ପାକିସ୍ତାନର ପ୍ରଥମ ବିଜୟ, ଆଜି ବାଂଲାକୁ ଭେଟିବ ଭାରତ

ଅକ୍‌ଲାଣ୍ଡ: ଚଳିତ ମହିଳା ବିଶ୍ବକପ୍‌ରେ ପାକିସ୍ତାନ ୪ ପରାଜୟ ପରେ ସୋମବାର ପ୍ରଥମ ବିଜୟ ପାଇ ପଏଣ୍ଟ୍‌ ଖାତା ଖୋଲିଛି। ବର୍ଷା ଯୋଗୁଁ ‌ପାକିସ୍ତାନ ଓ ୱେଷ୍ଟ୍‌ଇଣ୍ଡିଜ୍‌ ମ୍ୟାଚ୍‌ ୨୦ ଓଭର‌ିଆ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ୮ ୱିକେଟ୍‌ରେ ଇଣ୍ଡିଜ୍‌କୁ ପରାସ୍ତ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟ୍‌ଇଣ୍ଡିଜ୍‌ ୭ ୱିକେଟ୍‌ ହରାଇ ୮୯ ରନ୍‌ କରିଥିଲା। ଦେଣ୍ଡ୍ରା ଡଟିନ ୨୭, ଷ୍ଟାଫାନି ଟେଲର ୧୮ ଓ ଆଫି ପ୍ଲେଚର ୧୨* ରନ୍‌ଙ୍କ ବାଦ୍‌ ଅନ୍ୟ କୌଣସି ବ୍ୟାଟର୍‌ ଦୁଇ ଅଙ୍କ ଛୁଇଁ ନଥିଲେ। ଜବାବରେ ପାକିସ୍ତାନ ୧୮.୨ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ମୁନୀବା ଅଲୀ ୩୭, ବିସ୍‌ମା ମାରୁଫ ୨୦* ଓ ଓମାଇମା ସୋହେଲ ୨୨* ରନ୍‌ କରିଥିଲେ। ପା‌କିସ୍ତାନର ନିଦା ଦର (୪-୦-୧୦-୪) ବୋଲିଂ ସଫଳତା ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଆଜି ବାଂଲାକୁ ଭେଟିବ ଭାରତ
ଚଳିତ ବିଶ୍ବକପ୍‌ରେ ୫ ମ୍ୟାଚ୍‌ରୁ ୨ ବିଜୟ ଓ ୩ ପରାଜୟ ସହ ୪ ପଏଣ୍ଟ୍‌ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଭାରତ ମଙ୍ଗଳବାର ବାଂଲାଦେଶକୁ ଭେଟିବ। ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଏହି ମ୍ୟାଚ୍‌ ଜିତିଲେ ଭାରତର ‌ସେମିଫାଇନାଲ୍‌ ଖେଳିବା ଆଶା ଉଜ୍ଜୀବିତ ରହିବ। ଗତ ଦୁଇ ମ୍ୟାଚ୍‌ ଇଂଲଣ୍ଡ ଓ ଅଷ୍ଟ୍ରେଲିଆଠୁ ହାରି ଯାଇଥିଲା ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ‌ସ୍କୋର କରିବା ସତ୍ତ୍ବେ ବୋଲରଙ୍କ ପ୍ରଭାବହୀନ ବୋଲିଂ ପାଇଁ ପରାଜୟର ମୁହଁ ଦେଖିଥିଲା। ଏଥିପାଇଁ ଭଲ କରୁନଥିବା ବ୍ୟାଟର୍‌ ସେଫାଳି ବର୍ମାଙ୍କୁ ବସାଇ ବୋଲିଂ ବିକଳ୍ପ ରଖୁଥିବା ଦୀପ୍ତି ଶର୍ମାଙ୍କୁ ବାଂଲା‌ ବିପକ୍ଷରେ ଖେଳାଇବାର ଦଳ ଚିନ୍ତା କରୁଛି। ହରମନ୍‌ପ୍ରୀତ କୌର ଫର୍ମକୁ ଫେରି ଥିବା ବେଳେ ତାଙ୍କ ନିକଟରେ ଅଫ୍‌ ସ୍ପିନ୍‌ ବିକଳ୍ପ ରହିଛି। ମିତାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଖେଳିଥିଲେ। ସ୍ମୃତି ମନ୍ଧାନା ମଧ୍ୟ ଭଲ ଖେଳୁଛନ୍ତି। ଏମାନଙ୍କୁ ନେଇ ଦଳ ବାଂଲା ବିପକ୍ଷରେ ବିଜୟ ଆଶା ରଖିଛି। ଅନ୍ୟପକ୍ଷରେ ବାଂଲାଦେଶ ୪ ମ୍ୟାଚ୍‌ ଖେଳି ୧ ବିଜୟ ସହ ୨ ପଏଣ୍ଟ୍‌ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଏହି ଦଳ କେବଳ ପାକିସ୍ତାନକୁ ହରାଇଥିଲା।

ସମ୍ବନ୍ଧିତ ଖବର