କୋରିଆ ଓପନରୁ ସିନ୍ଧୁ, ସାଇନା ଓ ପ୍ରଣୀତ ବିଦା : କାଶ୍ୟପ ଆଗେଇଲେ

ଇଞ୍ଚିଅନ୍‌ : ଏଠାରେ ଚାଲିଥିବା କୋରିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭରୁ ଦୁଇ ଭାରତୀୟ ମହିଳା ପିଭି ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ସହିତ ପୁରୁଷ ତା‌ରକା ବି ସାଇ ପ୍ରଣୀତ ବିଦାୟ ନେଇଛନ୍ତି। ବୁଧବାର ଏହି ତିନି ତାରକା ନିଜ ନିଜର ପ୍ରଥମ ରାଉଣ୍ଡ୍‌ ମୁକାବିଲା ହାରିଯାଇଛନ୍ତି। ବିଶ୍ବ ବିଜୟିନୀ ସିନ୍ଧୁ ପ୍ରଥମ ରାଉଣ୍ଡରେ ଆମେରିକାର ବିୱେନ୍‌ ଝାଙ୍ଗ୍‌ଙ୍କ ନିକଟରୁ ୭-୨୧, ୨୪-୨୨ ଓ ୧୫-୨୧ରେ ହାରି ଯାଇଥିଲା ବେଳେ ଉଭୟ ସାଇନା ଓ ପ୍ରଣୀତ ରିଟାୟର୍ଡ ହର୍ଟ ହୋଇଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦ୍ବୀ କିମ୍‌ ଗା ଇଉନ୍‌ଙ୍କ ବିପକ୍ଷରେ ପ୍ରଥମ ଗେମ୍‌କୁ ୨୧-୧୯ରେ ଜିତିବା ପରେ ଦ୍ବିତୀୟ ଓ ତୃତୀୟ ଗେମ୍‌ରେ ଯଥାକ୍ରମେ ୧୮-୨୧ ଓ ୧-୮ରେ ପଛୁ୍ଆ ଥିଲା ବେଳେ ଓହରି ଯାଇଥିଲେ। ସେ ଗ୍ୟାସ୍‌ ଜନିତ ସମସ୍ୟା ପାଇଁ ଓହରିବାକୁ ବାଧ୍ୟ ହୋଇଥିଲେ ବୋଲି ତାଙ୍କ ସ୍ବାମୀ ତଥା ବ୍ୟକ୍ତିଗତ ପ୍ରଶିକ୍ଷକ କାଶ୍ୟପ କହିଥିଲେ। ସେହିପରି ବିଶ୍ବ ପ୍ରତିଯୋଗିତାର କାଂସ୍ୟ ବିଜେତା ପ୍ରଣୀତ ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍‌ଙ୍କ ବିପକ୍ଷରେ ୯-୨୧ ଓ ୭-୧୧ରେ ପଛୁଆ ରହିଥିଲା ବେଳେ ଗୋଇଠି ଆଘାତ ଯୋଗୁଁ ଓହରିବାକୁ ବାଧ୍ୟ ହୋଇଥିଲେ।

ତେବେ ପରୁପଲ୍ଲୀ କାଶ୍ୟପ ଏକମାତ୍ର ଭାରତୀୟ ଭାବେ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ପୁରୁଷ ଏକକ ବର୍ଗ ପ୍ରଥମ ରାଉଣ୍ଡରେ କାଶ୍ୟପ ଚାଇନିଜ୍‌ ତାଇପେ ପ୍ରତିଦ୍ବନ୍ଦ୍ବୀ ଲୁ ଚିଆ ହଙ୍ଗ୍‌ଙ୍କ ବିପକ୍ଷରେ ୨୧-୧୬ ଓ ୨୧-୧୬ରେ ସହଜ ବିଜୟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର