ରଣଜୀ ଟ୍ରଫି: ଗୋବିନ୍ଦଙ୍କୁ ୭ ଓ୍ଵିକେଟ୍‌: ମଧ୍ୟପ୍ରଦେଶ ୩୮୮

କଟକ): ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ତାଙ୍କ ଖେଳ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି। ବ୍ୟାଟିଂରେ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିବା ଗୋବିନ୍ଦ ପ୍ରଥମ ଥର ପାଇଁ ୫ ବା ତା’ଠୁ ଅଧିକ ଓ୍ଵିକେଟ୍‌ ସଫଳତା ପାଇଛନ୍ତି। ଏଥିସହ ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚ୍‌ର ପ୍ରଥମ ପାଳିରେ ମୋଟ ୭ ଓ୍ଵିକେଟ୍‌ ଅକ୍ତିଆର କରି ଓଡ଼ିଶା ଦଳକୁ କିଛିଟା ଆଶ୍ୱସ୍ତ କରିଛନ୍ତି। ଇନ୍ଦୋରର ହୋଲ୍‌କର୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୋବିନ୍ଦ ୨୭ ଓଭର ବୋଲିଂ କରିଥିଲା ବେଳେ ୩ ମେଡେନ୍‌ ଓ ୧୦୨ ରନ୍‌ ବ୍ୟୟ କରିଥିଲେ। ପୂର୍ବରୁ ୫୯/୩ ତାଙ୍କର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ଗୋବିନ୍ଦଙ୍କ ଏହି ପ୍ରଦର୍ଶନ ସତ୍ତ୍ୱେ ଘରୋଇ ଦଳ ପ୍ରଥମ ପାଳିରେ ୩୮୮ ରନ୍‌ କରି ୨୪୧ ରନ୍‌ର ଅଗ୍ରଣୀ ପାଇଯାଇଛି। ରବିବାର ଦ୍ୱିତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଓଡ଼ିଶା ଦ୍ୱିତୀୟ ପାଳିରେ କୌଣସି ଓ୍ଵିକେଟ୍‌ ନହରାଇ ୧୮ ରନ୍‌ କରିଛି। ରାଜେଶ ଧୂପର ୧୧ ଓ ରଂଜିତ ସିଂହ ୭ ରନ୍‌ କରି ଅପରାଜିତ ଅଛନ୍ତି। ପୂର୍ବରୁ ପ୍ରଥମ ପାଳିରେ ଓଡ଼ିଶା ୧୪୭ ରନ୍‌ କରିଥିଲା।

ପ୍ରଥମ ଦିନର ସ୍କୋର ୯୬/୧ରୁ ଖେଳିଥିବା ମଧ୍ୟପ୍ରଦେଶର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଦେବେନ୍ଦ୍ର ବୁନ୍ଦେଲା ଓ ରଜତ ପଟିଦାର ଓଡ଼ିଶା ବୋଲରଙ୍କୁ ଆରମ୍ଭରୁ ନିରାଶ କରିଚାଲିଥିଲେ। ଉଭୟଙ୍କ ମଧ୍ୟରେ ୧୧୪ ରନ୍‌ର ଭାଗୀଦାରି ହୋଇଥିଲା। ଅର୍ଧଶତକ ଅର୍ଜନ କରିସାରିଥିବା ବୁନ୍ଦେଲା (୬୨)ଙ୍କୁ ଗୋବିନ୍ଦ ବ୍ୟକ୍ତିଗତ ଦ୍ୱିତୀୟ ଶିକାର କରିଥିଲେ। ପ୍ରଥମ ଦିନ ସେ ଆର୍ଯ୍ୟମାନ ବିର୍ଲାଙ୍କୁ ଆଉଟ୍‌ କରିଥିଲେ। ବୁନ୍ଦେଲାଙ୍କ ପରେ ଶୁଭମ୍‌ ଶର୍ମା (୫) ଗୋବିନ୍ଦଙ୍କ ପରବର୍ତ୍ତୀ ଶିକାର ହୋଇଥିଲେ। ହରପ୍ରୀତ ସିଂହ ଭାଟିଆ ଓ ରଜତ ଚତୁର୍ଥ ଓ୍ଵିକେଟରେ ୫୧ ରନ୍‌ ଯୋଡ଼ିଥିଲେ। କିନ୍ତୁ ଭାଟିଆ ୩୬ ରନ୍‌ କରିଥିଲା ବେଳେ ଗୋବିନ୍ଦଙ୍କ ଚତୁର୍ଥ ଶିକାର ହୋଇଥିଲେ। ୭୭ ଓଭରର ପ୍ରଥମ ଓ ଚତୁର୍ଥ ବଲ୍‌ରେ ଅଙ୍କିତ ଡାନେ ଓ ଅଙ୍କିତ ଶର୍ମାଙ୍କୁ ଦୀପକ ବେହେରା ଆଉଟ୍‌ କରିଥିଲେ। ତେବେ ପରବର୍ତ୍ତୀ ଓଭରରେ ଶତକ ଅର୍ଜନ କରିସାରିଥିବା ରଜତ (୧୨୩)ଙ୍କୁ ଆଟ୍‌ କରି ଗୋବିନ୍ଦ ପ୍ରଥମ ଥର ପାଇଁ ୫ ଓ୍ଵିକେଟ ସଫଳତା ପାଇଥିଲେ। ଅଷ୍ଟମ ସ୍ଥାନରେ ଆସିଥିବା ପୁନୀତ ଦତ୍ତେ ଓ ମିହିର ହରିଓ୍ଵାନୀ ବେଶ୍‌ କିଛି ସମୟ ପାଇଁ ଗୋବିନ୍ଦଙ୍କ ଆକ୍ରମଣରେ ରୋକ୍‌ ଲଗାଇଥିଲେ। ଉଭୟ ୧୧୦ ରନ୍‌ ଯୋଡିବା ପରେ ପୁନୀତ (୫୬)ଙ୍କୁ ଗୋବିନ୍ଦ ଷଷ୍ଠ ଶିକାର କରିଥିଲେ। ତାଙ୍କ ପଛକୁ ମିହିର ନିଜ ଭୁଲ୍‌ ପାଇଁ ୪୯ ରନ୍‌ କରିଥିଲା ବେଳେ ବିପ୍ଲବଙ୍କ ଦ୍ୱାରା ରନ୍‌ଆଉଟ ହୋଇଯାଇଥିଲେ। ଇଶ୍ୱର ପାଣ୍ଡେଙ୍କୁ ୨୮ ରନ୍‌ରେ ଆଉଟ କରି ଗୋବିନ୍ଦ ପାଳି ଶେଷ କରିଥିଲା ବେଳେ ନିଜର ଶ୍ରେଷ୍ଠ ବୋଲିଂ ଚିତ୍ର (୨୭-୩-୧୦୨-୭) ପାଇଥିଲେ।

ସମ୍ବନ୍ଧିତ ଖବର