ଗୋଟିଏ ଓଭରରେ ୬ ଛକା: ଶାସ୍ତ୍ରୀ ଓ ଯୁବରାଜଙ୍କ ସମକକ୍ଷ ହେଲେ କାର୍ଟର

ଅକ୍‌ଲାଣ୍ଡ୍‌: ନ୍ୟୁଜିଲାଣ୍ଡ୍‌ ବ୍ୟାଟ୍‌ସମ୍ୟାନ୍‌ ଲିଓ କାର୍ଟର ରବିବାର ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଗୋଟିଏ ଓଭରରେ ୬ ଛକା ମାରିବାରେ ସେ ଭାରତୀୟ ତାରକା ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ସମକକ୍ଷ ହୋଇଛନ୍ତି। ଏଥି ସହିତ ସେ ବିଶ୍ବର ସପ୍ତମ କ୍ରିକେଟର୍‌ ଭାବେ ଇତିହାସ ପୃଷ୍ଠାରେ ନିଜ ନାମକୁ ଯୋଡ଼ିଛନ୍ତି। କାର୍ଟର ନ୍ୟୁଜିଲାଣ୍ଡ୍‌ର ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୁପର ସ୍ମାସ୍‌’ରେ କାଣ୍ଟରବରି କିଙ୍ଗ୍‌ସ ପକ୍ଷରୁ ଖେଳି ନର୍ଦର୍ଣ୍ଣ ନାଇଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା ହାତେଇଛନ୍ତି। ହଗ୍‌ଲେ ଓଭାଲ୍‌ ପଡ଼ିଆରେ ୨୫ ବର୍ଷ ବୟସ୍କ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ କାର୍ଟର ପ୍ରତିପକ୍ଷ ଦଳର ଲେଗ୍‌ ସ୍ପିନର ଅଣ୍ଟନ ଡେଭ୍‌ସିକ୍‌ଙ୍କ ଗୋଟିଏ ଓଭରର ୬ ବଲ୍‌କୁ ୬ ଛକା ମାରିଥିଲେ। ଏହି ପାଳିରେ ସେ ୨୯ ବଲ୍‌ରୁ ମୋଟ ୭୦ ରନ୍‌ କରି ଅପରାଜିତ ରହିଥିଲେ। ଆଉ ତାଙ୍କ ବିସ୍ଫୋରକ ପାଳି ବଳରେ କାଣ୍ଟରବରି କିଙ୍ଗ୍‌ସ ଦଳ ୨୨୦ ରନ୍‌ର ପିଛା କରି ୭ ୱିକେଟ୍‌ର ବିଜୟ ହାସଲ କରିଥିଲା।

ମୋଟାମୋଟି ଭାବେ କାର୍ଟର ବିଶ୍ବ କ୍ରିକେଟ୍‌ (ଉଭୟ ଘରୋଇ ଓ ଆନ୍ତର୍ଜାତିକ ସ୍ତରର)ରେ ସପ୍ତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏଭଳି ସଫଳତା ପାଇବାରେ ଗ୍ୟାରି ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ୍‌ସ ଗିବ୍‌ସ, ଯୁବରାଜ ସିଂହ, ୱରସେଷ୍ଟସାୟାରର ରସ୍‌ ହ୍ବାଇଟ୍‌ଲି ଏବଂ ଆଫ୍‌ଗାନିସ୍ତାନର ହଜରତୁଲ୍ଲା ଜଜାଇଙ୍କ ଏଲିଟ୍‌ କ୍ଲବ୍‌ରେ ସାମିଲ ହୋଇଯାଇଛନ୍ତି। ଅନ୍ୟପକ୍ଷରେ କାର୍ଟର ଚତୁର୍ଥ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ (ଉଭୟ ଘରୋଇ ଓ ଆନ୍ତର୍ଜାତିକ)ରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତାଙ୍କ ପୂର୍ବରୁ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଭାରତର ଯୁବରାଜ ସିଂହ (୨୦୦୭), ହ୍ବାଇଟ୍‌ଲି (୨୦୧୭) ଓ ଜଜାଇ (୨୦୧୮) ଏହି କୀର୍ତ୍ତିମାନର ଅଧିକାରୀ ହୋଇସାରିଥିଲେ।

ସମ୍ବନ୍ଧିତ ଖବର