ଇଂଲଣ୍ଡର ଶୃଙ୍ଖଳା ବିଜୟ ନିଶ୍ଚିତ, ପାକିସ୍ତାନ କ୍ଲବ୍‌ ଦଳ ଭଳି ଖେଳୁଛି: ଅଖତର

ସାଉଥାମ୍ପଟନ୍‌: ପାକିସ୍ତାନକୁ ଫଲୋଅନ୍‌ ଖେଳାଇଥିବା ଇଂଲଣ୍ଡର ଶୃଙ୍ଖଳା ବିଜୟ ନିଶ୍ଚିତ‌‌‌ ହୋଇଛି। ବର୍ଷା କାରଣରୁ ଚଳିତ ତୃତୀୟ ତଥା ଶେଷ ଟେଷ୍ଟ୍‌ ଫଳାଫଳ କେବଳ ଇଂଲଣ୍ଡ ସପକ୍ଷରେ ଯିବାର ଏକମାତ୍ର ବିକଳ୍ପ ରହିବାରୁ ୧-୦ରେ ଆଗୁଆ ଥିବା ‌ଜୋ ରୁଟଙ୍କ ଘରୋଇ ଦଳ ଲଗାତାର ଦ୍ବିତୀୟ ଶୃଙ୍ଖଳା ବିଜୟ ଦ୍ବାରରେ ପହଞ୍ଚିଯାଇଛି। ଇଂଲଣ୍ଡର ବିଶାଳ ୫୮୩/୮ (ଘୋଷଣା) ଜବାବରେ ପାକିସ୍ତାନ ରବିବାର ୨୭୩ ରନ୍‌ କରିଥିଲା। ଚତୁର୍ଥ ଦିନରେ ବର୍ଷା ଓ ଓଦା ପଡ଼ିଆ କାରଣରୁ ସମ୍ପୂର୍ଣ୍ଣ ଖେଳ ହୋଇନଥିବାରୁ ପାକିସ୍ତାନ ମ୍ୟାଚ୍‌ ବଞ୍ଚାଇବାର ସୁଯୋଗ ପାଇଛି। ଖବର ଲେଖା ବେଳକୁ ଆଝାର ଅଲୀଙ୍କ ଦଳ ୨ ୱିକେଟ୍ ବିନିମୟରେ ୮୯ ରନ୍ କରିଥିଲା। ଅବିଦ ଅଲ୍ଲୀଙ୍କୁ ନିଜର ୫୯୯ ତମ ଶିକାର କରି ଜେମ୍ସ ଆଣ୍ଡରସନ୍‌ ମାଇଲଖୁଣ୍ଟ ଦ୍ବାରରେ ପହଞ୍ଚିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୫୮୩/୮, ଘୋଷିତ (ଜାକ୍ କ୍ରଲି-୨୬୭, ଜୋସ୍ ବଟ୍ଟଲର୍‌-୧୫୨, ଫୱାଦ ଆଲାମ-୨/୪୬, ସାହିନ୍ ସାହା ଆଫ୍ରିଦୀ-୨/୧୨୧, ୟାସିର୍ ସାହା-୨/୧୭୩)। ପାକିସ୍ତାନ ପ୍ରଥମ ପାଳି: ୨୭୧ (ଆଝାର ଅଲୀ-୧୪୧, ଜେମ୍ସ ଆଣ୍ଡରସନ୍‌-୫/୫୬, ଷ୍ଟୁଆର୍ଟ ବ୍ରଡ୍‌=୨/୪୦)। ପାକିସ୍ତାନ ଦ୍ବିତୀୟ ପାଳି (ଫଲୋଅନ୍): ୫୧ ଓଭରରେ ୮୯/୨ (ସାନ୍ ମାସୁଦ୍‌-୧୮, ଅବିଦ ଅଲୀ-୪୨, ଆଝାର୍ ଅଲୀ-୨୨*, ବାବର ଆଜମ୍‌-୦*, ଜେମ୍ସ ଆଣ୍ଡରସନ୍‌-୧/୧୭, ଷ୍ଟୁଆର୍ଟ ବ୍ରଡ୍‌-୧/୨୩)।

ପାକିସ୍ତାନ କ୍ଲବ୍‌ ଦଳ ଭଳି ଖେଳୁଛି: ଅଖତର
ଜାତୀୟ ଦଳର ଅସ୍ୱାଭାବିକ ପ୍ରଦର୍ଶନ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଆଝାର ଅଲ୍ଲୀଙ୍କ ଦଳ ଉପରେ ସେ ପ୍ରବଳ ବର୍ଷିବା ସହ କହିଛନ୍ତି ଅନ୍ତିମ ଟେଷ୍ଟ୍‌ରେ ଦଳ ନିକଟରେ ଆକ୍ରମଣାତ୍ମକ ଭାବ ଦେଖିବାକୁ ମିଳିନାହିଁ। ମୁଁ ଆକ୍ରମଣାତ୍ମକ ବୋଲରଙ୍କ ମନୋଭାବ ଦେଖିଛି। ୱିକେଟ୍‌ ନେବା ଲାଗି ସେମାନଙ୍କ ପାଖରେ ଆଗ୍ରହ ଥାଏ। ପାକିସ୍ତାନ ବୋଲରଙ୍କ ନିକଟରେ ଏହା ଦେଖିବାକୁ ମିଳିଲାନି। ବୋଲରମାନଙ୍କୁ ଏବେ କ’ଣ ଶିଖାଯାଉଛି ମୁଁ ଜାଣିନି। ମୁଁ ଜାଣି ପାରୁନି କାହିଁକି ଆକ୍ରମଣର ଅଭାବ ରହୁଛି। ଆମେ ନେଟ୍‌ ବୋଲର ନୁହଁ ଟେଷ୍ଟ୍‌ ଖେଳୁଛେ। ପାକିସ୍ତାନ ଏକ କ୍ଲବ ଦଳ ଭଳି ଦେଖାଯାଉଛି ବୋଲି ୪୪ ବର୍ଷୀୟ ଏହି ପୂର୍ବତନ ଦ୍ରୁତ ବୋଲର କହିଛନ୍ତି।

ସମ୍ବନ୍ଧିତ ଖବର