ରଣଜୀ ଟ୍ରଫି: ଅମ୍ପାୟାରଙ୍କ ସହ ଗିଲ୍‌ଙ୍କ ଯୁକ୍ତିତର୍କ, ଖେଳ ୧୦ ମିନିଟ୍‌ ଅଟକିଲା

ମୋହାଲି: ଚଳିତ ରଣଜୀ ଋତୁର ଚତୁର୍ଥ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବର୍ଷା, ଓଦା ପଡ଼ିଆ ଯୋଗୁଁ ପ୍ରଥମ ଦିନ ଅଧିକାଂଶ ମ୍ୟାଚ୍‌ ଆରମ୍ଭ ହୋଇପାରିନଥିଲା ବେ‌ଳେ କିଛି ମ୍ୟାଚ୍‌ ଆଂଶିକ ବାଧାପ୍ରାପ୍ତ ହୋଇଛି। ତେବେ ଏଭଳି ଏକ ଦିନରେ ଉଦୀୟମାନ ତାରକା ତଥା ଏବର ଭାରତୀୟ-ଏ ଦଳର ଅଧିନାୟକ ଶୁଭମନ୍‌ ଗିଲ୍‌ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀ ବିପକ୍ଷରେ ପଞ୍ଜାବ ରଣଜୀ ଦଳର ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପ୍ରଥମ ପାଳିରେ ଅମ୍ପାୟାରଙ୍କ ଆଉଟ୍‌ ନିଷ୍ପତ୍ତିକୁ ନେଇ ଯୁକ୍ତିତର୍କ କରିବା ଏବଂ ଶେଷରେ ଅମ୍ପାୟାର ବିବାଦୀୟ ନିଷ୍ପତ୍ତି ବଦଳାଇବା ଭଳି ଘଟଣା ଦେଖିବାକୁ ମିଳିଛି। ଏଥିପାଇଁ ମ୍ୟାଚ୍‌ ୧୦ ମିନିଟ୍‌ ଅଟକିବା ମଧ୍ୟ ଗିଲ୍‌ଙ୍କୁ ଚର୍ଚ୍ଚାକୁ ଟାଣିଛି। ମ୍ୟାଚ୍‌ ରେଫରି ପଡ଼ିଆକୁ ଆସି ବୁଝାସୁଝା କରିବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା। ତେବେ ଗିଲ୍‌ ଏଭଳି ବିବାଦୀୟ ଆଉଟ୍‌ରୁ ବର୍ତି ଯାଇଥିଲେ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ରହିପାରିନଥିଲେ। ସେ ୪୧ ବଲ୍‌ରୁ ୨୩ ରନ୍‌ କରିଥିଲା ବେଳେ ସିମ୍ରନ୍‌ଜିତ୍‌ ସିଂହଙ୍କ ବଲ୍‌ରେ ଅନୁଜ ରାୱତଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ୍‌ ଫେରିଥିଲେ।

ପଞ୍ଜାବ ପ୍ରଥମ ପାଳିରେ ଗିଲ୍ ୧୦ ରନ୍‌ରେ ବ୍ୟାଟିଂ କରୁଥିଲା ବେଳେ ମଧ୍ୟମଗତି ବୋଲର ସୁବୋଧ ଭଟ୍ଟିଙ୍କ ବଲ୍‌ରେ କ୍ୟାଚ୍‌ ଦେଇଥିଲେ। ସିଧା ଅମ୍ପାୟାର ମହମ୍ମଦ ରଫି ତାଙ୍କୁ ଆଉଟ୍‌ ଦେଇଥିଲେ। ହେଲେ ଗିଲ୍‌ କ୍ରିଜ୍‌ ଛାଡ଼ିବାକୁ ମନା କରିଦେଇଥିଲେ। ଏପରିକି ସେ ଅମ୍ପାୟାରଙ୍କ ପାଖକୁ ଯାଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଆଉଟ୍‌ ନୁହଁନ୍ତି ବୋଲି ଦାବି କରିଥିଲେ। ନିଷ୍ପତ୍ତି ବଦଳାଇବାକୁ ଅମ୍ପାୟାରଙ୍କୁ ବାଧ୍ୟ କରିଥିଲେ। ଏହାପରେ ରଫି ସ୍କୋୟାରଲେଗ୍‌ ଅମ୍ପାୟାର ପଶ୍ଚିମ ପାଠକଙ୍କ ସହ ପରାମର୍ଶ କରି ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ ବୋଲି ଦିଲ୍ଲୀ ଦଳର ପ୍ରବନ୍ଧକ ବିବେକ ଖୁରାନା କହିଛନ୍ତି। ହେଲେ ଅମ୍ପାୟାରଙ୍କ ଏଭଳି ନିଷ୍ପତ୍ତି ପ୍ରତ୍ୟାହାର ସତ୍ତ୍ବେ ଦିଲ୍ଲୀ ଦଳ ପଡ଼ିଆ ଛାଡ଼ିବାର କୌଣସି ଯୋଜନା କରିନଥିଲା ବୋଲି ଖୁରାନା ସ୍ପଷ୍ଟ କରିଥିଲେ। କେବଳ ଆମ ଦଳର ଉପଅଧିନାୟକ ନୀତିଶ ରାଣା ଅମ୍ପାୟାରଙ୍କୁ କାହିଁକି ନିଷ୍ପତ୍ତି ବଦଳାଇଲେ ବୋଲି ପଚାରିଥିବା ସେ କହିଥିଲେ। ଅବଶ୍ୟ ଗିଲ୍‌ ଅମ୍ପାୟାରଙ୍କ ପ୍ରତି କୌଣସି ଅଶୋଭନୀୟ ଭାଷା ପ୍ରୟୋଗ କରିନଥିବା ଉଭୟ ଦିଲ୍ଲୀ ଓ ପଞ୍ଜାବ କ୍ରିକେଟ୍‌ ସଂଘ ପକ୍ଷରୁ କୁହାଯାଇଛି। ସେ ଜଣେ ଅତ୍ୟନ୍ତ ନମ୍ର ଓ ଭଦ୍ର ଖେଳାଳି। ତାଙ୍କ ବ୍ୟାଟ୍‌ରେ ବଲ୍‌ ବାଜିନଥିବା ନେଇ ସେ କେବଳ ଅମ୍ପାୟାରଙ୍କୁ କହିଥିଲେ। ଦିଲ୍ଲୀ ଦଳ ପକ୍ଷରୁ ମଧ୍ୟ କୌଣସି ବିଦ୍ଧିବଦ୍ଧ ଅଭିଯୋଗ ଦାଖଲ କରାଯାଇନଥିବା ସଂଘର ସାଧାରଣ ସଂପାଦକ ବିନୋଦ ତିହାରା କହିଛନ୍ତି। ତଥାପି ପଡ଼ିଆ ଭିତରେ ଏଭଳି ଆଚରଣ ପାଇଁ ଗିଲ୍‌ଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଚତୁର୍ଥ ଦିବସ ଖେଳ ଶେଷରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର