୧୬୭ କେଜି (୭୪+୯୩) ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ରାଜସ୍ଥାନର ରାକେଶ କୁମାର ୧୭୦ କେଜି (୭୬+୯୪) ଭାରୋତ୍ତୋଳନ କରି ପ୍ରଥମ, ମହାରାଷ୍ଟ୍ରର ସଂଜୟ ମୟେକର ମୋଟ ୯୨ କେଜି (୪୨+୫୦) ଭାରୋତ୍ତୋଳନ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି। ୯୬ କେଜି ବର୍ଗରେ ଓଡ଼ିଶାର ମଳୟରଂଜନ ପତି ମୋଟ ୧୬୦ କେଜି ଭାରୋତ୍ତୋଳନ କରି କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଏହି ବର୍ଗରେ ତାମିଲନାଡ଼ୁର ପି ନାଟେସାନ୍ ମୋଟ ୨୧୫ କେଜି, ହରିୟାଣାର ରାଜବୀର୍‌ ଢାକା ୨୦୩ କେଜି ଭାରୋତ୍ତୋଳନ କରି ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀ ସ୍ଥିତ ଡାକସେବା ବୋର୍ଡ଼ ସଦସ୍ୟ (କାର୍ମିକ) ପ୍ରଦୀପ୍ତ କୁମାର ବି‌େଶ‌ାୟୀ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ମଣ୍ଡଳ ମହାଡାକପାଳ କର୍ଣେଲ ଜଳେଶ୍ବର କହଁର, ଡାକସେବା (ମୁଖ୍ୟାଳୟ) ନିର୍ଦେଶକ ଜି ଗୁରୁନାଥନ୍, ଡାକଲେଖା କଟକର ନିର୍ଦ୍ଦେଶକ ପିକେ ଦାସ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଏକ ସ୍ବତନ୍ତ୍ର ଡାକ ଟିକେଟ ଉନ୍ମୋଚନ ହୋଇଥିଲା।

ସମ୍ବନ୍ଧିତ ଖବର