ପୂର୍ବ ନିର୍ଦ୍ଦେଶ ପ୍ରତ୍ୟାହାର, ନୂଆ କରି ହେବ ନାମଲେଖା

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ନାମଲେଖା ପ୍ରସଂଗ

ଭୁବନେଶ୍ୱର: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ) ପାଇଁ ପୂର୍ବରୁ ହୋଇଥିବା ନାମ ଲେଖା ପ୍ରକ୍ରିୟା (ଆଦେଶ ସଂଖ୍ୟା ୧୧୦୭୧/ଏସ୍‌ଓ୍ଵାଇଏସ୍‌, ତା. ୮.୧୧.୧୭)କୁ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇ ପୁନଃ ଯୋଗ୍ୟତା ତାଲିକା ପ୍ରକାଶନ ଓ ନାମ ଲେଖା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ବିବାଦୀୟ ପରିସ୍ଥିତି ଏଡ଼ାଇବା ପାଇଁ ଆଡଭୋକେଟ ଜେନେରାଲଙ୍କ ପରାମର୍ଶ କ୍ରମେ ନାମ ଲେଖା ପ୍ରକ୍ରିୟା ପୁନଃ ଆରମ୍ଭ କରିବା ନିମନ୍ତେ ବିଭାଗ ତରଫରୁ ଜିସିପିଇ ଭୁବନେଶ୍ୱରର ଅଧ୍ୟକ୍ଷ ତଥା ଚୟନ ସମିତିର ମୁଖ୍ୟ ଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। କ୍ରୀଡ଼ା ବିଭାଗକୁ ଆଡଭୋକେଟ ଜେନେରାଲଙ୍କ ପକ୍ଷରୁ ଦିଆ ଯାଇଥିବା ପତ୍ରରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କର ଏକ ଯୋଗ୍ୟତା ତାଲିକା (କମନ ମେରିଟ ଲିଷ୍ଟ) ପ୍ରସ୍ତୁତ କରି ତାକୁ ଉଭୟ ନୋଟିସ ବୋର୍ଡ ଓ େଓ୍ଵବସାଇଟରେ ପ୍ରକାଶିତ କରିବା ତଥା ତହିଁରୁ ସଂରକ୍ଷଣ ନିୟମ ଅନୁସାରେ ପ୍ରଥମେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଓ ପରେ ସଂରକ୍ଷିତ ସ୍ଥାନ ଗୁଡ଼ିକୁ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ପୂର୍ବରୁ ହୋଇଥିବା ନାମଲେଖା ସମୟରେ ଏହି ପଦ୍ଧତି ଅବଲମ୍ବନ କରାଯାଇଛି ତାହେଲେ ଯେଉଁ ପ୍ରାର୍ଥୀମାନଙ୍କ ନାମ ଲେଖା ହୋଇ ସାରିଛି ଓ ସେମାନେ ନୂଆ ଯୋଗ୍ୟତା ତାଲିକାରେ ଅଛନ୍ତି ସେମାନଙ୍କର ଏକ ଅତିରିକ୍ତ ତାଲିକା ପ୍ରକାଶ କରାଯାଇପାରେ ବୋଲି କୁହାଯାଇଛି। ଏହାର ଆଧାରରେ ବିଭାଗ ପକ୍ଷରୁ ଚୟନ ସମିତି ଅଧ୍ୟକ୍ଷଙ୍କୁ ଜାରି ନିର୍ଦ୍ଦେଶ (ସଂଖ୍ୟା ୨୦୪୦, ତା. ୧୭.୦୨.୧୮)ରେ ଶାରୀରିକ ପରୀକ୍ଷାରେ ଭାଗ ନେଇଥିବା ସମସ୍ତ ପ୍ରାର୍ଥୀଙ୍କ ଏକ ଯୋଗ୍ୟତା ତାଲିକା ପ୍ରସ୍ତୁତ କରି ତାକୁ ପ୍ରକାଶ କରିବାକୁ କୁହାଯାଇଛି। ତା’ପରେ ପୁଣି ସଂରକ୍ଷଣ ଆଧାରରେ ଯୋଗ୍ୟ ଶାରୀରିକ ପରୀକ୍ଷାରେ ଅତି କମରେ ୪୦% ନମ୍ବର ରଖିଥିବା ପ୍ରାର୍ଥୀ ମାନଙ୍କର ଏକ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ କୁହା ଯାଇଛି। ଏଜିଙ୍କ ପତ୍ରରେ ଯୋଗ୍ୟତା ତାଲିକା ପ୍ରକାଶ ପରେ ନାମ ଲେଖାଇବା ପାଇଁ ପରାମର୍ଶ ଦିଆ ଯାଇଥିଲାବେଳେ କ୍ରୀଡ଼ା ବିଭାଗ କିନ୍ତୁ ପୁଣି ଦୁଇଟି ତାଲିକା (ଯୋଗ୍ୟତା ତାଲିକା ଓ ଚୂଡ଼ାନ୍ତ ତାଲିକା) ପ୍ରସ୍ତୁତ ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର