ରାଜକନିକା: ଆରଏନ୍ ହାଇସ୍କୁଲ ମିନି ଷ୍ଟାଡିୟମରେ ରାଜକନିକା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ରାଜକନିକା କପ୍ ଫୁଟ୍ବଲ ପ୍ରତିଯୋଗିତାର ବୁଧବାର ଶେଷ କ୍ୱାର୍ଟର ଫାଇନାଲରେ କଟକର ସାଇ ଛାତ୍ରାବାସ ୨-୦ ଗୋଲରେ ରାଉରକେଲାର ୟଙ୍ଗ ଆଦିବାସୀ କ୍ଲବ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ଡୋମନ ମାରାଣ୍ଡି ପ୍ରଥମାର୍ଧରେ ଗୋଟିଏ ଗୋଲ୍ ଦେଇଥିଲା ବେଳେ ଦ୍ୱିତୀୟାର୍ଧରେ ଚନ୍ଦ୍ର ମୁର୍ମୁଙ୍କ ଗୋଲ୍ ବ୍ୟବଧାନ ବଢ଼ାଇଥିଲା। ଚନ୍ଦ୍ରଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ‘ଦିଲୀପ୍ ବେହୁରା ସ୍ମାରକୀ’ ଟ୍ରଫି ପ୍ରଦାନ କରାଯାଇଥିଲା। ସୁଜିତ୍ କୁମାର ପାତ୍ର, କାର୍ତ୍ତିକ ଦାଶ, ସୁବ୍ରତ ପୁରୋହିତ, ଭୋଳାନାଥ ମହକୁଡ଼ ଓ ଶରତ କୁମାର ଜେନା ଖେଳ ପରିଚାଳନା କରିଥିଲେ । ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଆର୍ଏନ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଆସନ୍ତା ୨୦ ତାରିଖ ପ୍ରଥମ ସେମି ଫାଇନାଲରେ ଦୁଇ କଟକ ଦଳ ମଙ୍ଗଳା କ୍ଲବ୍ ଓ ସାଇ ଛାତ୍ରାବାସ ମଧ୍ୟରେ ଖେଳାଯିବ।