ଓସାକାଙ୍କୁ ଦ୍ବିତୀୟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି

ରାଜୀବ-ବାର୍ବୋରାଙ୍କୁ ମିଶ୍ରିତ ଯୁଗଳ ଟ୍ରଫି, ଆଜି ପୁରୁଷ ଏକକ ଫାଇନାଲ

ମେଲ୍‌ବର୍ଣ୍ଣ: କରୋନା ମହାମାରୀ ପରବର୍ତୀ ମହିଳା ଟେନିସ୍‌ରେ ନୂଆ ଗ୍ରାଣ୍ଡ୍‌ସ୍ଲାମ୍‌ ସାମ୍ରାଜ୍ଞୀଙ୍କୁ ଦେଖିବାକୁ ମିଳିଲା। ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତିଲେ ନାଓମି ଓସାକା। ଏହି ଜାପାନ ଲଳନା ଶନିବାର ଫାଇନାଲ୍‌ରେ ୨୨ତମ ମାନ୍ୟତାପ୍ରାପ୍ତ ଆମେରିକାର ଜେନିଫର ବ୍ରାଡିଙ୍କୁ ସିଧାସଳଖ ୬-୪ ଓ ୬-୩ ସେଟ୍‌ରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ବିଜୟିନୀ ହୋଇଛନ୍ତି। ସେ ମଧ୍ୟ ତାଙ୍କ ବିଜୟଧାରାକୁ ୨୧କୁ ଲମ୍ବାଇଛନ୍ତି। ଏଥି ସହିତ ତୃତୀୟ ମାନ୍ୟତାପ୍ରାପ୍ତ ଓସାକା ନିଜର ଚତୁର୍ଥ ବୃହତ୍‌ ଟ୍ରଫି କରାୟତ୍ତ କରିଛନ୍ତି। ଏପରିକି ଗ୍ରାଣ୍ଡ୍‌ସ୍ଲାମ୍‌ ଜିତିବାରେ ପ୍ରଥମ ଜାପାନୀ ମହିଳା ଭାବେ ଗୌରବ ପାଇଥିବା ୨୩ ବର୍ଷ ବୟସ୍କା ଓସାକା ନିଜର ଗତ ୯ ଗ୍ରାଣ୍ଡ୍‌ସ୍ଲାମ୍‌ରୁ ଚତୁର୍ଥ ଟ୍ରଫି ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୯ରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିଲା ବେଳେ ୨୦୧୮ ଓ ୨୦୨୦ରେ ୟୁଏସ୍‌ ଓପନ୍‌ ବିଜୟିନୀ ହୋଇଥିଲେ।

ରାଜୀବ-ବାର୍ବୋରାଙ୍କୁ ମିଶ୍ରିତ ଯୁଗଳ ଟ୍ରଫି
ଆମେରିକାର ରାଜୀବ ରାମ ଏବଂ ଚେକ୍‌ ଗଣରାଜ୍ୟର ବାର୍ବୋରା କ୍ରେସିକୋଭା ଯୋଡ଼ି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ମିଶ୍ରିତ ଯୁଗଳ ଟ୍ରଫି ଜିତି ନେଇଛନ୍ତି। ଶନିବାର ଫାଇନାଲ୍‌ରେ ଏହି ଷଷ୍ଠ ମାନ୍ୟତାପ୍ରାପ୍ତ ଯୋଡ଼ି ସିଧାସଳଖ ୫୯ ମିନିଟ୍‌ ଲଢ଼ିବା ମଧ୍ୟରେ ୬-୧ ଓ ୬-୪ ସେଟ୍‌ରେ ସ୍ଥାନୀୟ ୱାଇଲ୍‌ଡକାର୍ଡ ଯୋଡ଼ି ମାଥ୍ୟୁ ଏବ୍‌ଡେନ୍‌ ଓ ସାମନ୍ଥା ସ୍ତୋସୁରଙ୍କୁ ପରାସ୍ତ କରିଛନ୍ତି। ମେଲ୍‌ବର୍ଣ୍ଣ ପାର୍କରେ କ୍ରେସିକୋଭାଙ୍କର ଏହା କ୍ରମାଗତ ତୃତୀୟ ମିଶ୍ରିତ ଯୁଗଳ ଟ୍ରଫି ହୋଇଛି। ରାମଙ୍କୁ ସାଥୀ କରି ୨୦୧୯ରେ ଏବଂ ନିକୋଲା ମେକ୍‌ଟିକ୍‌ଙ୍କ ସହିତ ଗତବର୍ଷ ସେ ଏଠାରେ ବିଜୟିନୀ ହୋଇଥିଲେ।

ଆଜି ପୁରୁଷ ଏକକ ଫାଇନାଲ
ଅଷ୍ଟ୍ରେଲିଆନ୍‌ ଓପନ୍‌ ରବିବାର ପୁରୁଷ ଏକକ ଫାଇନାଲ୍‌ ସହିତ ଶେଷ ହେବ। ଟ୍ରଫି ପାଇଁ ଏହି ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ନୋଭାକ୍‌ ଜୋକୋଭିକ୍‌ଙ୍କ ସହ ଲଢ଼ିବେ ଚତୁର୍ଥ ମାନ୍ୟତାପ୍ରାପ୍ତ ଡାନିଲ ମେଦ୍‌ଭେଦେଭ୍‌। ଗତଥରର ବିଜେତା ସର୍ବିଆ ତାରକା ଜୋକୋଭିକ୍‌ ନିଜର ଅଷ୍ଟାଦଶ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛନ୍ତି।

ଓସାକାଙ୍କ ଖେଳ ଜୀବନ

୨୦୧୬ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଜଣେ ଯୋଗ୍ୟତାପର୍ଯ୍ୟାୟ ଖେଳାଳି ଭାବେ ଓସାକା ଗ୍ରାଣ୍ଡ୍‌ସ୍ଲାମ୍‌ ପଦାର୍ପଣ କରିଥିଲେ। ତୃତୀୟ ରାଉଣ୍ଡ୍‌ରେ ଭିକ୍ଟୋରିଆ ଆଜାରେଙ୍କାଙ୍କଠୁ ହାରିବା ପୂର୍ବରୁ ଦ୍ବିତୀୟ ରାଉଣ୍ଡ୍‌ରେ ଇଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ।

।୨୦୧୬ ଏପ୍ରିଲରେ ପ୍ରଥମ ଥର ଲାଗି ବିଶ୍ବ ମାନ୍ୟତାର ଶ୍ରେଷ୍ଠ ୧୦୦ ମଧ୍ୟରେ ପ୍ରବେଶ କରିଥିଲେ। ଗତବର୍ଷ ସେ ଶ୍ରେଷ୍ଠ ୫୦ରେ ପହଞ୍ଚିଥିଲେ।
।ତିନିଟି ଗ୍ରାଣ୍ଡ୍‌ ସ୍ଲାମ୍‌ରେ ତୃତୀୟ ରାଉଣ୍ଡ୍‌ ଏବଂ ପ୍ରଥମ ଥର ଡବ୍ଲୁଟିଏ ଫାଇନାଲ୍‌ ପହଞ୍ଚିବାର ସଫଳତା ବଳରେ ୨୦୧୬ରେ ସେ ଡବ୍ଲୁଟିଏ ଦ୍ବାରା ‘ବର୍ଷର ଶ୍ରେଷ୍ଠ ନବାଗତ’ ଖେଳାଳି ବିବେଚିତ ହୋଇଥିଲେ।
।୨୦୧୮ ମାର୍ଚ୍ଚରେ ଇଣ୍ଡିଆନ୍‌ ୱେଲ୍‌ସ ଜରିଆରେ ନିଜର ପ୍ରଥମ ଡବ୍ଲୁଟିଏ ଟ୍ରଫି ଜିତିଥିଲେ। ଟ୍ରଫି ଜିତିବା ମଧ୍ୟରେ ସେ ମାରିଆ ସାରାପୋଭା, କାରୋଲିନା ପ୍ଲିସ୍‌କୋଭା ଓ ସିମୋନା ହାଲେପ୍‌ଙ୍କ ଭଳି ଦକ୍ଷ ଖେଳାଳିଙ୍କୁ ମାତ୍‌ ଦେଇଥିଲେ। ସେହି ୨୦୧୮ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସେରେନା ୱିଲିୟମ୍‌ସଙ୍କୁ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ। ଏହି ସଫଳତା ବଳରେ ସେ ପଞ୍ଚମ ମାନ୍ୟତାରେ ବର୍ଷ ଶେଷ କରିଥିଲେ।
।୨୦୧୯ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ପେଟ୍ରା କ୍ବିତୋଭାଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିନେଇଥିଲେ। ଫଳରେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଜିତିବା ପରବର୍ତୀ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିବା କ୍ଷେତ୍ରରେ ସେ ଜେନିଫର କାପ୍ରିଆତି (୨୦୦୧)ଙ୍କ ପରେ ପ୍ରଥମ ଜାପାନୀ ଖେଳାଳି ହୋଇଥିଲେ।
।୨୦୨୦ରେ ଆଜାରେଙ୍କାଙ୍କୁ ପରାସ୍ତ କରି ୟୁଏସ୍‌ ଓପନ୍‌ ଟ୍ରଫି କରାୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର