ଜାତୀୟ ଭଲିବଲ୍‌: ପ୍ଲେଅଫ୍‌ରେ ଓଡ଼ିଶା ପୁରୁଷ ଓ ମହିଳା, ଅଖା ବେପାରୀଙ୍କ ପୁଅ ଓଡ଼ିଶା ଦଳର ସଦସ୍ୟ

ଭୁବନେଶ୍ବର: ଗୁଆହାଟୀରେ ଚାଲିଥିବା ୭୧ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ପ୍ଲେଅଫ୍‌ ଯୋଗ୍ୟତା ହାସଲ କରିଛନ୍ତି। ନିଜ ନିଜ ପୁଲ୍‌ରେ ପୁରୁଷ ଦଳ ସମସ୍ତ ୫ ଦଳକୁ ଏବଂ ମହିଳା ଦଳ ସମସ୍ତ ୪ ଦଳକୁ ପରାସ୍ତ କରି ପୁଲ୍‌ ବିଜେତା ହୋଇଛନ୍ତି। ଶନିବାର ଚତୁର୍ଥ ମ୍ୟାଚ୍‌ରେ ଜମ୍ମୁ ଓ କାଶ୍ମୀରକୁ ୩-୦ (୨୫-୧୯, ୨୫-୨୦ ଓ ୨୫-୧୬) ସେଟ୍‌ରେ ପରାସ୍ତ କରିଥିବା ପୁରୁଷ ଦଳ ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ପୁଡୁଚେରୀକୁ ୩-୦ (୨୫-୧୫, ୨୫-୧୭ ଓ ୨୫-୨୦)ରେ ପରାସ୍ତ କରିଥିଲା। ସେହିପରି ମହିଳା ଦଳ ରବିବାର ଉତ୍ତରାଖଣ୍ଡକୁ ୩-୦ (୨୫-୧୧, ୨୫-୭ ଓ ୨୫-୧୨)ରେ ପରାସ୍ତ କରିଥିଲା। ଏଥି ସହିତ ଉଭୟ ପୁରୁଷ ଓ ମହିଳା ଦଳ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ପ୍ଲେଅଫ୍‌ ଯୋଗ୍ୟତା ହାସଲ କରିଛନ୍ତି। ସୋମବାର ପ୍ଲେଅଫ୍‌ରେ ପୁରୁଷ ଦଳ ଦିଲ୍ଲୀକୁ ଏବଂ ମହିଳା ଦଳ ଗୁଜରାଟକୁ ଭେଟିବ।

କବାଟବନ୍ଧ: ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ପରିଶ୍ରମ ବଳରେ ଜଣେ ଅଖା ବେପାରୀଙ୍କ ପୁଅ ଓଡ଼ିଶା ଭଲିବଲ୍‌ ଦଳରେ ସାମିଲ ହୋଇ ଏବେ ଆସାମର ଗୌହାଟିଠାରେ ବିଭିନ୍ନ ରାଜ୍ୟ ବିପକ୍ଷରେ ଖେଳୁଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମର ଅଖା ବେପାରୀ ଅଞ୍ଜନ ତରାଇଙ୍କ ବଡ଼ପୁଅ ଅଜୟ ଓରଫ ଅଜୁ (୨୫) ପିଲା ଦିନରୁ ଭଲିବଲ୍‌ ଖେଳପ୍ରତି ଆକର୍ଷିତ ହୋଇଥିଲେ। ବାପା, ବଡ଼ବାପା ଓ ଦାଦା ନିଜ ଗାଁ ଭଲିବଲ୍‌ ଦଳ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିଲେ। ସେଥିରୁ ଅଜୁ ଭଲି ପ୍ରତି ଆକର୍ଷିତ ହୋଇଥିଲେ। ୨୦୦୯ ମସିହାରେ ୧୧ ବର୍ଷ ବୟସରୁ ଗାଁ ପିଲାଙ୍କ ସହ ଭଲି ଖେଳିବା ଆରମ୍ଭ କରିଥିଲେ। ନିଜ ଗାଁ କ୍ଲବ୍‌ ପାଇଁ ଖେଳି ଅନେକ ଟ୍ରଫି ଜିତିବା ସହ ୨୦୧୩ ମସିହାରୁ ଯାଜପୁର ଜିଲ୍ଲା ଭଲିବଲ୍‌ ଦଳରେ ସାମିଲ ହୋଇ ପାରାଦୀପଠାରେ ଅନୁଷ୍ଠିତ ଅନ୍ତଃଜିଲ୍ଲା ଭଲିବଲ୍‌ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇଥିଲେ।

ସେହିବର୍ଷ ନିଜ ଜିଲ୍ଲାକୁ ସୁପର ୮କୁ ଆଣିଥିଲେ। ଏହାପରେ ଜିଲ୍ଲା ପାଇଁ ଲଗାତାର ଭାବେ ସେ ୪ ବର୍ଷ ଖେଳି ଅନେକ ସଫଳତା ସାଉଁଟିଥିଲେ। ସେହିପରି ମୁକୁନ୍ଦପାତ୍ର ଡିଗ୍ରି କଲେଜ ତରଫରୁ ଅନ୍ତଃକଲେଜ ଖେଳିବା ପାଇଁ ମନୋନୀତ ହୋଇଥିଲେ। ସେଠାରୁ ମଧ୍ୟ ଚୟନ ହୋଇ ଅନ୍ତଃ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଳି ସଫଳତା ପାଇଥିଲେ। ଏବେ ସେ ଆସାମର ଗୌହାଟିଠାରେ ଚାଲିଥିବା ରାଜ୍ୟସ୍ତରୀୟ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରୁଛନ୍ତି। ସେଠାରେ ତାଙ୍କ ଦଳ ଗତ ଶନିବାର ଗୁଜରାଟକୁ ୩-୨ ସେଟ୍‌ରେ ପରାସ୍ତ କରିଥିବା ବେଳେ ରବିବାର ପୁଡୁଚେରୀକୁ ୩-୦ରେ ହରାଇ ପୁଲ୍‌ ବିଜେତା ହୋଇଛି। ଏକ ମଫସଲ ଗାଁର ସାଧାରଣ ପରିବାରରୁ ଆସି ଓଡ଼ିଶା ଭଲିବଲ୍‌ ଦଳରେ ପ୍ରତିନିଧିତ୍ବ କରୁଥିବା ଅଜୁଙ୍କ ପାଇଁ ତାଙ୍କ ଗାଁ କଣ୍ଟାପାଟଣାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର