ଜାତୀୟ ପ୍ରିମିୟର୍‌ ଚେସ୍‌: ଦେବାଶିଷ ଚତୁର୍ଥ

ଭୁବନେଶ୍ୱର: ପାଟଣାରେ ଶୁକ୍ରବାର ଶେଷ ହୋଇଥିବା ୫୫ତମ ଜାତୀୟ ପ୍ରିମିୟର୍‌ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ଏକମାତ୍ର ଗ୍ରାଣ୍ଡ୍‌ମାଷ୍ଟର୍‌ ଦେବାଶିଷ ଦାସ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ଦେଶର ପ୍ରମୁଖ ୧୪ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ୧୩ ରାଉଣ୍ଡ୍‌ ବିଶିଷ୍ଟ ପ୍ରତିଯୋଗିତାରେ ଦେବାଶିଷ ୩ ବିଜୟ, ୯ ଅମୀମାଂସିତ ଅର୍ଜନ କରିଥିବାବେଳେ ଏକମାତ୍ର ପରାଜୟ ବିଜେତା ଗ୍ରାଣ୍ଡ୍‌ ମାଷ୍ଟର୍‌ ଏମ୍‌ ଆର୍‌ ଲଳିତବାବୁଙ୍କଠାରୁ ବରଣ କରିଥିଲେ। ଦେବାଶିଷ ୭.୫ ପଏଣ୍ଟ୍‌ ପାଇ ମିଳିତ ତୃତୀୟରେ ରହିଥିଲେ ମଧ୍ୟ ବୁକ୍‌ହୋଲଚ୍‌ରେ ଆଗୁଆ ହୋଇ ତାମିଲନାଡୁ ଗ୍ରାଣ୍ଡମାଷ୍ଟର୍‌ ମୁରଲୀ କାର୍ତିକେୟନ (୭.୫) କାଂସ୍ୟ ପଦକ ଜିତିଥିଲେ। ପିଏସ୍‌ପିବିର ଲଳିତ ବାବୁ (୯) ଏବଂ ତାମିଲନାଡୁର ଅରବିନ୍ଦ ଚିଦାମ୍ବରମ୍‌ (୮.୫) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ପ୍ରାୟୋଜକ ଅଭାବରୁ ସଙ୍କଟ ସମୟ ଦେଇ ଗତି କରୁଥିବା ଦେବାଶିଷ ଅସୁସ୍ଥତା ଭିତରେ ଏହି ପ୍ରତିଯୋଗିତାକୁ ସଫଳତାର ସହ ଶେଷ କରିଥିବାରୁ ସନ୍ତୁଷ୍ଟ ହୋଇଛନ୍ତି।

ସମ୍ବନ୍ଧିତ ଖବର