ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଫାଇନାଲ୍ ବିଜୟ: ସଚିନ, ଗାଙ୍ଗୁଲି ଓ ଦ୍ରାବିଡ଼ ଏକସ୍ବରରେ ମନୋବଳ ବଢ଼ାଇଥିଲେ

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ତଳେ ଭାରତ ଲର୍ଡସରେ ଇଂଲଣ୍ଡକୁ ହରାଇ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଜିତିଥିଲା। ଯେଉଁ ସମୟରେ ୩୦୦ରୁ ଊର୍ଧ୍ବ ରନ୍‌ ସ୍କୋର୍‌ କରିବା ପରେ କୌଣସି ଦଳ ପରାଜୟ କଥା ସ୍ବପ୍ନରେ ବି ଭାବିବା କଷ୍ଟକର ଥିଲା, ସେହି ସମୟରେ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୬ ରନ୍‌କୁ ପଶ୍ଚାତଧାବନ କରି ଭାରତ ଜିତିଥିଲା। ଏହାର ଏକ ବଡ଼ କାରଣ କହିଛନ୍ତି ଭାରତୀୟ ଦଳର ପୂର୍ବତନ ୱିକେଟରକ୍ଷକ ଅଜୟ ରାତ୍ରା। ଯେଇଁ ଦଳରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ଖେଳାଳି ଥିବେ ସେଠାରେ ଏଭଳି ବିଜୟ ମିଳିପାରିବ। ଏହି ତିନି କିଂବଦନ୍ତି ଖେଳାଳି ଏକସ୍ବରରେ ଦଳର ମନୋବଳ ବଢ଼ାଇଥିଲେ। ‘ଆମେ ଆମ ସ୍ବାଭାବିକ ଖେଳ ଖେଳିବା, ଦେଖିବା କିଭଳି ଯାଉଛି’ ବୋଲି କହି ଦଳର ମନୋବଳ ବଢ଼ାଇଥିଲେ। ଡ୍ରେସିଂ ରୁମ୍ ପରିବେଶ ଭଲ ରହିଥିଲା, ସମସ୍ତେ ସକରାତ୍ମକ ଭାବନା ଭିତରେ ରହିଥିଲେ।

ଏହା ହିଁ ଆମକୁ ଟ୍ରଫି ବିଜୟୀ କରାଇଥିଲା ବୋଲି କହିଥିଲେ ଫାଇନାଲ୍ ମ୍ୟାଚ୍‌ରେ ଚୂଡାନ୍ତ ଏକାଦଶରେ‌ ଖେଳିନଥିବା ଅଜୟ ରାତ୍ରା। ଆମେ ଜାଣିଥିଲୁ ଆମର ବ୍ୟାଟିଂ ଲାଇନ୍ଅପ୍ ଭଲ ଅଛି। ଦ୍ରାବିଡ଼ ୱିକେଟ୍‌ରକ୍ଷକ ଭାବେ ଖେଳୁଥିବାରୁ ୭ ନମ୍ବର ପର୍ଯ୍ୟନ୍ତ ବ୍ୟାଟିଂ ବ୍ୟାପ୍ତ ଥିଲା। ଦାଦା (ଗାଙ୍ଗୁଲି) ଏବଂ ବୀରୁ (ସେହବାଗ) ଦ୍ରୁତ ବେଗରେ ୧୦୦ ରନ୍ ଭାଗୀଦାରି କରିବା ପରେ ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଭାରତ ୧୪୬/୫ରେ ପହଞ୍ଚିଥିଲା। ଯୁବରାଜ ସିଂହ (୬୯) ଏବଂ ମହମ୍ମଦ କୈଫ (୮୭*)ଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗୀଦାରି ଦଳକୁ ବିଜେତା କରାଇଥିଲା। କୈଫ ନିଜର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ ଏବଂ ଦଳ ୩ ବଲ୍ ପୂର୍ବରୁ ବିଜୟୀ ହେବା ପରେ ଲର୍ଡସ ବାଲକୋନିରେ ଜର୍ସି ଖୋଲି ଉଡ଼ାଇବା ଗାଙ୍ଗୁଲିଙ୍କୁ ଅନ୍ୟ ଏକ ପରିଚୟ ଦେଇଥିଲା। ଆମେ ସେଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ପାଳିଥିଲୁ ବୋଲି ରାତ୍ରା ପ୍ରକାଶ କରିଥିଲେ। ଏହା ପୂର୍ବରୁ ଭାରତ ଗସ୍ତରେ ଦିନିକିଆ ଶୃଙ୍ଖଳାକୁ ଇଂଲଣ୍ଡ ୩-୩ କରିବା ସମୟରେ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍‌ ସାର୍ଟ ଖୋଲି ପଡିଆରେ ଦୌଡ଼ିବାର ଜବାବ ଦାଦା ଲର୍ଡସରେ ଦେଇଥିଲେ।

ସମ୍ବନ୍ଧିତ ଖବର