ସାରାପୋଭାଙ୍କୁ ଜେରା କରିବ ଭାରତୀୟ ପୁଲିସ

ନୂଆଦିଲ୍ଲୀ: ଏକ ବିଳାଶବ୍ୟସନ ଗୃହ ପ୍ରକଳ୍ପ ଭୁଶୁଡ଼ିପଡ଼ିବା ଘଟଣାକୁ ନେଇ ରୁଷୀୟ ଟେନିସ୍‌ ସୁନ୍ଦରୀ ମାରିଆ ସାରାପୋଭାଙ୍କୁ ଭାରତୀୟ ପୁଲିସ ଜେରା କରିବ। ସାରାପୋଭାଙ୍କ ପ୍ରଚ୍ଛନ୍ନ ସହାୟତାରେ ଗଢି ଉଠିଥିବା ହୋମ୍‌ଷ୍ଟେଡ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭଲପ୍‌ମେଣ୍ଟ୍‌ ନାମକ ଏହି ପ୍ରକଳ୍ପ ଭୁଶୁଡ଼ିପଡ଼ିବା ଘଟଣାରେ ସାରାପୋଭା ଧୋକାବାଜି ଓ ଅପରାଧିକ ଷଡ଼ଯନ୍ତ୍ର କରିଥିବା ନେଇ ପୁଲିସ ନିକଟରେ ପ୍ରମାଣ ରହିଛି। ଫଳରେ ୫ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସାରାପୋଭା ଏହି ମାମଲାରେ ପୁଲିସ ତଦନ୍ତ ପରିସରକୁ ଆସିଛନ୍ତି। ଫଳରେ ଯେକୌଣସି ସମୟରେ ଭାରତୀୟ ପୁଲିସ ସାରାପୋଭାଙ୍କୁ ଜେରା କରିପାରେ ବୋଲି ମଙ୍ଗଳବାର ଜଣେ ଗୃହକ୍ରେତାଙ୍କ ଆଇନଜୀବୀ କହିଛନ୍ତି। ଏହି ପ୍ରକଳ୍ପ ଭୁଶୁଡ଼ିପଡ଼ିବା ପୂର୍ବରୁ ଗୃହକ୍ରେତାଙ୍କ ନିକଟରୁ ଲକ୍ଷାଧିକ ଡଲାର ଲେଖାଏଁ ଅର୍ଥ ନିଆଯାଇଥିଲା ବେଳେ ସଂପୃକ୍ତ ଆଇନଜୀବୀ ପୀୟୂଷ ସିଂହ ଅଭିଯୋଗ କରିଛନ୍ତି। ତେଣୁ ଧୋକାବାଜି ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ସାରାପୋଭାଙ୍କ ନାମରେ ପୁଲିସ୍‌ ମକଦ୍ଦମା ଦାୟର କରିଛି।
ଏଠାରେ ସୂଚନାଯୋଗ୍ୟ, ୩୦ ବର୍ଷ ବୟସ୍କା ଟେନିସ୍‌ ଲଳନା ସାରାପୋଭା ୨୦୧୨ରେ ଭାରତ ଆସି ନୂଆଦିଲ୍ଲୀର ସାଟେଲାଇଟ୍‌ ସହର ଗୁରୁଗାଓଁରେ ବ୍ୟୟବହୁଳ ଆପାର୍ଟମେଣ୍ଟ୍‌ କଂପ୍ଲେକ୍ସ ତିଆରି ଆରମ୍ଭ କରିଥିଲେ। ବାଲେଟ୍‌ ବାଇ ସାରାପୋଭା ନାମରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ୨୦୧୬ରେ ଶେଷ ହେବାର ପ୍ରସ୍ତାବ ରହିଥିଲା। ପ୍ରକଳ୍ପ ମଧ୍ୟରେ ଗୋଟିଏ ଟେନିସ୍‌ ଏକାଡେମି, ଗୋଟିଏ କ୍ଲବ୍‌ ହାଉଓ୍‌ ଓ ଗୋଟିଏ ହେଲିପ୍ୟାଡ୍‌ ରହିବ ବୋଲି ଗୃହକ୍ରେତାମାନଙ୍କୁ ପ୍ରଲୋଭନ ଦେଇଥିଲେ। ଏପରିକି ଏହି ପ୍ରକଳ୍ପ ଗୃହକ୍ରେତାମାନଙ୍କୁ ସ୍ୱତନ୍ତ୍ର ଅନୁଭବ ଓ ଭିନ୍ନ ପରିବେଶ ଦେବ ବୋଲି ସାରାପୋଭା କହିଥିଲେ। ତେଣୁ ସାରାପୋଭାଙ୍କ ନାମ ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଥିବାରୁ ଅଧିକାଂଶ ସେଲିବ୍ରିଟି ମଧ୍ୟ ମୋଟା ଅଙ୍କର ଡଲାର ଜମା କରି ଗୃହ କିଣିବାର ଆଗ୍ରହ ଦେଖାଇଥିଲେ ବୋଲି ଆଇନଜୀବୀ ପୀୟୂଷ ସିଂହ ଅଭିଯୋଗ ଫର୍ଦରେ ଉଲ୍ଲେଖ କରିଛନ୍ତି। ହେଲେ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥା ଗୃହକ୍ରେତାଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିବା ପରେ ନିର୍ମାଣକାର୍ଯ୍ୟ ବାତିଲ କରିଦେଇଥିଲା। ଏହି ମାମଲା ଏବେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବାରୁ ପୁଲିସ୍‌ ଅଧିକ କିଛି କହିବାକୁ ମନା କରିଦେଇଛି।

ସମ୍ବନ୍ଧିତ ଖବର