ଜାତୀୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ୍‌: ଅନୁଜା-‌ଶ୍ବେତପର୍ଣ୍ଣା ହାରିଲେ

ବାଳକ ଯୁଗଳ କ୍ବାର୍ଟର୍‌ରେ ପାର୍ଥ ଓ ଦୁଇ ଆୟୁଷ

ଭୁବନେଶ୍ୱର: ଚଳିତ ଜାତୀୟ ଉପକନି‌ଷ୍ଠ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଗୁରୁବାର ତୃତୀୟ ଦିବସରେ ଓଡ଼ିଶା ଖେଳାଳିମାନେ ନିରାଶ କରିଛନ୍ତି। ୧୭ ବର୍ଷରୁ କମ୍‌ ବାଳକ ଏକକ ରାଉଣ୍ଡ-୩୨ରେ ଦୁଇ ଆୟୁଷ (ଆୟୁଷ ପଟ୍ଟନାୟକ ଓ ଆୟୁଷ ଦାଶ) ଅଟକି ଥିଲା ବେଳେ ଯୁଗଳରେ କିନ୍ତୁ ଆଗକୁ ବଢ଼ିଛନ୍ତି। ସପ୍ତମ ମାନ୍ୟତା ପ୍ରାପ୍ତ ଓଡ଼ିଶାର ଆୟୁଷ ପଟ୍ଟନାୟକ ୧୮-୨୧, ୯-୨୧ରେ ହିମାନିଶ ଦାସଙ୍କଠୁ ଏବଂ ଆୟୁଷ ଦାଶ ୧୭-୨୧, ୧୪-୨୧ରେ ଅଂଶ ବିଶାଲ ଗୁପ୍ତାଙ୍କଠୁ ହାରି ଯାଇଥିଲେ। ତେବେ ଯୁଗଳରେ ଓଡ଼ିଶା ଯୋଡ଼ି ଆୟୁଷ ଦାଶ ଓ ପାର୍ଥ ସାରଥି ମିଶ୍ର ୨୧-୧୯, ୨୧-୧୫ରେ ଏମ୍‌ ସୁନ୍ଦରରାଜ ଓ ଏସ୍‌ ୟାକାଲାଙ୍କୁ ଏବଂ କର୍ଣ୍ଣାଟକର ସୁହାସ ଭି’ଙ୍କୁ ସାଥୀ କରି ଖେଳୁଥିବା ଆୟୁଷ ପଟ୍ଟନାୟକ ୨୧-୧୨, ୨୧-୯ରେ ଅଭିଜିତ ଜାସୋରୋତିଆ ଓ ପୂରଞ୍ଜୟ ଶର୍ମାଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ରାଉଣ୍ଡ-୩୨ରେ ଓଡ଼ିଆ ଝିଅ ଶ୍ରୁତି ସ୍ବାଇଁ ୧୪-୨୧, ୧୨-୨୧ରେ ଅଭିଳାଶା ଏ’ଙ୍କଠୁ ହାରି ବିଦାୟ ନେଇଥିଲା ବେଳେ ଯୁଗଳରେ ଓଡ଼ିଶା ଯୋଡ଼ି ଅନୁଜା ଦାସ ମହାପାତ୍ର ଓ ଶ୍ବେତପର୍ଣ୍ଣା ପଣ୍ଡା ଏବଂ ଶ୍ରୀୟା ବିଶ୍ବାଳ ଓ ‌ହର୍ଷିତା ରାଉତ ମଧ୍ୟ ନିଜ ନିଜ ମ୍ୟାଚ୍‌ ହାରି ପ୍ରତି‌ଯୋଗିତାରୁ ବିଦାୟ ନେଇଛନ୍ତି। ଅନୁଜା-ଶ୍ବେତପର୍ଣ୍ଣା ୨୧-୧୦, ୨୧-୧୭ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ପ୍ରଣବୀ ଏନ୍‌ ଓ ସାରୁମଥି ଭି’ଙ୍କଠୁ ଏବଂ ୧୩-୨୧, ୨୧-୨୩ରେ ଆଶିତା ଦୁବେ ଓ ଶ୍ରୀକରୀ ରେଡ୍ଡୀଙ୍କଠୁ ପରାଜିତ ହୋଇଥିଲେ। ହେଲେ ‌୧୫ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ଶ୍ବେତପର୍ଣ୍ଣା କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୀର୍ଷ ମାନ୍ୟତାପ୍ରାପ୍ତ‌ ଶ୍ବେତପର୍ଣ୍ଣା ଓ ତାଙ୍କ କର୍ଣ୍ଣାଟକ ସାଥୀ ସାତ୍ୱିକ ରେଡ୍ଡୀ କେ’୧୪-୨୧, ୨୧-୭, ୨୧-୧୫ରେ ଇସୋବେଲ କୁରିୟାନ୍‌ ଓ କୁଶ ଭାଟ୍ସଙ୍କୁ ପରାସ୍ତ କରିଥିଲେ।

୧୫ ବର୍ଷରୁ କମ୍‌ ବାଳିକାରେ ଶୀର୍ଷ ମାନ୍ୟତାପ୍ରାପ୍ତ ତାରା ଶାହ, ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅନୁପମା ଉପାଧ୍ୟାୟ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହାରାଷ୍ଟ୍ରର ତାରା ୨୧-୧୮, ୨୧-୧୮ରେ ରାଜସ୍ଥାନର ଅଂଶିକା କୁମାୱତଙ୍କୁ ଏବଂ ହରିଆଣାର ଅନୁପମା ୨୧-୧୧, ୨୧-୧୩ରେ ପଂଜାବର ରାଧିକା ଶର୍ମାଙ୍କୁ ପରାସ୍ତ କରିଥିଲେ। ବାଳିକା ଯୁଗଳରେ ‌ଶୀର୍ଷ ମାନ୍ୟତାପ୍ରାପ୍ତ କେରଳ ଯୋଡ଼ି ଆନ୍ଦ୍ରିଆ ସାରା କୁରିନ ଓ ପବିତ୍ରା ନବୀପ ୨୧-୧୦, ୨୧-୮ରେ ମୁସ୍‌କାନ ଚାଟାର୍ଜୀ ଓ ଆହନା ଧରଙ୍କୁ ହରାଇଥିଲେ। ୧୭ ବର୍ଷରୁ କମ୍‌ ବାଳିକା‌ ବର୍ଗରେ କନିଷ୍ଠ ଏସୀୟ ବିଜୟିନୀ ତସମିନ୍‌ ମିର ୨୧-୧୩, ୨୧-୧୨ରେ ଭାର୍ଗବୀ କେ’ଙ୍କୁ ଏବଂ ଉପବିଜୟିନୀ ତାରା ଶାହ ୨୧-୬, ୨୧-୯ରେ ଶିବାଙ୍ଗୀ ସିଂହଙ୍କୁ ପରାସ୍ତ କରି ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ମ୍ୟାଚ୍‌ଗୁଡ଼ିକ ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମ ଓ ସହିଦ ନଗର ଇନ୍‌ଡୋର ହଲ୍‌ଠାରେ ଖେଳାଯାଇଥିଲା।

ସମ୍ବନ୍ଧିତ ଖବର