ସବୁ ଫର୍ମାଟ୍‌ରୁ ରାଇନାଙ୍କ ଅବସର: ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ମନେ ପକାଇଲେ

ଲକ୍ଷ୍ନୌ: ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିସାରିଥିବା ବାମହାତୀ ଭାରତୀୟ ଅଲ୍‌ରାଉଣ୍ଡର୍‌ ସୁରେଶ ରାଇନା ମଙ୍ଗଳବାର ସମସ୍ତ ଫର୍ମାଟ କ୍ରିକେଟ୍‌କୁ ଅଲବିଦା କହିଦେଇଛନ୍ତି। ନିଜ ସମ୍ପୂର୍ଣ୍ଣ କ୍ରିକେଟ୍ ଯାତ୍ରାରେ ସମର୍ଥନ କରିଥିବାରୁ ରାଇନା ବିସିସିଆଇ, ଉତ୍ତରପ୍ରଦେଶ କ୍ରିକେଟ୍‌ ସଂଘ, ଚେନ୍ନାଇ ସୁପର୍‌ କିଙ୍ଗ୍ସ, ପୂର୍ବତନ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଏବଂ କ୍ରିକେଟ୍ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ‘ଦେଶ ଓ ଉତ୍ତରପ୍ରଦେଶର ପ୍ରତିନିଧିତ୍ବ କରିବା ନିଶ୍ଚିତ ଭାବେ ଏକ ସମ୍ମାନ’ ବୋଲି ମଧ୍ୟ ରାଇନା ତାଙ୍କ ଅବସର ସୂଚନାର ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ରାଇନା ନିକଟରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ନେଟ୍ସରେ ନିଜ ବ୍ୟାଟିଂର ଏକ ଭିଡିଓ ଛାଡ଼ି ଲେଖିଛନ୍ତି ‘ପ୍ରତି ଦିନ ବଢ଼ିବା ମୋ ପାଇଁ ଆନନ୍ଦ’। ହଳଦିଆ ଜର୍ସିର ସିଏସ୍‌କେ ପ୍ରଶଂସକମାନେ ମଧ୍ୟ ଏହାକୁ ଭାଇରାଲ୍ କରିଛନ୍ତି।

୩୫ ବର୍ଷୀୟ ରାଇନା ଶେଷ ଥର ପାଇଁ ୨୦୨୧ ଅକ୍ଟୋବରରେ ଆଇପିଏଲ୍‌ରେ ‌ସିଏସ୍‌କେ ପାଇଁ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଖେଳିଥିଲେ। ୨୦୧୮ ମସିହାରୁ କିନ୍ତୁ ରାଇନା କୌଣସି ପ୍ରଥମ ଶ୍ରେଣୀ କ୍ରିକେଟ୍‌ କି ଲିଷ୍ଟ୍‌ ‘ଏ’ ମ୍ୟାଚ୍‌ ‌ଖେଳିନାହାନ୍ତି। ୨୦୨୦ ସ୍ବାଧୀନତା ଦିବସରେ ମହେନ୍ଦ୍ର ସିଂହ ‌ଧୋନିଙ୍କ ଅବସର ଘୋଷଣାର ପରେ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡିଥିବା ରାଇନା ତାଙ୍କ ଉପରେ ବିଶ୍ବାସ ରଖିଥିବା ସମସ୍ତ ପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତୀୟ ୧୯ ବ‌ର୍ଷରୁ କମ୍‌ ଦଳର ଅଂଶବିଶେଷ ଭାବେ ୨୦୦୪ ବିଶ୍ବକପ୍‌ ଖେଳିଥିବା ରାଇନା ୨୦୦୩-୦୪ରେ ଉତ୍ତରପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ମୋଟ ୧୦୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ସେ ୬୮୭୧ ରନ୍‌ ସଂଗ୍ରହ ଏବଂ ୪୧ ୱିକେଟ୍ ଅକ୍ତିଆର କରିଥିଲେ। ଲିଷ୍ଟ ‘ଏ’ କ୍ରିକେଟ୍‌ରେ ଅଧିକ ସଫଳ ହୋଇଥିବା ରାଇନା ୩୦୨ ମ୍ୟାଚ୍‌ରୁ ୮୦୭୮ ରନ୍‌ ସଂଗ୍ରହ ସହିତ ୬୪ ୱିକେଟ୍‌ ନେଇଥିଲେ। ୨୦୦୫ରେ ସେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳୁଥିବା ବେଳେ ଭାରତୀୟ ଦଳକୁ ଡାକରା ପାଇଥିଲେ।

ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ରାଇନା ସବୁଠୁ ଅଧିକ ଛାପ ଛାଡ଼ିଥିଲେ। ୩୩୬ ମ୍ୟାଚ୍‌ରୁ ୮୬୫୪ ରନ୍‌ ଓ ୫୪ ୱିକେଟ୍‌ ସଫଳତା ପାଇଥିଲେ। ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ବ୍ୟାଟର୍‌ ଭାବେ ସେ ୫୫୨୮ ରନ୍‌ ସଂଗ୍ରହ କରି ଏବେ ବି ପଞ୍ଚମ ସ୍ଥାନରେ ରହିଛନ୍ତି। ଚେନ୍ନାଇ ସୁପର୍‌ କିଙ୍ଗ୍ସର ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ ଆଇପିଏଲ୍‌ ଟ୍ରଫି ବିଜୟରେ ସେ ଅଂଶବିଶେଷ ଥିଲେ। ୨୦୧୬ ଓ ୨୦୧୭ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ନିଲମ୍ବିତ ହୋଇଥିବା ବେଳେ କେବଳ ୨୦୨୦ ମସିହାକୁ ଛାଡି ରାଇନା ଦଳର ସମସ୍ତ ଋତୁରେ ଖେଳିଥିଲେ। ସିଏସ୍‌କେ ନିଲମ୍ବିତ ଦୁଇ ବର୍ଷ ରାଇନା ଗୁଜରାଟ ଲାୟନ୍ସର ନେତୃତ୍ବ ନେଇଥିଲେ। ପଡିଆରେ ବଡ଼ ଫୁର୍ତ୍ତି ପ୍ରଦର୍ଶନ କରୁଥିବା ରାଇନା ନିଜ ପିଢ଼ିର ଅନ୍ୟତମ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଥିଲେ। ସମସ୍ତ ଫର୍ମାଟରେ ସେ ୧୦୦ରୁ ଊର୍ଧ୍ବ କ୍ୟାଚ୍‌ ହାତେଇଥିଲେ। ଉତ୍ତରପ୍ରଦେଶରେ ଜଣେ ମାର୍ଗଦର୍ଶକ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଭାବେ ପରିଚିତ ରାଇନା ୨୦୧୬-୧୭ ମସିହାରେ ଉତ୍ତରପ୍ରଦେଶର ନେତୃତ୍ବ ନେଇ ସୟଦ ମୁସ୍ତାକ ଅଲୀ ଟ୍ରଫି ହାସଲ କରିଥିଲେ। ରାଇନାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନ ୨୨୬ ଦିନିକିଆ, ୭୮ ଟ୍ବେଣ୍ଟି-୨୦ ଏବଂ ୧୮ ଟେଷ୍ଟ୍‌ରେ ସୀମିତ ରହିଥିଲା। ସମସ୍ତ ଫର୍ମାଟରେ ଶତକ ହାସଲ କରିବାରେ‌ ସେ ପ୍ରଥମ ଭାରତୀୟ କ୍ରିକେଟର୍ ଥିଲେ। ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ହେବା ତାଙ୍କ ଖେଳ ଜୀବନର ସବୁଠୁ ସ୍ମରଣୀୟ ମୁହୂର୍ତ ହୋଇ ରହିବ।

ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ମନେ ପକାଇଲେ
ଅବସର ଘୋଷଣା ଅବସରରେ ରାଇନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବାର ଏକ ପୁରୁଣା ଟ୍ବିଟ୍‌କୁ ପୁନଃ ସେୟାର କରିଥିଲେ। ଯେଉଁଥିରେ ରାଇନା ଲେଖିଥିଲେ, ‘ଆମେ ଖେଳୁଥିବା ବେଳେ ଦେଶ ପାଇଁ ଝାଳ ବୁହାଉ ଓ ରକ୍ତ ଝରାଉ। ଲୋକଙ୍କ ଭଲପାଇବାଠାରୁ ଅଧିକ କିଛି ପ୍ରଶଂସା ମ‌ିଳେ ନାହିଁ, ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ପ୍ରଶଂସା ମିଳିଲେ ଏହା ଅଧିକ ଖୁସି ଦିଏ। ଆପଣଙ୍କ ପ୍ରଶଂସା ପାଇଁ ଧନ୍ୟବାଦ। ମୁଁ ଏହାକୁ ଗ୍ରହଣ କରୁଛି’। ଅନ୍ତର୍ଜାତୀୟ ଅବସର ପରେ ଗତବର୍ଷ ରାଇନାଙ୍କୁ ମୋଦୀ ଉଚ୍ଚ ପ୍ରଶଂସା କରିବା ପରେ ସେ ଏଭଳି ଟ୍ବିଟ୍‌ କରିଥିଲେ। ଏହ‌ା ପରେ ‘ରାଇନା ଜଣେ ନିସ୍ବାର୍ଥପର କ୍ରିକେଟର୍‌ ବୋଲି ପ୍ରଶଂସକମାନେ’ ଲେଖିଥିଲେ। ବ୍ୟକ୍ତିଗତ ଗୌରବ ପାଇଁ ନୁହେଁ, ଦଳଗତ ଗୌରବ ପାଇଁ ରାଇନା ଖେଳନ୍ତି। ଭଦ୍ରଲୋକଙ୍କ ଖେଳର ସେ ଜଣେ ଅସଲ ଭଦ୍ରବ୍ୟକ୍ତି’ ବୋଲି ମଧ୍ୟ କିଛି ପ୍ରଶଂସକ ଲେଖିଥିଲେ। ଏବେ ରାଇନା ଚଳିତ ମାସ ୧୦ ତାରିଖରୁ ଖେଳାଯିବାକୁ ଥିବା ବିଶ୍ବ ସିରିଜ୍ କ୍ରିକେଟ୍‌ରେ ସଚିନ ତେନ୍ଦୁଲକରଙ୍କ ଇଣ୍ଡିଆ ଲିଜେଣ୍ଡସ ପାଇଁ ଖେଳିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର