ଏବେ ପ୍ରମୋଦଙ୍କ ଉପରେ ନଜର, ଓଡ଼ିଶାକୁ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିବାକୁ ଚେଷ୍ଟା କରିବେ

ଟୋକିଓ ପାରାଲିମ୍ପିକ୍ସର ଏକକ ଓ ମିଶ୍ରିତ ବ୍ୟାଡମିଣ୍ଟନ୍‌ରେ ଲଢ଼ିବେ

ଭୁବନେଶ୍ବର: ଓଡ଼ିଶା ପାଇଁ ଟୋକିଓ ପାରାଲିମ୍ପିକ୍ସର ଢେର ମହତ୍ବ ରହିବ। କାରଣ ଏଠାରେ ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସରେ ବି ଆମ ରାଜ୍ୟ ପ୍ରଥମ ପଦକ ପାଇବାର ଆଶା ଯଥେଷ୍ଟ ଅଧିକ। ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଏହି ପ୍ରତୀକ୍ଷିତ ଆଶା ପୂରଣ କରିପାରନ୍ତି। ୧୯୯୬ ମସିହାରେ ଦିଲୀପ ତିର୍କି ପ୍ରଥମ ଓଡ଼ିଆ ଭାବେ ଅଲିମ୍ପିକ୍ସ ପଦାର୍ପଣ କରିଥିଲେ। ଏହାର ଦୀର୍ଘ ୨୫ ବର୍ଷ ପରେ ଟୋକିଓରେ ହିଁ ଓଡ଼ିଶାକୁ ପ୍ରଥମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପଦକ ମିଳିଛି। ଓଡ଼ିଶା ମାଟିର ଦୁଇ ସୁଯୋଗ୍ୟ ସନ୍ତାନ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଦୀର୍ଘ ୪୧ ବର୍ଷର ବ୍ୟବଧାନ ପରେ ପୁରୁଷ ହକିରୁ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ।

ଓଡ଼ିଶାକୁ ଏମାନେ କାଂସ୍ୟ ପଦକ ଆଣିଥିଲା ବେଳେ ରାଜ୍ୟ କ୍ରୀଡ଼ାପ୍ରେମୀ ପ୍ରମୋଦଙ୍କଠାରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଆଶା କରୁଛନ୍ତି। ସେ ମଧ୍ୟ ଏଥିଲାଗି କଠିନ ପରିଶ୍ରମ କରିଛନ୍ତି। ଖାଲି ସେତିକି ନୁହେଁ ଚମତ୍କାର ଫର୍ମରେ ବି ଅଛନ୍ତି। ଏଣୁ ଚଳିତ ବର୍ଷ ଓଡ଼ିଶାକୁ ଅଲିମ୍ପିକ୍ସ ଭଳି ପାରାଲିମ୍ପିକ୍ସରୁ ବି ପଦକ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରମୋଦ କିନ୍ତୁ ଓଡ଼ିଶାର ଦ୍ବିତୀୟ ଖେଳାଳି ଭାବେ ପାରାଲିମ୍ପିକ୍ସରେ ଅଂଶ ଗ୍ରହଣ କରିବେ। କାରଣ ୧୩ ବର୍ଷ ପୂର୍ବେ ରାଜ୍ୟର ପ୍ରଥମ ଓ ଏକମାତ୍ର ପାରାଥଲେଟ୍ ଭାବେ ମାର୍କଣ୍ଡ ରେଡ୍ଡୀ ୨୦୦୮ ବେଜିଂ ଅଲିମ୍ପିକ୍ସ ଖେଳିଥିଲେ। ପୁରୁଷ ୧୦୦ ମିଟରର ଟି-୪୬ ବର୍ଗରେ ସେ ନିଜ ହିଟ୍‌ର ପଞ୍ଚମ ସ୍ଥାନରେ ରହି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ପ୍ରମୋଦ ଟୋକିଓ ପାରାଲିମ୍ପିକ୍ସରେ ଏକକ ସହ ମିଶ୍ରିତ ବର୍ଗ ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ମିଶ୍ରିତ ଯୁଗଳରେ ପଲକ କୋହଲିଙ୍କୁ ସାଥୀ କରି ଖେଳିବେ ସେ।

ସୂଚନାଯୋଗ୍ୟ ଯେ ଟୋକିଓ ପାରାଲିମ୍ପିକ୍ସ ଚଳିତ ମାସ ୨୪ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ପୁରୁଷ ଏସଏଲ-୩ ଏକକ ବ୍ୟା‌ଡମିଣ୍ଟନ୍‌ରେ ପ୍ରମୋଦ ସେପ୍ଟେମ୍ବର ପହିଲାରେ ତାଙ୍କ ଅଭିଯାନ ଆରମ୍ଭ କରିବେ। ସେହିଦିନ ମଧ୍ୟ ନିଜ ପ୍ରଥମ ମିଶ୍ରିତ ଯୁଗଳ ମ୍ୟାଚ୍ ଖେଳିବେ। ପ୍ରମୋଦ ଚଳିତ ମାସ ୨୭ ତାରିଖରେ ଟୋକିଓ ଅଭିମୁଖେ ଯାତ୍ରା କରିବେ। ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି କମଳାକାନ୍ତ ରଥ, ସଂପାଦକ ଲୋକନାଥ ମହାନ୍ତି ଏବଂ ଅନ୍ୟ ସଦସ୍ୟମାନେ ବୁଧବାର ଟୋକିଓ ପହଞ୍ଚିଥିବା ପ୍ରଥମ ଦଫା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର