ଆଇପିଏଲ ୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୯ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୫ ୱିକେଟ ହରାଇ ୧୭୩ ରନ୍‌ କରି ପରାସ୍ତ ହୋଇଛି । ଦିଲ୍ଲୀ ପକ୍ଷରୁ ଡେଭିଡ ୱାର୍ଣ୍ଣର ୪୯ ରନ୍‌ କରିଥିବା ବେଳେ ରିଷଭ ପନ୍ତ ୨୮ ରନ୍‌ ଓ ମିଚେଲ ମାର୍ଶ ୨୩ ରନ୍‌ କରିଥିଲେ ଶେଷରେ ତ୍ରିଷ୍ଟାନ୍ ଷ୍ଟବ୍ସ୍ ୨୩ ବଲରେ ୪୪ ରନ୍‌ର ଲଢୁଆ ବ୍ୟାଟିଂ କରିଥିଲେ କିନ୍ତୁ ଦିଲ୍ଲୀ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ନନ୍ଦ୍ରେ ବର୍ଗର୍, ୟୁଜବେନ୍ଦ୍ର ଚହଲ ୨-୨ ଟି ୱିକେଟ ନେଇଥିବା ବେଳେ ଆବେଶ ଖାନ ଗୋଟିଏ ୱିକେଟ ନେଇଥିଲେ । ଫଳରେ ରାଜସ୍ଥାନ ଏହି ମ୍ୟାଚକୁ ୧୨ ରନ୍‌ରେ ଜିତି ନେଇଛି । ଏହି ବିଜୟ ସହ ରାଜସ୍ଥାନ ୪ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୨ୟରେ ରହିଛି ।

ପ୍ରଥମ ପାଳିରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୧୮୬ ରନର ଲକ୍ଷ୍ୟ ରଖଥିଲା ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୫ ରନ କରିଥିଲା । ଦଳ ଆରମ୍ଭରୁ ଯଶସ୍ବୀ ଜୟସ୍ବାଲଙ୍କ ଓ୍ବିକେଟ ହରାଇଥିଲା । ୩୬ ରନ ହେଉ ହେଉ ଦଳ ୩ଟି ଓ୍ବିକେଟ ହରାଇସାରିଥିଲା । ଏହା ସତ୍ତ୍ବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାମାନେ ଭଲ ସ୍କୋର କରିବାରେ ସଫଳ ହୋଇଥିଲେ । ଦଳ ପକ୍ଷରୁ ରିୟାନ ପରାଗ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୫ଟି ବଲରେ ୮୪ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ ।

ରବିଚନ୍ଦ୍ରନ ଅଶ୍ବୀନ ୨୯ ରନ ଓ ଧ୍ରୁବ ଜୁରେଲ୍ ୨୦ ରନ କରିଥିଲେ । ସେହିପରି ସିମରନ ହେଟମେୟର ମାତ୍ର ୭ଟି ବଲ ଖେଳି ୧୪ ରନ କରିଥିଲେ । ଅଧିନାୟକ ସଂଜୁ ସାମସନ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ,ମୁକେଶ କୁମାର ନର୍ଜି, ଅକ୍ଷର ପଟେଲ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର