ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌ ସେମିରେ ପାୟୋନିଅର

ଭୁବନେଶ୍ୱର: କଟକର ବିଶ୍ୱଭାରତୀ କ୍ଲବ୍‌କୁ ୬୭ ରନ୍‌ରେ ପରାସ୍ତ କରି ପୁରୀର ପାୟୋନିଅର ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ପ୍ରଥମ ଦଳ ଭାବେ ସେମିଫାଇନାଲ୍‌ ପ୍ରବେଶ କରିଛି। ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ପକ୍ଷରୁ ନିଜସ୍ୱ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାର ରବିବାର ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ପାୟୋନିଅର ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୧୫ ରନ୍‌ କରିଥିଲା। ଦୀପକ ମହାନ୍ତି ୨୬, ପ୍ରଭାତ ନାୟକ ୨୪ ଓ ଟିଟୁଆ ସେନାପତି ୧୮ ରନ୍‌ କରିଥିଲା ବେଳେ ବିଶ୍ୱଭାରତୀ ପକ୍ଷରୁ ସଫଳ ବୋଲର ଭାବେ ରତିକାନ୍ତ ସ୍ୱାଇଁ ୩ ଓ ଗୌତମ ସାହୁ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଟିଟୁଆ ସେନାପତି (୩.୩ ଓଭରରେ ୪ ରନ୍‌ ଦେଇ ୬ ଓ୍ଵିକେଟ୍‌)ଙ୍କ ଘାତକ ବୋଲିଂ ବଳରେ ପାୟୋନିଅର ସହଜ ବିଜୟ ହାସଲ କରିନେଇଥିଲା। ବିଶ୍ୱଭାରତୀ ୧୪.୩ ଓଭରରେ ମାତ୍ର ୪୮ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଟିଟୁଆଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖୋର୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତେନ୍ଦୁ ମହାନ୍ତି ଅତିଥି ଭାବେ ଯୋଗଦେଇ ଟିଟୁଆଙ୍କୁ ପୁରସ୍କୃତ କରିଥିଲେ। ନିର୍ମଳ ମିଶ୍ର ଓ ସମ୍ବିତ ପଟ୍ଟନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ। ସୋମବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ୟଙ୍ଗ୍‌ ଭେଟେରାନ୍‌ ଓ ସ୍କାନ୍‌ ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର