ଓସିଏ ନିର୍ବାଚନ, ଭୁବନେଶ୍ବରକୁ ସଭାପତି, କଟକକୁ ସମ୍ପାଦକ ପଦ!

ଚର୍ଚ୍ଚାରେ ପଙ୍କଜ-ନବ, ସ˚ଜୟ-ପ୍ରଦୀପ ଟକ୍କର

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ରେ ଆଗାମୀ ନିର୍ବାଚନ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସେପ୍ଟେମ୍ବର ୧୪ରେ ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ସରିଛି, କିନ୍ତୁ ନିର୍ବାଚନ ଅଧିକାରୀ ଏପର୍ଯ୍ୟନ୍ତ ମିଳୁନାହାନ୍ତି। ତଥାପି ଏହାର ଯଥେଷ୍ଟ ଆଗରୁ ସ˚ଘର ମଙ୍ଗ କିଏ ଧରିବ ତାହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର‌୍‌ ଧରିଲାଣି। ନିର୍ବାଚନରେ ଏଥର ନୂଆ କର୍ମକର୍ତ୍ତା ଆସିବେ। ହେଲେ କ୍ଷମତାଶାଳୀ ଦୁଇ ପଦ ସଭାପତି ଓ ସମ୍ପାଦକ ପାଇଁ ଏବେଠୁ ଦୌଡ଼ ଆରମ୍ଭ ହୋଇଗଲାଣି। ଦୁଇଟି ଗୋଷ୍ଠୀ ଏଥର ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ଗୋଟିଏ ଗୋଷ୍ଠୀ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନେତୃତ୍ବରେ ରହୁଥିବା ବେଳେ ଅନ୍ୟଟି ପୂର୍ବତନ କୋଷାଧ୍ୟକ୍ଷ ତଥା ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ସମ୍ପାଦକ ପ୍ରଦୀପ ଚୌହାନଙ୍କ ନିୟନ୍ତ୍ରଣରେ ରହୁଛି। ଉଭୟ ହେଭିୱେଟ୍‌ ନିଜନିଜ ମଧ୍ୟରେ ତାଙ୍କର ପ୍ୟାନେଲ୍‌ ପ୍ରାୟତଃ ସ୍ଥିର କରିସାରିଲେଣି। କିନ୍ତୁ କାଳେ କିଏ ପ୍ରଭାବିତ ହେବ, ସେଥିପାଇଁ ଏବେଠାରୁ ତାହାକୁ ଘୋଷଣା କରିବାକୁ ପଛାଉଛନ୍ତି। ଏସବୁ ମଧ୍ୟରେ ସଭାପତି ଓ ସମ୍ପାଦକ ପଦ ପାଇଁ ମୁଖ୍ୟତଃ ୪ଟି ନାମ ଏବେ ଚର୍ଚ୍ଚାରେ ରହିଛି। ଭୁବନେଶ୍ବର ହାତରେ ସଭାପତି ଓ କଟକ ହାତରେ ସମ୍ପାଦକ ରହୁଥିବା ବେଳେ ଅନ୍ୟ ତିନିଟି ପଦବି ଜିଲ୍ଲାମାନଙ୍କ ଭିତରେ ବାଣ୍ଟି ଦେବାକୁ ଯୋଜନା ହେଉଥିବା ଶୁଣାଯାଉଛି।

ସଭାପତି ପାଇଁ ଆଶୀର୍ବାଦଙ୍କ ଗୋଷ୍ଠୀରୁ କଟକ ଜିଲ୍ଲା ଦୌଡ଼କୁଦ ସ˚ଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ଅଲିମ୍ପିକ ସ˚ଘର ପୂର୍ବତନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏବ˚ ପ୍ରଦୀପ ଚୌହାନଙ୍କ ଗୋଷ୍ଠୀରୁ ଓସିଏର ପୂର୍ବତନ ଉପସଭାପତି ନବର˚ଜନ ପଟ୍ଟନାୟକଙ୍କ ନାମ ଅଧିକ ଆଲୋଚନା ହେଉଛି। ଲୋଧା ସମିତି ସୁପାରିସ ଅନୁଯାୟୀ, କ୍ରିକେଟ ବ୍ୟତୀତ ଅନ୍ୟ କୌଣସି କ୍ରୀଡ଼ା ସ˚ଘରେ କର୍ମକର୍ତା ଥିଲେ କ୍ରିକେଟ ସ˚ଘରେ କର୍ମକର୍ତା ହୋଇପାରିବେନି। ତେଣୁ ଗତବର୍ଷଠୁ ଓଡ଼ିଶା ଅଲିମ୍ପିକ ସ˚ଘରୁ ପଙ୍କଜ ଇସ୍ତଫା ଦେଇସାରିଥିଲା ବେଳେ ଗତ ତିନିଦିନ ତଳେ କଟକ ଜିଲ୍ଲା ଦୌଡ଼କୁଦ ସ˚ଘ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିନଥିଲେ। ଏଥିସହିତ ସେ ଗତ ତିନିବର୍ଷ ଧରି ଆଶୀର୍ବାଦ ବେହେରାଙ୍କ ନିକଟତର ରହି ଆସୁଛନ୍ତି। ଉଭୟଙ୍କ ମଧ୍ୟରେ ନିବିଡ଼ତା ଏମିତି ଯେ ଗତ ଦୁଇ ମାସ ତଳେ ଭୁବନେଶ୍ବରର ଏକ ହୋଟେଲ୍‌ରେ ପଙ୍କଜଙ୍କ ଘରୋଇ ଉତ୍ସବ ଅବସରରେ ଓସିଏର ବିଭିନ୍ନ ଜିଲ୍ଲା ସମ୍ପାଦକମାନଙ୍କୁ ନେଇ ଆଶୀର୍ବାଦ ନିର୍ବାଚନ ସମ୍ବନ୍ଧୀୟ ବୈଠକ କରାଇ ପାରିଥିଲେ। ଦିନ ତମାମ ଜିଲ୍ଲାର ପ୍ରତିନିଧିମାନେ ହୋଟେଲରେ ସମୟ ବିତାଇଥିଲେ। ସେହିପରି ଓସିଏ ସମ୍ବିଧାନରୁ ଯେତେବେଳେ କ୍ଲବ୍‌, ସ୍କୁଲ୍‌, କଲେଜଗୁଡ଼ିକୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦିଆଯାଇଥିଲା, ସେତେବେଳେ ସମସ୍ତଙ୍କୁ ଏକାଠି କରାଇବା ଓ କୋର୍ଟ ମାମଲାରେ ନବ ଅଗ୍ରଣୀ ଭୂମିକା ନେଉଥିଲେ। କଟକରେ ଯେତେଥର କ୍ଲବ୍‌, ସ୍କୁଲ୍‌, କଲେଜଗୁଡ଼ିକୁ ନେଇ ବୈଠକ ବସିଥିଲା, ସେତେବେଳେ ସେମାନଙ୍କର ଦରଦୀ ବନ୍ଧୁ ଭାବେ ନବ ଛିଡ଼ା ହେଉଥିଲେ। ତେଣୁ ସଭାପତି ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ଲଢ଼େଇ ହେବା ସମ୍ଭାବନା ରହୁଥିବା ଆଲୋଚନା ହେଉଛି।

ସେହିପରି ସମ୍ପାଦକ ପଦ ପାଇଁ ଆଶୀର୍ବାଦଙ୍କ ସାନ ପୁଅ ତଥା ବର୍ତ୍ତମାନ ଫାଓର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସ˚ଜୟ ବେହେରାଙ୍କ ନାମ ଅଧିକ ଶୁଣାଯାଉଛି। ବଡ଼ ପୁଅ ସତ୍ୟବ୍ରତ ଉପରେ ଆଶୀର୍ବାଦ ଅଧିକ ଭରସା କରୁଥିଲେ ବି, ଅସୁସ୍ଥତା କାରଣରୁ ତାଙ୍କୁ ନିର୍ବାଚନଠୁ ଦୂରେଇ ରଖିପାରନ୍ତି। ଏ ପରିସ୍ଥିତିରେ ଓସିଏକୁ ନିଜ ନିୟନ୍ତ୍ରଣରେ ରଖିବାକୁ ହେଲେ ପୁଅ ସ˚ଜୟ ହିଁ ଅନ୍ୟତମ ବିକଳ୍ପ। କିନ୍ତୁ ଏଥିପାଇଁ ତାଙ୍କୁ ଅଗଷ୍ଟ ୧୪ ତାରିଖ ପୂର୍ବରୁ ଫାଓରୁ ଇସ୍ତଫା ଦେବାକୁ ପଡ଼ିବ। ଯଦିଓ ସ˚ଜୟ ପୂର୍ବରୁ ଏହି ପଦ ପାଇଁ ଆଗ୍ରହୀ ନଥିବା କହିଆସୁଛନ୍ତି, କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଆଶୀର୍ବାଦଙ୍କ ନିର୍ଭରଯୋଗ୍ୟ ଆଉ କେହି ନାହାନ୍ତି। ଅନ୍ୟପଟେ କଟକର ସମସ୍ତ କ୍ଲବ୍‌, ସ୍କୁଲ୍‌ ଓ କଲେଜଗୁଡ଼ିକ ଏବେ ତାଙ୍କ ବିରୋଧରେ ଯାଇଛନ୍ତି। ଏଭଳି ସ୍ଥିତିରେ ଅଲିମ୍ପିକ ସ˚ଘ ପରି କୌଣସି ଡମି ବ୍ୟକ୍ତିଙ୍କୁ ଏହି ପଦବିରେ ବସାଇପାରନ୍ତି ବୋଲି କୁହାଯାଉଛି। ତେବେ ଆଶୀର୍ବାଦଙ୍କ ସମ୍ପାଦକ ପ୍ରାର୍ଥୀଙ୍କୁ ଟକ୍କର ଦେବା ପାଇଁ ଏଥର ମଇଦାନକୁ ଓହ୍ଲାଇପାରନ୍ତି ଖୋଦ ପ୍ରଦୀପ ଚୌହାନ। ରାଜ୍ୟ କ୍ରିକେଟ୍‌ ମହଲରେ ଆଶୀର୍ବାଦ ଓ ପ୍ରଦୀପଙ୍କ ସ˚ପର୍କ କାହାକୁ ଅଜଣା ନଥିବ। ଓସିଏ ସମ୍ବିଧାନରେ ସ୍କୁଲ୍‌, କଲେଜ ଓ କ୍ଲବ୍‌ଗୁଡ଼ିକୁ ପୁନଃ ସଦସ୍ୟତା ଫେରାଇ ଆଣିବାରେ ପ୍ରଦୀପ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ନିଜେ ଦିଲ୍ଲୀ ଓ ବମ୍ବେ ଯାଇ ଏମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ତେଣୁ ଏତେବଡ଼ ସ˚ଗ୍ରାମର ନେତୃତ୍ବ ନେଉଥିବାରୁ ସେ ସମ୍ପାଦକ ପ୍ରାର୍ଥୀ ପାଇଁ ଉପଯୁକ୍ତ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେବେ ନିର୍ବାଚନ ବେଳେ ଜିଲ୍ଲାଗୁଡ଼ିକର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ। ସଭାପତି ପଦ ଭୁବନେଶ୍ବର ଓ ସମ୍ପାଦକ କଟକ ମଧ୍ୟରେ ସୀମିତ ରହିବ ବୋଲି ଆଲୋଚନା ହେଉଥିବା ବେଳେ ଉପସଭାପତି, ସହସମ୍ପାଦକ, କୋଷାଧ୍ୟକ୍ଷ ପଦ ଜିଲ୍ଲାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ତେଣୁ କେଉଁ ଜିଲ୍ଲାଗୁଡ଼ିକୁ ଏହି ଦୁଇ ଗୋଷ୍ଠୀ କିଭଳି ଭାବେ ପ୍ରଭାବିତ କରିପାରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହୁଛି।

ସମ୍ବନ୍ଧିତ ଖବର