କାତାର୍‌ର ବିଶ୍ବକପ୍‌ ଯାତ୍ରା: ୮୮ ବର୍ଷ ପରେ ଆୟୋଜକ ପଦାର୍ପଣକାରୀ

ଦୋହା: ନଭେମ୍ବର ୨୦ ତାରିଖରେ କାତାର ଏକ ନୂଆ ଇତିହାସ ଲେଖିବାକୁ ଯାଉଛି। ଫିଫା ବିଶ୍ବକପ୍‌ରେ ଏହି ଦଳ ଆୟୋଜକ ଭାବେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିବାକୁ ଯାଉଛି। ପୂର୍ବରୁ ୧୯୩୪ରେ ଇଟାଲି ପ୍ରଥମ ଆୟୋଜକ ଭାବେ ବିଶ୍ବକପ୍‌ ପଦାର୍ପଣ କରିଥିଲା। ଫଳରେ ୮୮ ବର୍ଷ ପରେ କାତାର ଦ୍ବିତୀୟ କୀର୍ତ୍ତିମାନ ରଚିବ। କାତାରରେ ବିଶ୍ବକପ୍‌ ଆୟୋଜନ ପାଇଁ ୨୦୧୦ ଡିସେମ୍ବର ମାସରେ ଫିଫା ଘୋଷଣା କରିଥିଲା। ତେବେ ଏହି ଘୋଷଣାକୁ ଦେଖିବା ପରେ ଅନେକ ଗଲ୍‌ଫ ଦେଶର ଫୁଟ୍‌ବଲ୍‌ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ବୃଦ୍ଧି ପାଇଥିଲା। ‌କାତାର ଓ ଫୁଟ୍‌ବଲ୍‌ର ସମ୍ପର୍କକୁ ଅନେକ ସହଜରେ ଗ୍ରହଣ ମଧ୍ୟ କରିପାରିନଥିଲେ। କିନ୍ତୁ ଏହାର ଢେର୍‌ ପୂର୍ବରୁ ଏହି ଦେଶରେ ଫୁଟ୍‌ବଲ୍‌ ଖେଳାଯାଇଆସୁଛି।

କାତାର ଫୁଟବଲ୍‌ ସଂଘ (କ୍ୟୁଏଫ୍‌ଏ) ୧୯୬୦ ମସିହାରୁ ପ୍ରତିଷ୍ଠା ହୋଇଥିଲା ବେଳେ ତିନିବର୍ଷ ପରେ ଫିଫାର ସଦସ୍ୟତା ଗ୍ରହଣ କରିଥିଲା। ପ୍ରଥମ ଦୁଇ ଦଶନ୍ଧି ଧରି ଦଳ ଅନେକ ଆନ୍ତର୍ଜାତିକ ମ୍ୟାଚ୍‌ରେ ପରାଜିତ ହେଉଥିଲା। ତେବେ ୧୯୮୪ରେ ହୋଇଥିବା ଗଲ୍‌ଫ କପ୍‌ରେ ଏହି ଦଳ ବଡ଼ ବିପର୍ଯ୍ୟୟ କରିଥିଲା। ପ୍ରତିଯୋଗିତାର ଫାଇନାଲ୍‌ରେ କାତାର ପହଞ୍ଚିଥିଲା। କିନ୍ତୁ ପେନାଲ୍ଟିରେ ଇରାକ୍‌ଠୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ୯୦ ଦଶକରେ କାତାର ଫୁଟ୍‌ବଲ୍‌ର ଚେହେରା ବଦଳିବା ଆରମ୍ଭ ହୋଇଥିଲା। ୧୯୯୨ରେ କାତାର ପ୍ରଥମ ଥର ଗଲ୍‌ଫ କପ୍‌ରେ ବିଜେତା ହୋଇଥିଲା ଓ ଏଥିଯୋଗୁଁ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଯଦିଓ ବିଶ୍ବକପ୍‌ ପାଇଁ ଏହି ଦଳ କେବେବି ଯୋଗ୍ୟତା ଅର୍ଜନ କରିନାହିଁ, କିନ୍ତୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକରେ ଅତି ନିକଟରୁ ଏହି ଦଳ ନିରାଶ ହୋଇଛି। ୧୯୯୦ ବିଶ୍ବକପ୍‌ ଅଂଶଗ୍ରହଣକାରୀଙ୍କ ଦୌଡ଼ରେ କାତାର ରହିଥିଲା। କିନ୍ତୁ ଯୋଗ୍ୟତା ପର୍ଯ୍ୟାୟର ଚୂଡ଼ାନ୍ତ ରାଉଣ୍ଡରେ ଏହି ଦଳ ତୃତୀୟରେ ରହିବାରୁ ନିରାଶା ହାତରେ ଲାଗିଥିଲା।

 

ଆଞ୍ଚଳିକ ଓ ମହାଦେଶୀୟସ୍ତରରେ କାତାରର ପ୍ରଦର୍ଶନ ବହୁତ ଭଲ ରହୁଥିଲା। ୨୦୦୬ ମସିହାରେ ଏସୀୟ କ୍ରୀଡ଼ାକୁ କାତାର ଆୟୋଜନ କରିଥିଲା ବେଳେ ଏହାର ଫୁଟ୍‌ବଲ୍‌ ଦଳ ସ୍ବର୍ଣ୍ଣ ପଦକ ପାଇଥିଲା। ତେବେ ୨୦୧୯ରେ ଏହି ଦଳ ଏସିଆ କପ୍‌ରେ ବିଜେତା ହେ‌ବା ଏକ ବଡ଼ ଉପଲବ୍ଧି ଥିଲା। ୟୁଏଇରେ ହୋଇଥିବା ଏହି ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟରେ କାତାର ସମସ୍ତ ତିନି ମ୍ୟାଚ୍‌ (ସାଉଦି ଆରବ୍‌ ୨-୦, ଲେବାନନ୍‌ ୨-୦, ଉତ୍ତର କୋରିଆ ୬-୦) ରେ ବିଜୟୀ ହୋଇଥିଲା ଏବଂ ମୋଟ ୧୦ ଗୋଲ୍‌ ସ୍କୋର କରିଥିଲା। ପ୍ରିକ୍ବାର୍ଟରରେ ଇରାକ୍‌ (୧-୦), କ୍ବାର୍ଟରଫାଇନାଲ୍‌ରେ ଦକ୍ଷିଣ କୋରିଆ (୧-୦) ଓ ସେମିଫ‌ାଇନାଲ୍‌ରେ ୟୁଏଇ (୪-୦)କୁ ଦଳ ହରାଇଥିଲା। ଫାଇନାଲ୍‌ରେ ଫରୱାର୍ଡ ଅଲ୍‌ମୋଏଜ୍‌ ଅଲୀଙ୍କ ସହିତ ଗୋଲରକ୍ଷକ ସାଦ୍‌ ଅଲ୍‌ ସିବ୍‌ ଏବଂ ଶକ୍ତ ରକ୍ଷଣଭାଗର ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ କାତାର ୩-୧ ଗୋଲ୍‌ରେ ଜାପାନ୍‌କୁ ହରାଇ ବିଜେତା ହୋଇଥିଲା। ସଂପୂର୍ଣ୍ଣ ପ୍ରତିଯୋଗିତାରେ କାତାର ମୋଟ୍‌ ୧୯ ଗୋଲ୍‌ ମାରିଥିଲା ବେଳେ କେବଳ ଫାଇନାଲ୍‌ରେ ଗୋଟିଏ ଗୋଲ୍‌ ବରଣ କରିଥିଲା।

ଏସିଆ କପ୍‌ର ବିଜୟ ପରେ କାତାରକୁ ୨୦୧୯ କୋପା ଆମେରିକାରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଏଠାରେ ‌ସେମାନେ ୩ ମ୍ୟାଚ୍‌ ହାରିଥିଲେ ଓ ଗୋଟିଏ ମ୍ୟାଚ୍‌ ଡ୍ର ରଖିଥିଲେ। ଏହାପରଠୁ ଏଏଫ୍‌ସି ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଏହି ଦଳ ନିୟମିତ ଖେଳିଆସୁଥିଲା ବେଳେ ୨୦୨୧ କନ୍‌କାକାଫ୍‌ (ଉତ୍ତର କେନ୍ଦ୍ରୀୟ ଆମେରିକା ଓ କାରିବିଆନ୍‌ ଆସୋସିଏସନ୍‌ ଫୁଟବଲ୍‌ ମହାସଂଘ) ଗୋଲ୍‌ଡ କପ୍‌ରେ କାତାର ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଗତବର୍ଷ କାତାର ଫିଫା ମାନ୍ୟତାରେ ସର୍ବଶ୍ରେଷ୍ଠ ମାନ୍ୟତା ୪୮ତମ ସ୍ଥାନରେ ପହଞ୍ଚିଥିଲା। ବର୍ତ୍ତମାନ କାତାରରେ ଫୁଟ୍‌ବଲ୍‌ର ନୂତନ ଅଦ୍ଭ୍ୟୁଦୟ ହୋଇଥିବାରୁ ଏଠାକାର ପ୍ରଶଂସକମାନେ ଜାତୀୟ ଦଳଠୁ ମଧ୍ୟ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ବିଶ୍ବକପ୍‌ରେ କାତାର ୨୦ ତାରିଖରେ ଇକ୍ବେଡର ସହିତ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବ। ପରେ ୨୫ରେ ସେନେଗଲ୍‌ ଓ ୨୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ କାତାର ଲିଗ୍‌ ପର୍ଯ୍ୟାୟ ଖେଳିବ।

କାତାର ଦଳ: ସାଦ୍‌ ଅଲ୍‌ ସିବ୍‌, ମିସାଲ୍‌ ବର୍ଷମ୍‌, ୟୁସେଫ୍‌ ହାସନ୍‌, ସଲାହ ଜାକାରିଆ (ସମସ୍ତେ ଗୋଲରକ୍ଷକ), ଅବଦେଲ କରିମ୍‌ ହାସନ୍‌, ବୌଆଲେମ୍‌ ଖୁଖି, ରୋ-ରୋ, ତାରିକ ସଲ୍‌ମାନ, ବସାମ ଅଲ୍‌ ରବି, ମୁସାବ ଖିଦର, ହୋମାମ୍‌ ଅହମ୍ମଦ, ମହମ୍ମଦ ଇମାଦ୍‌, ଜସିମ୍‌ ଗବର (ସମସ୍ତେ ଡିଫେଣ୍ଡର), କରିମ୍‌ ବୌଦିଆଫ୍‌, ଅବଦୁଲ ଅଜିଜ୍‌ ହାତିମ୍‌, ଅଲି ଅସାଦଲା, ମହମ୍ମଦ ୱାଦ୍‌, ଅବଦୁଲ ରେହମାନ୍‌ ମୁସ୍ତଫ‌ା, ଓସାମା ଅଲ୍‌ ତଇରା, ଅହମ୍ମଦ ଫଦିଲ୍‌, ମୁସ୍ତାଫା ତାରିକ (ସମସ୍ତେ ମିଡ୍‌ଫିଲ୍ଡର), ହାସନ୍‌ ଅଲ୍‌ ହାଏଡୋସ୍‌, ଆକ୍ରମ ଅଫିଫ୍‌, ଅଲମୌ‌ଜ୍‌ ଅଲୀ, ଇସ୍‌ମାଇଲ୍‌ ମହମ୍ମଦ, ମହମ୍ମଦ ମୁନ୍ତାରି, ଅହମ୍ମଦ ଅଲ୍‌ଏଲ୍‌ଦିନ୍‌, ୟୁସୁଫ୍‌ ଅବଦୁରିସାଗ୍‌, ଖଲିଦ୍‌ ମୁନୀର, ନଇଫ୍‌ ଅଲ୍‌ ହଧରାମି (ସମସ୍ତେ ଫରୱାର୍ଡ)।

ସମ୍ବନ୍ଧିତ ଖବର