ନ୍ୟୁଜିଲାଣ୍ଡ୍‌କୁ ୭ ଓ୍ଵିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଟେ୍ଵଣ୍ଟି-୨୦ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା

ସିଡ୍‌ନି: ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡକୁ ନେଇ ଶନିବାରଠୁ ଆରମ୍ଭ ହୋଇଛି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ୨ ପଏଣ୍ଟ୍‌ରୁ ଅଭିଯାନ ଆରମ୍ଭ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ୍‌ କଲିନ୍‌ ଗ୍ରାଣ୍ଡ୍‌ହୋମେଙ୍କ ୩୮, ରସ୍‌ ଟେଲରଙ୍କ ୨୪ ଓ ବ୍ଲଣ୍ଡେଲ୍‌ଙ୍କ ୧୪ ରନ୍‌ ବଳରେ ୯ ଓ୍ଵିକେଟ୍‌ ହରାଇ ୧୧୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ଆଣ୍ଡରୁ ଟାଇ ୨୩ ରନ୍‌ରେ ୪ ଓ ଷ୍ଟାନ୍‌ଲେକ୍‌ ୧୫ ରନ୍‌ରେ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ୍‌ ପାଳି ପରେ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ଫଳରେ ଅଷ୍ଟ୍ରେଲିଆ ସମ୍ମୁଖରେ ପରିବର୍ତିତ ଲକ୍ଷ୍ୟ ୧୫ ଓଭରରେ ୯୫ ରନ୍‌ ଧାର୍ଯ୍ୟ ହୋଇଥିଲା। ଯାହାକୁ କି କ୍ରିସ୍‌ ଲିନ୍‌ଙ୍କ ୪୪, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ଙ୍କ ଅପରାଜିତ ୪୦ ରନ୍‌ ବଳରେ ଅଷ୍ଟ୍ରେଲିଆ ୧୧.୩ ଓଭରରେ ହାସଲ କରିନେଇଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ୨ ଓ ଟିମ୍‌ ସାଉଥି ଗୋଟିଏ ଓ୍ଵିକେଟ୍‌ ପାଇଥିଲେ। ବିଲି ଷ୍ଟାନ୍‌ଲେକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର