ଅଭ୍ୟାସ ମ୍ୟାଚ୍‌ରେ ବି ପ୍ରାରମ୍ଭିକ ଯୋଡ଼ି ବିଫଳ: ବିହାରୀ ଓ ପୂଜାରା ସମ୍ମାନ ରଖିଲେ, ଭାରତ ୨୬୩

ହାମିଲଟନ୍‌: ଦିନିକିଆ ଶୃଙ୍ଖଳା ଭଳି ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ରେ ବି ପ୍ରାରମ୍ଭିକ ଯୋଡ଼ି ବିଫଳତା ଭାରତକୁ ଚିନ୍ତାରେ ପକାଇଛି। ଶୁକ୍ରବାରଠୁ ଏଠାରେ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ପ୍ରାରମ୍ଭିକ ଯୋଡ଼ି ପୃଥ୍ବୀ ସ ଓ ମୟଙ୍କ ଅଗ୍ରୱାଲ ପୂରା ନିରାଶ କରିଥିଲେ। ସ’ ଖାତା ଖୋଲିବାକୁ ସମର୍ଥ ହୋଇନଥିଲା ବେଳେ ମୟଙ୍କ ୧ ରନ୍‌ କରିଥିଲେ। ସେମାନଙ୍କ ବ୍ୟତୀତ ଟେଷ୍ଟ୍‌ ଦଳରେ ସ୍ଥାନ ପାଇବାକୁ ଆଶାୟୀ ଅନ୍ୟତମ ଯୁବ ତାରକା ଶୁବମନ୍‌ ଗିଲ୍‌ ମଧ୍ୟ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଏହି ତିନି ଯୁବ ତାରକାଙ୍କୁ ସ୍କଟ୍‌ କୁଗ୍‌ଲାଇନ୍‌ ଶିକାର କରିନେଇଥିଲେ। ଅନ୍ୟପକ୍ଷରେ ବରିଷ୍ଠ ଖେଳାଳି ଆଜିଙ୍କ୍ୟ ରହାଣେ ମାତ୍ର ୧୮ ରନ୍‌ କରିପାରିଥିଲେ। ଏକ ସମୟରେ ୫ ରନ୍‌ରେ ୩ ଓ ୩୮ ରନ୍‌ରେ ୪ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଭାରତ ପୁଣି ୧୮ ରନ୍‌ ମଧ୍ୟରେ ଶେଷ ୫ ୱିକେଟ୍‌ ହରାଇଥିଲା। ତେବେ ହନୁମା ବିହାରୀ (୧୦୧ ରନ୍‌, ୧୮୨ ବଲ୍‌, ୧୦ ଚୌକା, ୩ ଛକା) ଶତକ ଓ ଅଭିଜ୍ଞ ଚେତେଶ୍ବର ପୂଜାରା (୯୩ ରନ୍‌, ୨୧୧ ବଲ୍‌, ୧୧ ଚୌକା, ୧ ଛକା) ଅର୍ଧଶତକ ଜମାଇ ଦଳର ସମ୍ମାନ ରଖିଥିଲେ। ଉଭୟେ ପଞ୍ଚମ ୱିକେଟ୍‌ରେ ୧୯୫ ରନ୍ ଯୋଡ଼ି ସମ୍ମାନ ରଖିବାରୁ ଭାରତ ତା’ ପ୍ରଥମ ପାଳିରେ ୭୮.୫ ଓଭର ଖେଳି ୨୬୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିହାରୀ ଓ ପୂଜାରାଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରିନଥିଲେ। ବିହାରୀ ଶତକ ହାସଲ ପରେ ରିଟାୟର୍ଡ ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ୍‌ (୭), ଉମେଶ ଯାଦବ (୯*) ଓ ରବୀନ୍ଦ୍ର ଜାଦେଜା (୮) ଏକ ଅଙ୍କ ଟପିପାରିନଥିଲା ବେଳେ ରିଦ୍ଧିମାନ ଶାହା (୦) ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୦) ମଧ୍ୟ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ତେବେ ଅନ୍ୟମାନଙ୍କୁ ପରଖିବା ପାଇଁ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିନଥିଲେ। ନ୍ୟୁଜିଲାଣ୍ଡ ଏକାଦଶ ପକ୍ଷରୁ ଦ୍ରୁତ ବୋଲର କୁଗ୍‌ଲାଇନ୍‌ ଓ ଲେଗ୍‌ ସ୍ପିନର ଈଶ୍‌ ସୋଢ଼ି ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲା ବେଳେ ଜାକ୍‌ ଗିବ୍‌ସନ୍‌ ୨ ଓ ଡାରିଲ ମିଚେଲ ଗୋଟିଏ ୱିକେଟ୍‌ ପାଇଥିଲେ। ଭାରତ ପାଳି ଶେଷ ପରେ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା।

ସମ୍ବନ୍ଧିତ ଖବର