ମହିଳା ଫୁଟ୍‌ବଲ୍‌ରେ ନୂଆ ଅଧ୍ୟାୟ, କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାରରୁ ଗୋଲ୍ଡ କପ୍

ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାକୁ ଶ୍ରଦ୍ଧାଞ୍ଜଳିଙ୍କ ଆହ୍ବାନ

ଭୁବନେଶ୍ବର: ଓଡ଼ିଶା ମହିଳା ଫୁଟବଲ୍‌ରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟ୍‌ବଲ୍ ପ୍ରତିଯୋଗିତା ଅନୁଷ୍ଟିତ ହେବ। ଏହି ଚାରି ଦଳୀୟ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହେବ। ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗୋଲ୍ଡ କପ୍-୨୦୧୯ରେ ଆୟୋଜକ ଭାରତ ସମେତ ଇରାନ, ମିଆଁମାର ଓ ନେପାଳ ଅଂଶ ଗ୍ରହଣ କରିବେ। ଯାହାକୁ ‌ନେଇ ରାଜ୍ୟ ଫୁଟବଲ୍ ଜଗତ ବେଶ୍ ଉତ୍ସାହିତ ଅଛି। ଗୋଲ୍ଡ କପ୍ କେବଳ ଓଡ଼ିଶା ନୁହେଁ ଭାରତରେ ମଧ୍ୟ ପ୍ରଥମ ଥର ପାଇଁ ଆୟୋଜିତ ହେବ। ଭାରତୀୟ ଦଳ ଏଥିରେ ଭଲ କରି ଅଲିମ୍ପିକ୍ସ ଯୋଗ୍ୟତା ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି କରିବା ଲକ୍ଷ୍ୟରେ ରହିଛି। ମେମୋଲ୍ ରକିଙ୍କ ପ୍ରଶିକ୍ଷଣରେ ଗତ କିଛି ମାସ ହେବ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ସ୍ତରରେ ଭଲ କରି ଆସିଛି। ଗତବର୍ଷ ନଭେମ୍ବରରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡ ପାର କରିଛି। ସେହିଭଳି ଚଳିତ ବର୍ଷ ଜାନୁଆରିରେ ହଂକଂ ଓ ଇଣ୍ଡୋ‌ନେସିଆ ବିପକ୍ଷରେ ଲଗାତାର ଚାରିଟି ବିଜୟ ହାସଲ କରିଛି। ଏହି ଅବସରରେ ମୋଟ ୧୧ ଗୋଲ୍ ଦେଇଥିଲା ବେଳେ ୩ ମ୍ୟାଚ୍‌ରେ କୌଣସି ଗୋଲ୍ ବରଣ କରିନାହିଁ। ଏଣୁ ଗୋଲ୍ଡ କପ୍ ଅବସରରେ ଭାରତ ଉଚ୍ଚ ମାନ୍ୟତାପ୍ରାପ୍ତ ମିଆଁମାରଏବଂ ଇରାନକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ନେପାଳ ସର୍ବନିମ୍ନ ମାନ୍ୟତା ଦଳ ଭାବେ ଏହି ପ୍ରତିଯୋଗିତାରେ ଖେଳିବ।

କଳିଙ୍ଗ ଷ୍ଟାଡିୟମରେ ହେଉଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥାନୀୟ ଦର୍ଶକ ଖୋଲା ହୃଦୟରେ ସମର୍ଥନ ଦେଇଛନ୍ତି। ପୂର୍ବରୁ ସେମାନେ ଅନେକ ପୁରୁଷ ମ୍ୟାଚ୍ ଦେଖିଛନ୍ତି। ପ୍ରଥମ ଥର ପାଇଁ ଏଠାରେ ଏକ ଅନ୍ତର୍ଜାତୀୟ ମହିଳା ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହେଉଛି। ମ୍ୟାଚ୍‌ର ଟାଇମିଂ ମଧ୍ୟ ଭଲ ରହିଛି। ଏଣୁ ପଡ଼ିଆକୁ ଆସି ମ୍ୟାଚ୍ ଦେଖିବା ସହ ଭାରତୀୟ ଦଳକୁ ସମର୍ଥନ କରିବାକୁ ମୁଁ ରାଜ୍ୟର ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଆହ୍ବାନ କରୁଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଗୋଲ୍ଡ କପ୍ ମହିଳା ଫୁଟ୍‌ବଲ୍‌କୁ ନେଇ ବେଶ୍ ଉତ୍ସାହିତ ଥିବା ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏହା କହିଛନ୍ତି। ଓଡ଼ିଶାରେ ମହିଳା ଫୁଟ୍‌ବଲ୍‌କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିବା ଶ୍ରଦ୍ଧାଞ୍ଜଳି ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଭଲ କରିବ ବୋଲି ମଧ୍ୟ ଦୃଢ଼ ଆଶା ପୋଷଣ କରିଛନ୍ତି। ‌ଭାରତୀୟ ଦଳର ସମ୍ଭାବନା ନେଇ ପ୍ରତିକ୍ରିୟା‌ ପ୍ରକାଶ କରି ସେ କହିଛନ୍ତି ଯେ ମିଆଁମାର ଓ ଇରାନ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ। ହେଲେ ଭାରତୀୟ ଦଳ ନିକଟ ଅତୀତରେ ବହୁତ ଭଲ ପ୍ରଦର୍ଶନ କରିଛି। ଦଳରେ ମଧ୍ୟ ଅନେକ ପ୍ରତିଭାବାବାନ ଖେଳାଳି ଅଛନ୍ତି। ଏଣୁ ଏହି ଦୁଇ ଦଳକୁ ଭାରତୀୟ ଖେଳାଳିମାନେ କଡ଼ା ଟକ୍କର ଦେବେ ବୋଲି ମୋର ଆଶା ଓ ବିଶ୍ବାସ। ଅବଶ୍ୟ ଖେଳ ଶେଷ ହେବା ନଯାଏ କିଛି କହିହୁଏ ନାହିଁ। ତଥାପି ଓଡ଼ିଶା ମାଟିରେ ଗୋଲ୍ଡ କପ୍ ଜିତି ଭାରତ ନୂଆ ଇତିହାସ ରଚିବ ବୋଲି ମୁଁ ଆଶା କରୁଛି। ଅଲିମ୍ପିକ୍ସ ଯୋଗ୍ୟତା ଦ୍ବିତୀୟ ପର୍ଯ୍ୟାୟ ପୂର୍ବରୁ ଖେଳା ଯାଉଥିବାରୁ ଭାରତୀୟ ଦଳରେ ଥିବା ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବା ଲାଗି ଗୋଲ୍ଡ କପ୍ ଏକ ବଳିଷ୍ଠ ମଞ୍ଚ ହେବ। ଓଡ଼ିଶାରେ ମହିଳା ଫୁଟ୍‌ବଲ୍‌ର ବିକାଶ ଲାଗି ମଧ୍ୟ ଏହା ବେଶ୍ ସହାୟକ ହେବ ବୋଲି ଶ୍ରଦ୍ଧାଞ୍ଜଳି ମତ ରଖିଛନ୍ତି। ସ୍ଥାନୀୟ ତାରକା ଜବାମଣୀ ଟୁଡୁଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଜବାମଣୀ ଦୀର୍ଘ ଦିନ ହେବ ଭାରତ ପକ୍ଷରୁ ବିଭିନ୍ନ ସ୍ତରୀୟ ଫୁଟବଲ୍ ଖେଳି ଆସୁଛି। ମାତ୍ର ୧୮ ବର୍ଷ ବୟସରେ ସେ ଅନେକ ସଫଳତା ସାଉଣ୍ଟି ସାରିଲାଣି। ସେ ଅନେକ ଦିନ ପର୍ଯ୍ୟନ୍ତ ଭାରତୀୟ ଦଳରେ ରହିବ। ଏପରିକି ଦିନେ ନା ଦିନେ ସେ ଦଳର ନେତୃତ୍ବ ଭାର ମଧ୍ୟ ପାଇବ। ସୂଚନାଯୋଗ୍ୟ ଯେ ଅତୀତରେ ଶ୍ରଦ୍ଧାଞ୍ଜଳି ଭାରତୀୟ ଦଳର ସହାୟକ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି।

ଯୁବ ଭାରତୀୟ ଦଳ
ଗୋଲ୍ଡ କପ୍‌ରେ ଭାରତ ଏକ ଯୁବ ଦଳ ଖେଳାଇବ। କାରଣ ସଂପ୍ରତି ଭାରତୀୟ ଦଳରେ ଥିବା ଖେଳାଳିଙ୍କ ମଧ୍ୟରୁ ୮ ଜଣଙ୍କ ବୟସ ହେଉଛି ୨୩ ବର୍ଷ କିମ୍ବା ତା’ଠାରୁ କମ୍। ଓଡ଼ିଶାର ୧୮ ବର୍ଷୀୟା ଅନ୍ତର୍ଜାତୀୟ ଖେଳାଳି ଜବାମଣୀ ଟୁଡୁ ମଧ୍ୟ ଭାରତୀୟ ଦଳରେ ଅଛନ୍ତି। ୨୫ ବର୍ଷୀୟା ଆଶାଲତା ଦେବୀ ହେଉଛନ୍ତି ଦଳର ସବୁଠାରୁ ବରିଷ୍ଠ ଖେଳାଳି। ସେ ଅନ୍ୟ ଖେଳାଳିଙ୍କ ପାଇଁ ଏକପ୍ରକାରର ମାର୍ଗଦର୍ଶକ ଦାୟିତ୍ବ ତୁଲାଉଛନ୍ତି। ଯାହାକୁ ନେଇ ପ୍ରଶିକ୍ଷିକା ମେମୋଲ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ମୁଁ ସବୁବେଳେ ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦେଇ ଆସିଛି। ସେମାନେ ଦଳକୁ ନୂଆ ସ୍ତରରେ ପହଞ୍ଚାଇ ପରିବେ ବୋଲି ମୋର ଆଶା ଓ ବିଶ୍ବାସ। ଇରାନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ଆକ୍ରମଣାତ୍ମକ ଓ ଦ୍ରୁତ ଫୁଟବଲ୍ ଖେଳିବ ବୋଲି ସେ ସୂଚନା ଦେଇଛନ୍ତି। ମୋ ସହ ୧୬ ଏବଂ ୧୯ ବର୍ଷରୁ କମ୍ ଫୁଟବଲ୍ ଖେଳିଥିବା ଅନେକ ଖେଳାଳି ସାଂପ୍ରତିକ ଭାରତୀୟ ଦଳରେ ଅଛନ୍ତି। ବରିଷ୍ଠ ଖେଳାଳିମା‌ନେ ଧୈର୍ଯ୍ୟର ସହ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ଆମେ ଏକ ବଡ଼ ପରିବାର ଭଳି ଚଳୁଛୁ ବୋଲି ଜବାମଣୀ କହିଛନ୍ତି।

ସମ୍ବନ୍ଧିତ ଖବର