କରୋନା ପ୍ରଭାବ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଅବଶିଷ୍ଟ ୨ଟି ମ୍ୟାଚ୍‌ ବାତିଲ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ୨ଟି ମ୍ୟାଚ୍‌ ବାତିଲ କରି ଦିଆଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବିସିସିଆଇର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅବଶିଷ୍ଟ ୨ଟି ମ୍ୟାଚ୍‌ ଲକ୍ଷ୍ନୌ ଓ କୋଲକାତାରେ ଅନୁଷ୍ଠିତ ହେବାର ଥିଲା।

ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଖେଳାଯାଇପାରି ନଥିଲା। ଧର୍ମଶାଳାରେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଦାଉ ସାଜିଥିଲା। କରୋନା ଭାଇରସର ଭୟଙ୍କର ରୂପକୁ ଦୃଷ୍ଟିରେ ରଖି ଶୃଙ୍ଖଳାର ବାକି ୨ଟି ମ୍ୟାଚକୁ ବାତିଲ କରାଯାଇଛି।

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ବାତିଲ ହେବା ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ନେଇ ଦେଖା ଦେଇଥିବା ସଙ୍କଟ ଦୃଷ୍ଟିରୁ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାକୁ ଥିଲା। ଆଜିର ଗୁଗୁତ୍ୱପୂର୍ଣ୍ଣ ବୈଠକରେ ଆଇପିଏଲ୍‌ ଟିମର ମାଲିକମାନେ ଖେଳ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ଅନ୍ୟ ପକ୍ଷରେ ଦିଲ୍ଲୀ ସରକାର ଆଇପିଏଲ୍‌ ଖେଳ ଦିଲ୍ଲୀରେ ହୋଇପାରିବ ନାହିଁ ବୋଲି ଘୋଷଣା କରିଥିଲେ।

ତେଣେ କେନ୍ଦ୍ର ସରକାର ବିଦେଶୀଙ୍କୁ ଭିସା ଜାରି ଉପରେ ଗୁରୁବାର ସାନି ଅଙ୍କୁଶ ଜାରି କରିଛନ୍ତି। ଫଳରେ ଚଳିତ ବର୍ଷର ଆଇପିଏଲ୍‌ ପାଇଁ ଏପ୍ରିଲ୍‌ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଭାରତ ଆସିପାରିବେ ନାହିଁ।

ସମ୍ବନ୍ଧିତ ଖବର