ଜାତୀୟ କରାଟେ: ପ୍ରଥମ ଦିନ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୮ ପଦକ

ଭୁବନେଶ୍ବର : ମହାରାଷ୍ଟ୍ରର ପୁନେଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଚମତ୍କାର ଆରମ୍ଭ ପାଇଛି। ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ପ୍ରତିଯୋଗିତାର ଶୁକ୍ରବାର ପ୍ରଥମ ଦିବସରେ ଓଡ଼ିଶା କରାଟେକାମାନେ ୩ ସ୍ବର୍ଣ୍ଣ ସହିତ ମୋଟ ୮ ପଦକ ଅମଳ କରିଛନ୍ତି। ମଧୁପ୍ରିୟା ବାଇ କ୍ୟାଡେଟ୍‌ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ କନିଷ୍ଠ ମହିଳା କାଟାରେ ସୁରମିତା ସିହ୍ନା ଏବଂ କ୍ୟାଡେଟ୍‌ ପୁରୁଷ ବର୍ଗରେ ବେଦାନ୍ତ ଦାସ ବ୍ୟକ୍ତିଗତ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି।

କ୍ୟାଡେଟ୍‌ ପୁରୁଷ ବର୍ଗରେ ମଧ୍ୟ ରୀତେଶ ମହାନ୍ତି (୫୭ କେଜି) କାଂସ୍ୟ ପଦକ ହାସଲ କରିଛନ୍ତି। ଏମାନଙ୍କ ବ୍ୟତୀତ କନିଷ୍ଠ ପୁରୁଷ କାଟାରେ ଜ୍ୟେତିରଞ୍ଜନ ରାଉତ ରୌପ୍ୟ ପଦକ ହାସଲ କରିଥିଲା ବେଳେ କନିଷ୍ଠ ମହିଳା କୁମିତେ (୫୩ କେଜି)ରେ ପ୍ରିୟଦର୍ଶିନୀ ଦାସ କାଂସ୍ୟ ପଦକ ଜିତିଥିଲେ।

ସେହିପରି କନିଷ୍ଠ ପୁରୁଷ ଦଳଗତ କାଟାରେ ବେଦାନ୍ତ ଦାସ, ଜ୍ୟୋତିରଞ୍ଜନ ରାଉତ ଓ ରୁଦ୍ର ପ୍ରସାଦ ରୌପ୍ୟ ପଦକ ଜିତିଥିଲା ବେଳେ କନିଷ୍ଠ ମହିଳା ଦଳଗତ କାଟାରେ ଅଂଶିତା ସାହୁ, ସାଲୋନି ପାତ୍ର, ସସ୍ମିତା ବିଶ୍ବାଳ କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର