ଜାତୀୟ ଓପନ୍ ଦୌଡ଼କୁଦ, ସେମିଫାଇନାଲରେ ଦୂତି ଓ ଅମିୟ

ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ବିର୍ସା ମୁଣ୍ଡା ଦୌଡ଼କୁଦ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୫୯ତମ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଅମିୟ ମଲ୍ଲିକ ଯଥାକ୍ରମେ ମହିଳା ଏବଂ ପୁରୁଷ ୧୦୦ ମିଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ହିଟ୍-୩ରେ ଦୌଡ଼ିଥିବା ଦେଶର ଦ୍ରୁତତମ ଧାବିକା ଦୂତି ୧୧.୫୫ ସେକେଣ୍ଡ ସମୟ ସହ ନିଜ ଗ୍ରୁପର ପ୍ରଥମ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଦ୍ରୁତତମ ଧାବକ ଅମିୟ ହିଟ୍-୬ରେ ଦୌଡ଼ି ଅନୁରୂପ ଭାବେ ପ୍ରଥମ ସ୍ଥାନରେ ରହିବା ସହ ସେମିଫାଇନାଲ୍ ଯୋଗ୍ୟତା ହାସଲ କରିଥିଲେ। ତାଙ୍କ ଟାଇମିଂ ଥିଲା ୧୦.୫୦ ସେକେଣ୍ଡ। ଅନ୍ୟତମ ଓଡ଼ିଆ ଅଭିଜିତ ସାହୁ ୧୧.୫୦ ସେକେଣ୍ଡ ସମୟ ସହ ହିଟ୍-୨ର ସପ୍ତମ ସ୍ଥାନରେ ରହି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥି‌ଲେ। ଉଭୟ ଦୂତି ଏବଂ ଅମିୟ ଶୁକ୍ରବାର ଫାଇନାଲରେ ଅବତୀର୍ଣ୍ଣ ‌ହେବେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୭ ଜଣିଆ ଓଡ଼ିଶା ଦଳ ଅଂଶଗ୍ରହଣ କରୁଛି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଦିବ୍ୟା ସାଣ୍ଡିଲ୍ୟା, ଦୂତି ଚାନ୍ଦ, ପ୍ରଜ୍ଞା ପ୍ରଶାନ୍ତ ସାହୁ, ଅଭିଜିତ ସାହୁ, ଅମିୟ କୁମାର ମଲ୍ଲିକ, ଆଶିଷ କୁମାର ପାତ୍ର ଓ ରଞ୍ଜନ କୁମାର ସାହୁ।

ସମ୍ବନ୍ଧିତ ଖବର