ଅଧଘଣ୍ଟା ଆଗରୁ ପ୍ଲେ ଅଫ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ପ୍ଲେଅଫ୍‌ ମ୍ୟାଚ୍‌ଗୁଡ଼ିକ ପୂର୍ବ ସୂଚୀଠାରୁ ଅଧଘଣ୍ଟା ଆଗୁଆ ହେବ। ଏବେ ରାତି ମ୍ୟାଚ୍‌ଗୁଡ଼ିକ ୮ଟା ଆରମ୍ଭ ହେଉଥିଲା ବେଳେ ସରିଲା ବେଳକୁ ପାଖାପାଖି ମଧ୍ୟରାତ୍ରୀ ଟପିଯାଉଛି। ଏଭଳି ବିଳମ୍ବକୁ ଏଡ଼ାଇବା ପାଇଁ ବିସିସିଆଇ ୮ଟା ପରିବର୍ତେ ରାତି ମ୍ୟାଚ୍‌ ପ୍ଲେଅଫ୍‌ରୁ ୭.୩୦ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମ୍ୟାଚ୍‌ର ଟସ୍‌ ରାତି ୭ଟାରେ ପଡ଼ିବ। ପ୍ଲେଅଫ୍‌ ମ୍ୟାଚ୍‌ ବ୍ୟତୀତ ଜୟପୁରରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ ମ୍ୟାଚ୍‌ଗୁଡ଼ିକ ମଧ୍ୟ ରାତି ୭.୩୦ରୁ ଆରମ୍ଭ ହେବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ଶନିବାର ଦିଲ୍ଲୀରେ ସିଓଏର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍‌ର ନିୟମ ଅନୁଯାୟୀ ମ୍ୟାଚ୍‌ର ପ୍ରତି ପାଳି ସାଙ୍ଗକୁ ଦୁଇଟି ଷ୍ଟ୍ରାଟେଜିକ୍‌ ଟାଇମ୍‌ଆଉଟ୍‌ ପାଇଁ ଦେଢ଼ଘଣ୍ଟା ଅବଧି ରହିଥିଲା ବେଳେ ଉଭୟ ପାଳି ମଧ୍ୟରେ ୨୦ ମିନିଟ୍‌ର ବିରତି ରହିଥାଏ। ହେଲେ ମନ୍ଥର ବୋଲିଂ, ଖେଳାଳିମାନଙ୍କ ଦ୍ବାରା ପାଣି ପିଇବା ସାଙ୍ଗକୁ ଉପକରଣ ବଦଳାଇବା ଭଳି କାରଣରୁ ମ୍ୟାଚ୍‌ରେ ବାରମ୍ବାର ବିଳମ୍ବ ଘଟୁଛି। ପୁଣି ଅଧିନାୟକମାନେ ମଧ୍ୟ ପଡ଼ିଆ ସଜାଇବାରେ ଯଥେଷ୍ଟ ସମୟ ଅପଚୟ କରୁଥିବା ବିଳମ୍ବର ପ୍ରମୁଖ କାରଣ ପାଲଟୁଛି। ଫଳରେ ୧୧.୨୦ ସୁଦ୍ଧା ସରିବାକୁ ଥିବା ମ୍ୟାଚ୍‌ ୧୨ଟା ପାଖାପାଖି ହୋଇଯାଉଛି। ସେଥିପାଇଁ ମଧ୍ୟ ଦଣ୍ଡର ବ୍ୟବସ୍ଥା ରହିଛି। ଯେଉଁଥିପାଇଁ ଚଳିତ ସଂସ୍କରଣରେ ୪ ଅଧିନାୟକ (ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ବିରାଟ କୋହଲି ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌) ୧୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଗଣିସାରିଲେଣି। ହେଲେ ମ୍ୟାଚ୍‌ ବିଳମ୍ବରୁ ବର୍ତିପାରୁନାହିଁ। ସେଥିପାଇଁ ପ୍ଲେଅଫ୍‌ରୁ ପ୍ରତି ମ୍ୟାଚ୍‌ ୮ଟା ପରିବର୍ତେ ରାତି ୭.୩୦ରୁ ଆରମ୍ଭ କରିବାକୁ ବିସିସିଆଇ ନିଷତ୍ତି ନେଇଛି।

ସମ୍ବନ୍ଧିତ ଖବର