ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍ ବିଜୟ

ଟନ୍‌ଟନ୍: ବିଶ୍ବକପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଶନିବାର ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ୍ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ପ୍ରଭାବୀ ବୋଲିଂ କରିଥିବା କିୱି ଦଳ ଆଫାଗାନିସ୍ତାନକୁ ୧୭୨ ରନ୍‌ରେ ସୀମିତ କରି ଦେଇଥିଲା। ଆଫଗାନିସ୍ତାନ ପକ୍ଷରୁ ମାତ୍ର ୪ ଜଣ ହସତୁଲ୍ଲା ସାହିଦି (୫୯, ୯୯ ବଲ୍‌), ହର୍ଜାତୁଲା ଜଜାଇ (୩୪), ନୁର ଅଲୀ ଜର୍ଦାନ (୩୧), ଅଫତାବ ଆଲାମ (୧୪) ଦୁଇ ଅଙ୍କ ଛୁଇଁ ପାରିଥିଲେ। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଜେମ୍ସ ନିସାମ (୧୦-୧-୩୧-୫) ଏବଂ ଲୋକି ଫର୍ଗୁସନ୍‌ (୯.୧-୩-୩୭-୪) ଘାତକ ବୋଲିଂ କରି ମିଳିତ ଭାବେ ୯ ୱିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ପ୍ରଥମ ବଲରେ ମାର୍ଟିନ୍ ଗପ୍ଟିଲଙ୍କୁ ହରାଇଥିବା ନ୍ୟୁଜିଲାଣ୍ଡ୍‌ ପାଇଁ ଅଧିନାୟକ କେନ୍ ୱିଲିୟମ୍‌ସନ୍ (୭୯*, ୯୯ ବଲ୍‌, ୯ ଚୌକା) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ। ଗପ୍ଟିଲଙ୍କ ଭଳି ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ କଲିନ୍ ମୁନରୋ (୨୨, ୨୪ ବଲ)ଙ୍କୁ ମଧ୍ୟ ଅଫତାବ ଆଲାମ ଆଉଟ୍ କରିଥିଲେ। ରସ୍ ଟେଲର୍ (୪୮, ୫୨ ବଲ୍‌, ୬ ଚୌକା, ୧ ଛକା)ଙ୍କୁ ସାଥି କରି ୱିଲିୟମ୍‌ସନ୍ ଦ୍ବିତୀୟ ୱିକେଟରେ ୮୯ ରନ୍ ଭାଗୀଦାରି କରିବା ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା। ଟମ୍ ଲଥାମ (୧୩*) ମଧ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲା। ଆଫଗାନିସ୍ତାନ ୪୧.୧ ଓଭରରେ ୧୭୨ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିବାବେଳେ ନ୍ୟୁଜିଲାଣ୍ଡ୍ ୩୨.୧ ଓଭରରେ ୩ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରି ନେଇଥିଲା। ରସ ଟେଲରଙ୍କୁ ଅର୍ଧଶତକରୁ ବଞ୍ଚିତ ରଖିଥିବା ଅଫତାମ (୩/୪୫) ବାଂଲାଦେଶର ସଫଳତମ ବୋଲର ଥିଲେ। ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଜିମ୍ମି ନିସାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର