ରାମେଶ୍ୱର କପ୍‌ କ୍ୱାର୍ଟରରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍‌ ପକ୍ଷରୁ ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍‌ କନିଷ୍ଠ କ୍ରିକେଟ୍‌ (୧୯ ବର୍ଷରୁ କମ୍‌) ପ୍ରତିଯୋଗିତାରେ ସହିଦ ସ୍ପୋର୍ଟିଂ କ୍ୱାର୍ଟରଫାଇନାଲରେ ପହଞ୍ଚିଯାଇଛି। ଶନିବାର ପୁଲ୍‌ ‘ବି’ର ପ୍ରଥମ ପି୍ର-କ୍ୱାର୍ଟରଫାଇନାଲ୍‌ରେ ସହିଦ୍‌ ସ୍ପୋର୍ଟିଂ ୫ ଓ୍ଵିକେଟ୍‌ରେ ପ୍ରଗତିି ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ପ୍ରଗତି ୨୯.୧ ଓଭରରେ ୧୬୫ ରନ୍‌ କରିଥିଲା। ସୌମ୍ୟ ସୌରଭ କୁମାର ଅର୍ଧଶତକ (୫୧, ୫୭ ବଲ୍‌) ହାସଲ କରିଥିବାବେଳେ ଶୁଭମ୍‌ କୁମାର ୩୯ ବଲ୍‌ରୁ ୩୧ ରନ୍‌ କରିଥିଲେ। ସହିଦ ପକ୍ଷରୁ ସନ୍ଦୀପ ଚୌହାନ (୩/୨୩) ଏବଂ ଆଂଶ ମଲ୍ଲିକ (୩/୨୫) ଚମତ୍କାର ବୋଲିଂ କରି ମିଳିତ ଭାବେ ୬ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଶୁଭମ୍‌ ଶତ୍ରୁଜିତ୍‌ଙ୍କ ବିସ୍ଫୋରକ ଅର୍ଧଶତକ (୮୮, ୪୫ ବଲ୍‌) ଏବଂ ମାନସ ରଂଜନ ନାୟକଙ୍କ ଉପଯୋଗୀ ୩୦ ରନ୍‌ (୩୭ ବଲ୍‌) ବଳରେ ସହିଦ୍‌ ସ୍ପୋର୍ଟିଂ ୨୪.୨ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ ସଂଗ୍ରହ କରି ନେଇଥିଲା। ପ୍ରତିପକ୍ଷର ବିଶ୍ୱଜିତ୍‌ ମହାନ୍ତି ୨୪ ରନ୍‌ ବିନିମୟରେ ୨ ଓ୍ଵିକେଟ୍‌ ନେଇଥିଲେ। ଶୁଭମ୍‌ ଶତ୍ରୁଜିତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ବିଏଏ କାର୍ଯ୍ୟକାରୀ ସଦସ୍ୟ ଜୟନ୍ତ ଜେନା ଏବଂ ଭାଜପା ଯୁବନେତା ଶିବ ପ୍ରସାଦ ବେହେରା। ମ୍ୟାଚ୍‌କୁ ପରିଚାଳନା କରିଥିଲେ ଆଲୋକ ମଙ୍ଗରାଜ ଓ ଦେବରାଜ କର। ରବିବାର ଦ୍ୱିତୀୟ ପ୍ରି-କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ ରାମେଶ୍ୱର ‘ବି’ ଏବଂ ଗ୍ରିନ୍‌ କ୍ରିକେଟ୍‌ ଏକାଡେମି ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର