ବର୍ଷା ଧୋଇନେଲା ଭାରତ ଆଶା, ବିଶ୍ବ ଚାମ୍ପିଅନସିପ୍‌ ପ୍ରଥମ ଟେଷ୍ଟ୍ ଅମୀମାଂସିତ

ପଏଣ୍ଟ୍‌ ବାଣ୍ଟିଲେ ଭାରତ-ଇଂଲଣ୍ଡ, ଜୋ ରୁଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ନଟିଂହାମ: ନଟିଂହାମରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ର ନିର୍ଣ୍ଣାୟକ ପଞ୍ଚମ ଦିନର ଖେଳକୁ ଲଗାଣ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଛି। ଫଳରେ ଦୃଢ଼ ସ୍ଥିତିରେ ଥିବା ଭାରତର ବିଜୟ ଆଶା ମଉଳି ଯାଇଛି। ୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଶନିବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍ ହରାଇ ୫୨ ରନ୍ କରିନେଇଥିବାରୁ ରବିବାର ସହଜରେ ମ୍ୟାଚ୍ ଜିତି ନେବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ଇଂଲଣ୍ଡ ପାଗ ପୁଣି ଥରେ ଦାଉ ସାଧିଲା। ହାତରେ ୯ ୱିକେଟ୍ ଥାଇ ଭାରତ ବିଜୟ ଲକ୍ଷ୍ୟଠାରୁ କେବଳ ୧୫୭ ରନ୍‌ ପଛରେ ଝୁଲି ରହିଥିଲା। ପଞ୍ଚମ ଦିନରେ ଆଜି ଗୋଟିଏ ହେଲେ ବି ବଲ୍ ପଡ଼ି ନପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ଭାରତ ହାତରୁ ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବାର ସୁଯୋଗକୁ ବି ଅଦିନିଆ ଓ ଅପ୍ରତ୍ୟା‌ଶିତ ବର୍ଷା ପାଇଁ ପରିଚିତ ଇଂଲଣ୍ଡ ପାଗ ଛଡ଼ାଇ ନେଇଥିଲା। ଅନ୍ୟପକ୍ଷରେ ଘରୋଇ ଇଂଲଣ୍ଡ ବି ଏକ ନିଶ୍ଚିତ ପରାଜୟରୁ ବର୍ତ୍ତି ଯାଇଥିଲା। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅନ୍ତର୍ଗତ ଖେଳା ଯାଉଥିବା ଏହି ମ୍ୟାଚ୍‌ରୁ ଉଭୟ ଦଳ ୪ ପଏଣ୍ଟ୍‌ ଲେଖାଏଁ ପାଇଥି‌ଲେ। ବିଶ୍ବ ଟେଷ୍ଟ୍ କ୍ରିକେଟ୍‌ର ଦୁଇ ମହାରଥୀ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏବେ ପରବର୍ତ୍ତୀ ଟେଷ୍ଟ୍‌ ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଖେଳାଯିବ।

ବର୍ଷା ଲୁଚକାଳି ଖେଳିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍‌ରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ପାଞ୍ଚ ୱିକେଟ୍ ସଫଳତା ବଳରେ ଇଂଲଣ୍ଡକୁ ମାତ୍ର ୧୮୩ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ଏହାର ଜବାବରେ କେଏଲ୍ ରାହୁଲଙ୍କ ୮୪ ଓ ରବୀନ୍ଦ୍ର ଜାଦେଜାଙ୍କ ୫୪ ରନ୍ ବଳରେ ୨୭୮ ରନ୍ କରି ପ୍ରଥମ ପାଳି ଭିତ୍ତିରେ ୯୫ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା ଭାରତ। ଭାରତୀୟ ବୋଲର ଦ୍ବିତୀୟ ପାଳିରେ ବି ଇଂଲଣ୍ଡକୁ ଆରମ୍ଭରୁ ଘାଇଲା କରିଥିଲେ। ହେଲେ ଅଧିନାୟକ ଜୋ ରୁଟ୍ (୧୦୯) ଲଢ଼ୁଆ ଶତକ ଅର୍ଜନ କରି ନିଜ ଦଳର ସମ୍ମାନ ରଖିଥିଲେ। ଇଂଲଣ୍ଡ ତାଙ୍କ ଶତକୀୟ ପାଳି ବଳରେ ୩୦୩ ରନ୍ କରି ନେଇଥିଲା। ଆଉ ଭାରତ ସମ୍ମୁଖରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ଜବାବରେ ଭାରତ ଚତୁର୍ଥ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା କେବଳ କେଏଲ୍ ରାହୁଲ (୨୬)ଙ୍କ ୱିକେଟ୍ ହରାଇ ୫୨ ରନ୍ କରି ନେଇଥିଲା। ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ୧୨ ରନ୍ ଲେଖାଏଁ କରି ଅପରାଜିତ ରହିଥିଲେ। ଏଣୁ ଭାରତୀୟ ପ୍ରଶଂସକ ଉତ୍ସାହିତ ଥିଲେ। ହେଲେ ସେମାନଙ୍କ ଉତ୍ସାହ ନିରାଶାରେ ଶେଷ ହୋଇଛି। ବାରମ୍ବାର ବର୍ଷା ବ୍ୟାଘାତର ଶିକାର ହୋଇଥିବା ଏହି ମ୍ୟାଚ୍‌ରେ ଶତକୀୟ ପାଳି ଖେଳି ଇଂଲଣ୍ଡକୁ ସଙ୍କଟରୁ ରକ୍ଷା କରିଥିବା ରୁଟ୍ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର