ଆୟୋଜକ ମାନିଲେ ‘ସ୍ଥଗିତ ବାସ୍ତବ ବିକଳ୍ପ’ ଆସନ୍ତା ବର୍ଷକୁ ଘୁଞ୍ଚିବ ଅଲିମ୍ପିକ୍ସ

ଓହରି‌େଲ କାନାଡା, ଅଷ୍ଟ୍ରେଲିଆ

ଟୋକିଓ: ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଠିକଣା ସମୟରେ ହେବ ବୋଲି ଆଶା ରଖିଥିଲେ ମଧ୍ୟ ଟୋକିଓ ୨୦୨୦ ଆୟୋଜନ ସମିତି ବିଶ୍ବାସ କରୁଛି ‘ବାତିଲ ହିଁ ବାସ୍ତବ ବିକଳ୍ପ’। ସୋମବାର ଆୟୋଜନ ସମିତି ପକ୍ଷରୁ କୁହାଯାଇଛି ‘କରୋନା ଏକ ବିଶ୍ବ ମହାମାରୀ ପାଲଟିଛି, ଅଲିମ୍ପିକ୍ସ ବାତିଲ ସମ୍ପର୍କରେ ଆମେ ନିଷ୍ପତ୍ତି ନେଉନାହିଁ, କିନ୍ତୁ ଏହା ହିଁ ବାସ୍ତବ ବିକଳ୍ପ ବୋଲି ବିଚାର କରୁଛୁ’। ଆୟୋଜନ ସମିତି ସଭାପତି ୟାସିରୋ ମୋରି କହିଛନ୍ତି ‘ମୁଁ ଏତେ ବୋକା ନୁହେଁ ଯେ କହିବି ପୂର୍ବ ଯୋଜନା ଅନୁସାରେ ଅଲିମ୍ପିକ୍ସ ଚାଲିବ’। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି ସହିତ ଜାପାନ ଆଲୋଚନା କରି ବିକଳ୍ପ ସନ୍ଧାନରେ ରହିଛି। ବିଳମ୍ବ ହେଲେ ଅତିରିକ୍ତ ଖର୍ଚ କଥା ମଧ୍ୟ ବିଚାର କରାଯାଉଛି। ଆସନ୍ତା ୩/୪ ସପ୍ତାହ ପରେ ନିଷ୍ପତ୍ତି ନେବାକୁ ପଡିବ। ଆମେ ଆଦୌ ଅଲିମ୍ପିକ୍ସ ବାତିଲ ସମ୍ପର୍କରେ ଚିନ୍ତା କରୁନାହୁଁ ବୋଲି କହିଛନ୍ତି ଅୟୋଜନ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ତୋଶିରୋ ମୁତୋ। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସ ମଶାଲ ରିଲେ କିନ୍ତୁ ପୂର୍ବ ଯୋଜନା ଅନୁସାରେ ଚାଲିବ। ସରକାରୀ ସଚେତନତା ସତ୍ତ୍ବେ ୫୦୦ ଜଣଙ୍କୁ ନେଇ ଏକ ଦଳ ଗଠିତ ହୋଇଛି। ଶୁକ୍ରବାର ମଧ୍ୟ ଅଲିମ୍ପିକ୍ସ ମଶାଲ ଜାପାନ ପହଞ୍ଚିବ ବୋଲି ମୁତୋ ପ୍ରକାଶ କରିଥିଲେ। ତେବେ ଆଇଓସିର ବରି‌ଷ୍ଠ ସଦସ୍ୟ ଡିକ୍‌ ପାଉଣ୍ଡ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୧ ମସିହାକୁ ଘୁଞ୍ଚିବାର ସର୍ବାଧିକ ସମ୍ଭାବନା ରହିଛି। ଏଥିନେଇ ଆସନ୍ତା କିଛିଦିନ ଭିତରେ ଆନୁଷ୍ଠାନିକ ଘୋଷଣା କରାଯିବ।

ଓହରି‌େଲ କାନାଡା, ଅଷ୍ଟ୍ରେଲିଆ
ମଣ୍ଟ୍ରିଲ୍: କରୋନା ଭୂତାଣୁ ଓ ମହାମାରୀର ପ୍ରଭାବ କାରଣରୁ ପ୍ରଥମ ଦେଶ ଭାବେ କାନାଡ଼ା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରୁ ଓହିରିଯାଇଛି। ବିଗତ ୪୮ ଘଣ୍ଟା ମଧ୍ୟରେ ବିଶ୍ବବ୍ୟାପୀ ଅଲିମ୍ପିକ୍ସ ସଂଘ ଏବଂ ଖେଳାଳିମାନେ ପ୍ରବଳ ବିରୋଧ କରି ଆସୁଥିବାବେଳେ କାନାଡ଼ା ପ୍ରଥମେ କଡ଼ା ନିଷ୍ପତ୍ତି ନେଇଛି। କାନାଡ଼ା ଅଲିମ୍ପିକ୍ସ ସମିତି ଏବଂ ପାରାଲିମ୍ପିକ୍ସ ସମିତି ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। କରୋନା କାରଣରୁ ବିଶ୍ବରେ ୧୮୮ ଦେଶ ସଂକ୍ରମିତ ହେବା ଏବଂ ୧୫,୦୦୦ ପ୍ରାୟ ପ୍ରାଣ ହରାଇବା ପରେ ଉପରୋକ୍ତ ଦୁଇ ଅଲିମ୍ପିକ୍ସ ସମିତି ଜରୁରୀ ବୈଠକ ଡାକି ପ୍ରଥମେ ଓହରିଯିବାକୁ ପସନ୍ଦ କରିଛନ୍ତି। ଟୋକିଓ ଅଲିମ୍ପିକ୍ସକୁ ସମ୍ପୂର୍ଣ୍ଣ ବାତିଲ କିମ୍ବା ଅନ୍ୟନ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି), ଅନ୍ତର୍ଜାତୀୟ ପାରା ଅଲିମ୍ପିକ୍ସ ସମିତି (ଆଇପିସି) ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)କୁ ମଧ୍ୟ ଦେଶର ଦୁଇ ସଂଘ ଅନୁରୋଧ କରିଛନ୍ତି। ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପଛରେ ପକାଯାଇପାରିବ ନାହିଁ ବୋଲି କୁହାଯାଇଛି। କାନାଡ଼ା ଓହରିଯିବା ମଧ୍ୟ ଆଇଓସି ଉପରେ ଅତିରିକ୍ତ ଚାପ ପକାଇଛି। ଏହା ମଧ୍ୟ ବିଶ୍ବ ଦୌଡ଼କୁଦ ସଂଘ, ଅନ୍ୟ ଦେଶର ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ସଂଘ ଉପରେ ଚାପ ପକାଇଛି।

କାନାଡା ପରେ ଅଷ୍ଟ୍ରେଲିଆ ଦ୍ବିତୀୟ ଦେଶ ଭାବେ ଟୋକିଓ ଅଲିମ୍ପିକ୍ସରୁ ସୋମବାର ଓହରି ଯାଇଛି। ‌କରୋନା ଆତଙ୍କ ପାଇଁ ଟୋକିଓ ଅଲିମ୍ପିକ୍ସ ଲାଗି ଖେଳାଳିଙ୍କୁ ଏକତ୍ରିତ କରାଯିବ ନାହିଁ ବୋଲି ଅଷ୍ଟ୍ରେଲୀୟ ଅଲିମ୍ପିକ୍ସ ସମିତି (ଏଓସି) ଆଜି ଘୋଷଣା କରିଛି। ଏଓସିର ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ୍ କ୍ୟାରୋଲ କହିଛନ୍ତି ଯେ ଏହି ନିଷ୍ପତ୍ତି ନେବା ଲାଗି ଆମେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦର ପରମର୍ଶକୁ ଅପେକ୍ଷା କରି ପାରିବୁ ନାହିଁ। କାନାଡା ଓ ଅଷ୍ଟ୍ରେଲିଆ ପରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆଉ କେତେକ ଦେଶ ମଧ୍ୟ ଅଲିମ୍ପିକ୍ସରୁ ଓହରିଯିବାର ଆଶଙ୍କା ରହିଛି। ସେଥିପାଇଁ ପୂର୍ବରୁ ନିର୍ଧାରିତ ସମୟରେ ଅଲିମ୍ପିକ୍ସ ଆୟୋଜନ ଜିଦରେ ଅଟଳ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି ତା’ ନିଷ୍ପତ୍ତିର ପୁନର୍ବିଚାର କରିବାର ସଙ୍କେତ ସୋମବାର ଦେଇଛି।

ସମ୍ବନ୍ଧିତ ଖବର