ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲିଲେ ପେସ୍‌

କୋଣାର୍କ: ଭାରତ ପାଇଁ ଅନେକ ଗୌରବ ଆଣିଥିବା ପ୍ରଖ୍ୟାତ ଟେନିସ୍‌ ଖେଳାଳି ଲିଆଣ୍ଡର୍‌ ପେସ୍‌ ଶନିବାର କୋଣାର୍କରେ ଥିବା ଏକ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସେ ଆଜି ଅପରାହ୍‌ଣରେ କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବରେ ଥିବା ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଲୋଟସ୍‌ ରିସର୍ଟରେ ପହଞ୍ଚିବା ପରେ ପ୍ରକଳ୍ପର ପରିଚାଳକ ଭାରତଭୂଷଣ ବିଶ୍ବାଳ, ସେଫ୍ ସୁନୀଲ ପାଣିଗ୍ରାହୀଙ୍କ ସମେତ ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ କରିଥିଲେ। ସେ ଲୋଟସ୍‌ ରିସର୍ଟ ପରିସରରେ ପଇଡ଼ ପିଇବା ସହ ମଧ୍ୟାହ୍ନ ଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ କୁଶଭଦ୍ରା ନଦୀ ଓ ବଙ୍ଗୋପସାଗରରୁ ଧରା ହୋଇଥିବା ସତେଜ ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ିରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ଖାଇଥିଲେ। ସଂପୂର୍ଣ୍ଣ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ଖଇଙ୍ଗା ମାଛ ବେସର ଖାଇବା ପରେ ସେ ଓଡ଼ିଆ ଖାଦ୍ୟର ମଜା କିଛି ଅଲଗା ବୋଲି ମତ ଦେଇଥିଲେ। ବେଳାମାର୍ଗରେ ସମୁଦ୍ରର ମନୋଲୋଭା ଦୃଶ୍ୟ ସହିତ ପ୍ରକୃତି କୋଳରେ ଏଭଳି ଏକ ପର୍ଯ୍ୟଟନ ପ୍ରକଳ୍ପ ରହିଥିବା କଥା ନଦେଖିଲେ ବିଶ୍ବାସ କରିହେବନି ବୋଲି ପେସ୍‌ ମତ ଦେଇଥିଲେ। କାର୍ଯ୍ୟବ୍ୟସ୍ତତା ପାଇଁ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିପାରିନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର